ବୌଦ୍ଧ: ତେଜୁଛି ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ବ୍ୟାଗ ବଣ୍ଟନ ବିବାଦ । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଲୋଗୋ ଥିବା ଖାଲି ବ୍ୟାଗ ବଣ୍ଟନକୁ ବିରୋଧ ହୋଇଛି । ଗତ ଦୁଇ ଦିନ ହେଲା ଖାଲି ବ୍ୟାଗ ବଣ୍ଟନ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନ ସାଧାରଣ । ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରୁଣ୍ଡିମହୁଲ ପଞ୍ଚାୟତଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ବରେ ବହୁ ବିଜେପି ନେତା ଓ କର୍ମୀ ଏହାକୁ ବିରୋଧ କରିଛନ୍ତି । ଏପରିକି ପଞ୍ଚାୟତକୁ ବଣ୍ଟନ ପାଇଁ ଆସିଥିବା ବ୍ୟାଗ୍କୁ ପୋଡ଼ି ପ୍ରତିବାଦ କରାଯାଇଛି ।
ସେପଟେ ବୌଦ୍ଧ ଜିଲ୍ଲାର ଶଙ୍କୁଲୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଯୁବ ବିଜେପି ନେତା ଅରୂପା ଦୀପ ଆମ ଓଡ଼ିଶା ନବୀନ ଓଡ଼ିଶାର ଲୋଗୋ ଥିବା ବ୍ୟାଗରେ ରାଜ୍ୟ ସରକାର ୫ କେଜି ଚାଉଳ ଓ ଏକ ଲିଟର ଖାଇବା ତେଲ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ଦାବି କରିଛନ୍ତି । ଏଥି ସହିତ ଏଭଳି ଖାଲି ବ୍ୟାଗ ବଣ୍ଟନକୁ ବିରୋଧ କରି ବ୍ୟାଗ ଚିରି ପୋଡି ଦେଇ ପ୍ରତିବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାର ଲୁଣିବାହାଲ ପଞ୍ଚାୟତ ଠାରେ ଯୋଗାଣ ସହାୟତା ଏଭଳି ବ୍ୟାଗ ବଣ୍ଟନ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ସୁବାଷ ପ୍ରଧାନଙ୍କ ନେତୃତ୍ବରେ ବିଜେପି କର୍ମ ମାନେ ପଞ୍ଚାୟତରେ ଧସେଇ ପଶିଥିଲେ ।
ଏହା ମଧ୍ୟ ପଡନ୍ତୁ- ‘ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରିରେ ପିଏଚଡ଼ି କରିଛନ୍ତି’
ଏହାପରେ ଏଭଳି ବ୍ୟାଗ ବଣ୍ଟନକୁ ତୀବ୍ର ବିରୋଧ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟରୁ ବଣ୍ଟନ ପାଇଁ ଆସିଥିବା ବ୍ୟାଗ୍ ଗୁଡ଼ିକୁ ବିଜେପି ନେତା ଓ କର୍ମୀ ଫୋପାଡି ଦେବା ସହିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପୋଡି ଦେଇ ପ୍ରତିବାଦ ଜଣାଇଥିଲେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ବ୍ୟାଗ ରାଜନୀତି ସରଗରମ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଯୁବ ବିଜେପି ନେତା ସୁନୀଲ କ୍ଷେତୀ କହିଛନ୍ତି," ଏହା ହେଉଛି ବିଜୁ ଜନତା ଦଳର ହୀନ ରାଜନୀତି । କେନ୍ଦ୍ର ସରକାରଙ୍କ ଚାଉଳ ବଣ୍ଟନରେ ବାଃବାଃ ନେବାକୁ ରାଜ୍ୟ ସହରକାର ବ୍ୟାଗ ବଣ୍ଟନ କରୁଛନ୍ତି । ଏଥିରେ ଆମର କୌଣସି ଆପତ୍ତି ନାହିଁ । ହେଲେ ଖାଲି ବ୍ୟାଗ କଣ ପାଇଁ ଦିଆଯାଉଛି । ହିତାଧିକାରୀଙ୍କୁ ଚାଉଳ ଓ ତେଲ ଦିଆଯାଉ । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର ହୀନ ରାଜନୀତି କରୁଛନ୍ତି । ତେଣୁ ପଞ୍ଚାୟତ ସ୍ତରରେ ଏହାକୁ ବନ୍ଦ କରିବାକୁ ଦାବି କରିଛୁ । ଯଦି ଏହା ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ।"
ଇଟିଭି ଭାରତ, ବୌଦ୍ଧ