ରାଇରଙ୍ଗପୁର: ମୟୂରଭଞ୍ଜ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ବିଜେଡି ସୁଦାମ ମାରାଣ୍ଡିଙ୍କ ନାଁ ଘୋଷଣା କରିବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ନିଜ ଜିଲ୍ଲାକୁ ଫେରିଛନ୍ତି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି । ଗତକାଲି(ଶୁକ୍ରବାର) ସେ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ତାଙ୍କ ସମର୍ଥକମାନଙ୍କ ଦ୍ୱାରା ତାଙ୍କୁ ସ୍ୱାଗତ କରାଯାଇଥିଲା । ଏଥିସହ ପାଲବନିଠାରୁ ଏକ ବିଶାଳ ରାଲିରେ ବାହାରି ଲାଖବଘରା, ବାଲେଶ୍ବର ଗୋଲେଇ ଓ ପରେ ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ସୁଦାମ ମାରାଣ୍ଡି ।
ନିଜ ଜିଲ୍ଲାକୁ ଫେରିଲେ ବିଜେଡିର ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି । ଶୁକ୍ରବାର ଦିନ ସେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସମୟରେ ବାରିପଦାଠାରେ ତାଙ୍କ ସମର୍ଥକ ତଥା ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବାରିପଦା ସହର ସ୍ଥିତ ପାଲବନିଠାରୁ ଏକ ବିଶାଳ ରାଲିରେ ବାହାରି ଲାଖବଘରା, ବାଲେଶ୍ବର ଗୋଲେଇ ବୁଲିଥିଲେ ସୁଦାମ ମାରାଣ୍ଡି । ଏହାପରେ ସହର ମଧ୍ୟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାପରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହାପରେ ବାରିପଦା ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଦଳୀୟ କର୍ମୀ ଓ ଜନ ସାଧାରଣ । ସେପଟେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ବିଜେଡି ତରଫରୁ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିବାରୁ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଜନ ସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଥାଉକି, ୧୯୬୨ ମସିହା ଜୁନ ମାସ ୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସୁଦାମ ମାରାଣ୍ଡି । ବାରିପଦା ସ୍ଥିତ ଏମପିସି ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ । ତେବେ ସୁଦାମ ମାରାଣ୍ଡି ଛାତ୍ର ଜୀବନରୁ ହିଁ ରାଜନୀତି ପ୍ରତି ରୁଚି ରଖିଥିଲେ । ସୁଦାମ ମାରାଣ୍ଡି ୧୯୯୦-୯୫ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରଥମ ଥର ପାଇଁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଏହାପରେ ଓଡ଼ିଶା ବିଧାନସଭାକୁ ୧୯୯୫-୨୦୦୦ ଓ ୨୦୦୦-୨୦୦୪ ପର୍ଯ୍ୟନ୍ତ ଦୁଇ ଥର କୁଳିଅଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରାର୍ଥୀ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସୁଦାମ ମାରାଣ୍ଡି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଏବଂ ସଭାପତି ଭାବରେ କାର୍ଯ୍ୟ କରିଥିଲେ ।
ଏହାପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୧୪-୨୦୧୯ ଏବଂ ୨୦୧୯-୨୦୨୪ ପର୍ଯ୍ୟନ୍ତ ଦୁଇ ଥର ଓଡ଼ିଶା ବିଧାନସଭା ନିର୍ବାଚନରେ ବାଙ୍ଗିରିପୋଷିରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ବିଧାୟକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ କ୍ରୀଡ଼ା ଓ ଯୁବ ବ୍ୟାପାର, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ବ ଭାର ଗ୍ରହଣ କରି କାର୍ଯ୍ୟ ନିର୍ବାହ କରିଥିଲେ ।
ଇଟିଭି ଭାରତ, ମୟୂରଭଞ୍ଜ