ଭୁବନେଶ୍ବର: ବିଜେପି ଛାଡିଲେ ବିଶ୍ୱ ଭୂଷଣ ଦାସ । ବିଜେପି ରାଜ୍ୟ ସଭାପତିଙ୍କୁ ଚିଠି ଲେଖି ଦଳ ଛାଡିଛନ୍ତି ବିଶ୍ୱଭୂଷଣ । ୧୭ ଦିନ ତଳେ ଅର୍ଥାତ ଗତ ୫ ତାରିଖରେ ବିଶ୍ୱଭୂଷଣ କଂଗ୍ରେସ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଉ ଆଜି ସେ ଦଳ ଛାଡିଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଓ ଦଳ ପ୍ରତି ନିଜର କ୍ଷୋଭ ପ୍ରକାଶ କରିଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀରୁ ତାଙ୍କୁ ବିଧାୟକ ପ୍ରାର୍ଥୀ କରିବାକୁ ବିଜେପି ରାଜ୍ୟ ସଭାପତି ପ୍ରତିଶୃତି ଦେଇଥିଲେ । ବିଭିନ୍ନ ପ୍ରକାର ଚାପ ପକାଇ ଦଳରେ ମିଶାଇଥିଲେ । କିନ୍ତୁ ପ୍ରତିଶୃତି ରକ୍ଷା କରିଲେ ନାହିଁ । ବିଜେପି ଦଳ ଏକ ମିଛୁଆ ଦଳ । ରାଜ୍ୟ ସଭାପତି ଜଣେ ମିଛୁଆ ନେତା ବୋଲି ସେ କହିଛନ୍ତି ।
ସେ କହିଛନ୍ତି," କଂଗ୍ରେସ ଦଳ ଛାଡି ଯେଉଁ ୧୫ ଦିନ ମୁଁ ବିଜେପି ଦଳକୁ ଯାଇଥିଲି । ତାହା ମୋ ପାଇଁ କଳା ଦିନ ଥିଲା । ମୁଁ କଂଗ୍ରେସ ନୀତି ଆଦର୍ଶ ସହ ୨୯ ବର୍ଷର ରାଜନୀତି ଭିତରେ କେଉଁ ଦଳ ପ୍ରତି ଆସକ୍ତ ନଥିଲି । କାକଟପୁରରେ ଦଳର ବିଜୟକୁ ନେଇ ବିଭିନ୍ନ ମିଛ ପ୍ରଲୋଭନ ଦେଖାଇ ଓ ଚାପ ପକାଇ ମତେ ଦଳରେ ସାମିଲ କଲେ । ହେଲେ ମୋତେ ଟିକେଟ ନ ଦେଇ ପ୍ରତାରଣା କଲେ । ୫୦ ହଜାର ଭୋଟ ମୁଁ ବହନ କରୁଥିବା ବେଳେ ମୋ ପ୍ରତି ଏଭଳି ବିଜେପି ଦଳର ଏହି ପ୍ରତାରଣା ମୋତେ ମାନସିକ ସ୍ତରରେ ଯନ୍ତ୍ରଣା ଦେଇଛି । ମୁଁ ଏକୁଟିଆ ନୁହେଁ, ମୁଁ ଏକ ସଂଗଠନ ତେଣୁ ସଭାପତି ଓ ତାଙ୍କ ଦଳକୁ ଚ୍ୟାଲେଞ୍ଜ କରୁଛି । ଯେ ମୁଁ ଏହାର ଜବାବ ଆଗାମୀ ଦିନରେ ଦେବି । ମୋର ୨୯ ବର୍ଷର ସମାନ ୧୫ ଦିନରେ ସାରି ଦେଲା ବିଜେପି । ଯାହା ମୋ ପାଇଁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହୋଇ ରହିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ମୋ ପାଇଁ ନୁହେଁ । ଦଳର ସବୁ ଯୁବ ନେତା ଏଠି ନିଷ୍ପେସିତ । ତେଣୁ ଦଳରେ ଥିବା ଯୁବକଙ୍କୁ ଅନୁରୋଧ ଦଳରେ ଥିବା ନେତାଙ୍କର ଚିତ୍ର ଚରିତ୍ର ବୁଝି ଦଳରେ ରୁହନ୍ତୁ ଓ ସାମିଲ ହୁଅନ୍ତୁ । କାରଣ ଏ ଦଳରେ କିଛି ବି ଭବିଷ୍ୟତ ନାହିଁ । ମୋ ପ୍ରତି ଯାହା ହୋଇଛି । ତାହା ଜମାରୁ ଦଳ ପାଇଁ ଶୁଭଙ୍କର ନୁହେଁ ।
ସେପଟେ ବର୍ତ୍ତମାନର ସ୍ଥିତିକୁ ନେଇ କହିଛନ୍ତି ଯେ, ସେ ଏବେ ପୂନର୍ବାର କଂଗ୍ରେସ ଦଳକୁ ଫେରିବି କି ନାହିଁ ତାହା କହି ପାରିବେ ନାହିଁ । କାକଟପୁର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଆମେ ଆଗାମୀ ପଦକ୍ଷେପ ନିଆଯିବ । ମୋ ପ୍ରତି ଥିବା ଭଲ ପାଇବା ଓ ମୋ ସମର୍ଥକଙ୍କ ଶକ୍ତିକୁ ନେଇ ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିନ୍ତ ନିର୍ବାଚନ ଲଢ଼ିବୁ ।
ଏଠାରେ ସୂଚନା ଥାଉକି ୨୦୧୯ ନିର୍ବାଚନରେ ବିଶ୍ୱଭୂଷଣ କଂଗ୍ରେସରୁ ଟିକେଟ ନେଇ କାକଟପୁରରେ ବିଧାୟକ ଭାବେ ଲଢ଼ିଥିଲେ । ଭଲ ଲଢେଇ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ । ତେଣୁ ବିଜେପି ସେଠାରେ ନିଜର ଭୋଟ ପ୍ରତିଶତକୁ ବଢ଼ାଇ ଦ୍ୱିତୀୟ ସ୍ଥାନରେ ଆସିବ ବୋଲି ବିଶ୍ଵଭୂଷଣଙ୍କୁ ଦଳରେ ମିଶାଇଥିଲା । ହେଲେ ମିଶ୍ରଣ ପୂର୍ବରୁ ଦେଇଥୁବା ପ୍ରତିଶୃତି ପୁରଣ ନ କରିବାରୁ ବିଜେପିର ନୀତି ଆଦର୍ଶରେ କ୍ଷୁବ୍ଧ ହୋଇ ସେ ଆଜି ଦଳ ଛାଡିଛନ୍ତି ।
ଇଟିଭି ଭାରତ,ଭୁବନେଶ୍ବର