କୋରାପୁଟ: ସମାଜରେ ନାରୀ ଆଜି ବି ଅବହେଳିତ । ନାରୀ ଓ କିଶୋରୀ ଝିଅମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଜ୍ଞାନ ଯୁଗରେ ଆଜି ବି ବହୁ ଜାଗାରେ ନାରୀ ଅସୁରକ୍ଷିତ । ନାରୀ ବଢିଲେ ଦେଶ ବଢେ । କିନ୍ତୁ ଆଜି ବି ସମାଜରେ ବାଲ୍ୟବିବାହ ପରି କୁସଂସ୍କାର ଭରି ରହିଛି । ବାଲ୍ୟ ବିବାହ ଯୋଗୁଁ ଏମାନେ କମ୍ ବୟସରୁ ସାଂସାରିକ ଜୀବନରେ ବାନ୍ଧି ହୋଇ ନିଜର ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲିଦେବା ସହ ନିଜର ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଥାନ୍ତି । ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଦୀର୍ଘ ଦିନ ଧରି ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଜାରି ରହିଥିଲେ ମଧ୍ୟ ସଚେତନତାର ଅଭାବ ଓ ପୁଅ ଝିଅଙ୍କ ମଧ୍ୟରେ ଥିବା ଅହେତୁକ ଭେଦଭାବ ଯୋଗୁଁ ସେପରି ଆଖିଦୃଶିଆ ସଫଳତା ମିଳିପାରୁନି । ତେବେ ସେହି ବାଲ୍ୟ ବିବାହକୁ ରୋକିବା ପାଇଁ ଅଭିନବ ପ୍ରୟାସ କରୁଛି ଏକତା ସଂଗଠନ । କୋରାପୁଟ ଜିଲ୍ଲା ପରଜା ବେଡାପଦରର ସମଗ୍ର ଗ୍ରାମବାସୀ କାହାରିକୁ ବିବାହ ବୟସର ସୀମା ଅତିକ୍ରମ କରିବା ପୂର୍ବରୁ ବିବାହ ନ କରାଇବା ପାଇଁ ଶପଥ କରାଇଛି ସଂଗଠନ ।
କୋରାପୁଟ ଜିଲ୍ଲାରେ ଝିଅମାନେ 14 -15 ବର୍ଷ ବୟସରେ ପାଠ ଛାଡ଼ିଦେବା ବାଲ୍ୟ ବିବାହର ସମ୍ଭାବନାକୁ ଅଧିକ ଶକ୍ତି ପ୍ରଦାନ କରୁଛି । ତେଣୁ ବର୍ତ୍ତମାନ 18 ବର୍ଷ ପର୍ଯ୍ୟନ୍ତ ଦିଆଯାଉଛି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା । ତାକୁ ସମସ୍ତଙ୍କ ପାଖକୁ ସମ୍ପ୍ରସାରିତ କରି ପିଲାଙ୍କୁ ଗଠନମୂଳକ ଜୀବନ ପ୍ରତି ଆକୃଷ୍ଟ କରିବାର ପ୍ରୟାସ ଜାରି ରଖିବା ଫଳରେ ବାଲ୍ୟବିବାହ ବିରୋଧରେ କରାଯାଉଥିବା ପ୍ରୟାସର ସୁଫଳ ମିଳିପାରିଛି ବୋଲି ଏକତା ସଂଗଠନ ତରଫରୁ ପରଜା ବେଡାପଦର ଗ୍ରାମରେ ସାଥି ଭାବେ କାର୍ଯ୍ୟ କରୁଥିବା ଈଶ୍ୱର ଜାନୀ କହିଛନ୍ତି । ଈଶ୍ୱରଙ୍କ ମତରେ 18 ବର୍ଷ ବୟସରେ ବିବାହ ଝିଅମାନଙ୍କୁ ସକାରାତ୍ମକ ଜୀବନ ବଞ୍ଚିବାର ଅଧିକ ସୁଯୋଗ ପ୍ରଦାନ କରିବ । କୋରାପୁଟ ଜିଲ୍ଲାରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ମିଳିତ ପ୍ରୟାସରେ ଚାଇଲ୍ଡ ଲାଇନ୍ ମାଧ୍ୟମରେ ଗତ ୫ ବର୍ଷ ମଧ୍ୟରେ ଅନେକ ବାଲ୍ୟବିବାହାକୁ ଅଟକାଯାଇପାରିଛି । ସେହିପରି ଏକତା ସଂଗଠନର ପ୍ରୟାସରେ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦରର ନାବାଳିକା ଝିଅ ଉଷା ଜାନୀର ବିବାହକୁ ବନ୍ଦ କରିବା ଚର୍ଚ୍ଚାର ବିଷୟ ପାଲଟିଛି । ବାଲ୍ୟ ବିବାହକୁ ବଳପୂର୍ବକ ସରକାରଙ୍କ ନିୟମର ଭୟ ଦେଖାଇବା ଦ୍ୱାରା କରାନଯାଇ ଏକତାର ସାଥୀଙ୍କ ଦ୍ୱାରା ଉଷାର ପରିବାର ତଥା ସମଗ୍ର ଗ୍ରାମକୁ ଉଚିତ ବୟସରେ ବିବାହ କରିବାର ଆବଶ୍ୟକତାକୁ ନେଇ ସଚେତନ କରାଯାଇଥିଲା । ବାଲ୍ୟବିବାହ ରୋକାଯାଇ ପାରିଥିବା ଯୋଗୁଁ ଏହି ସଚେତନତାର ସ୍ୱର ସମଗ୍ର ଗ୍ରାମ ତଥା ଅଞ୍ଚଳରେ ବାଲ୍ୟ ବିବାହ ବିରୋଧରେ ଉଠିଥିବା ସ୍ୱରକୁ ଶକ୍ତି ମିଳିଥିବା ଗାଁର ୱାର୍ଡ ମେମ୍ବର ଦାନିଆ ମୁଦୁଲି ମତ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ-୫ ବର୍ଷରେ କେବିକେରେ ୧୪ ଶହରୁ ଅଧିକ ବାଲ୍ୟ ବିବାହ, ଆଗରେ ମାଲକାନଗିରି
ଝିଅ ଓ ପୁଅ କମ ବୟସରୁ ପାଠ ପଢ଼ା ଛାଡ଼ିଦେବା ଫଳରେ ଜାନିଯାତ୍ରାରେ ପରମ୍ପରାକୁ ଆଧାର କରି ବିବାହର ପ୍ରକ୍ରିୟାକୁ ଆଗକୁ ନେଉଥିବା ଗାଁର ୱାର୍ଡ ମେମ୍ବର କହିଛନ୍ତି । ପୁଅ ଝିଅ ଅଳ୍ପ ବୟସରୁ ପରସ୍ପରକୁ ଭଲ ପାଉଥିବା କାରଣରୁ ସେମାନଙ୍କ ପରିବାର ଲୋକେ ବାଲ୍ୟ ବିବାହର ସମସ୍ତ ଅପକାରିତା ସମ୍ପର୍କରେ ସଚେତନ ଥିଲେ ବି ଝିଅର ସୁରକ୍ଷା ଓ ସ୍ବାସ୍ଥ୍ୟକୁ ଆଖିରେ ରଖି ସେମାନଙ୍କୁ ବିବାହ କରିଦେବା ପାଇଁ ବାଧ୍ୟ ହେଉଥିବା କୁହାଯାଉଛି । ତେବେ ଏନେଇ ପରଜା ବେଡାପଦରର ସମଗ୍ର ଗ୍ରାମବାସୀ କାହାରିକୁ ବିବାହ ବୟସର ସୀମା ଅତିକ୍ରମ କରିବା ପୂର୍ବରୁ ବିବାହ ନକରାଇବା ପାଇଁ ଶପଥ ନେଇଛନ୍ତି । ଏକ ପକ୍ଷେ ଉଷା ତାଙ୍କ ଗାଁରେ ବାଲ୍ୟବିବାହରୁ ରକ୍ଷା ପାଇଥିବା ପ୍ରଥମ ଝିଅ ହୋଇଥିବା ନେଇ ଖୁସି ଥିବାବେଳେ ଉଷାର ବାପା ତାଙ୍କ ଝିଅର ସୁସ୍ଥ ଜୀବନ ଦିଗରେ ସହାୟକ ହୋଇଥିବା ଯୋଗୁଁ ଏକତା ସଂଗଠନ ପ୍ରତି କୃତଜ୍ଞତା ଜଣାଇଛନ୍ତି ।
ଇଟିଭି ଭାରତ, କୋରାପୁଟ