ବୌଦ୍ଧ: ପାଖେଇ ଆସୁଛି ନିର୍ବାଚନ । ଯାହା ପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ବୌଦ୍ଧ ଜିଲ୍ଲାର ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୋର ଧରିଛି ପ୍ରଚାର ଅଭିଯାନ । ବିଭିନ୍ନ ଦଳର ପ୍ରାର୍ଥୀ ତାଙ୍କ ଶକ୍ତି ପ୍ରଦର୍ଶନ କରୁଥିବା ବେଳେ ଭୋଟର ମତଦାନକୁ ନେଇ ବେଶ ସଚେତନ ରହିଥିବା ଜଣାପଡ଼ିଛି । ତେବେ ମହାନଦୀ କୂଳରେ ଅବସ୍ଥିତ ନିର୍ବାଚନ ମଣ୍ଡଳୀରେ ଉଭୟ ପାନୀୟଜଳ ଓ ଜଳସେଚନ ସମସ୍ୟା ରହିଛି । ଯାହା ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇପାରେ ।
ବୌଦ୍ଧ ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ଏଭଳି ତାତିକୁ ବଳି ଯାଇଛି ରାଜନୀତିର ତାତି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି। ମହାନଦୀ କୂଳରେ ଅବସ୍ଥିତ ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନରେ ପାନୀୟ ଜଳ ଓ ଜଳସେଚନ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର ଅଭିଯାନକୁ ଜାରି ରଖିଛନ୍ତି । ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ କୁଶଙ୍ଗ ପଞ୍ଚାୟତ ପର୍ଯ୍ୟନ୍ତ ମହାନଦୀ କୂଳେ କୂଳେ ଲମ୍ବି ଯାଇଛି ପ୍ରାଚୀନ ଜଗନ୍ନାଥ ସଡକ । ତେବେ ଏହି ଜଗନ୍ନାଥ ସଡକ ତଥା ମହାନଦୀ କୂଳରେ ଥିବା ବିଭିନ୍ନ ପଞ୍ଚାୟତରେ ଉଭୟ ପାନୀୟ ଜଳ ଓ ଜଳ ସେଚନର ସମସ୍ୟା ଦେଖାଦେଉଛି । ଯାହାର ସିଧାସଳଖ ପ୍ରଭାବ ଚଳିତ ସାଧାରଣ ନିର୍ବାଚନ ଉପରେ ପଡ଼ିବ ବୋଲି ମତ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ଏହା ମଧ୍ୟ ପଢ଼ନ୍ତୁ.. ସୁନ୍ଦରଗଡ଼ ରାଜନୀତି: ମୈଦାନରେ ପୁଅ, ସାରଥୀ ସାଜିଛନ୍ତି ବାପା - Father Campaigning For Son
କେବଳ ଜଳ ସମସ୍ୟା ନୁହେଁ ଜଗନ୍ନାଥ ସଡକର ପ୍ରଶସ୍ତିକରଣ ପାଇଁ ଶହ ଶହ ବର୍ଷର ପୁରୁଣା ଗଛକାଟି ଦିଆଯାଇଥିଲା । ଫଳରେ ଖରାରେ ସଡ଼କ ଦୁଇ ପାର୍ଶ୍ବରେ ଗଛ ନଥିବା କାରଣରୁ ପଥଚାରୀ ମଧ୍ୟ ନାହିଁ ନଥିବା ହଇରାଣ ହେଉଛନ୍ତି । ସେହିପରି ହରଭଙ୍ଗା ବ୍ଲକର ସରସରା, ବାମଣ୍ଡା, ରାଧାନଗର, ମଥୁରା, ସାମ୍ପୋଚ, ରାମଗଡ଼, ଧଳପୁର, ହରଭଙ୍ଗା, କୁଶଙ୍ଗ ଭଳି ପଞ୍ଚାୟତ ସିଧାସଳଖ ମହାନଦୀ କୂଳରେ ଥିବା ସତ୍ତ୍ବେ ସେଠାରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି । ପାଣି ପାଇଁ ସେଠାକାର ମହିଳା ପାଞ୍ଚ କିଲୋମିଟର ବାଟ ଚାଲି ଯିବାକୁ ପଡୁଛି । ସେହି ଅଞ୍ଚଳରେ ନେତାଙ୍କ ପ୍ରତିଶୃତି ପାଣିର ଗାର ପାଲଟିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ତେବେ ସେଠାକୁ କେବଳ ନିର୍ବାଚନ ସମୟରେ ନେତା ମାନେ ତାଙ୍କ ମାଳମାଳ ପ୍ରତିଶୃତି ସହିତ ଆସୁଥିବା ବେଳେ ନିର୍ବାଚନ ପରେ ସେହି ଅଞ୍ଚଳର ବାଟ ଭୁଲି ଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି । ତେବେ ଏହି ସବୁ ସମସ୍ୟାର ପ୍ରଭାବ ନିର୍ବାଚନରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ଏନେଇ ହରଭଙ୍ଗା ବ୍ଲକର ସାଧାରଣ ଲୋକେ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ଇଟିଭି ଭାରତ, ବୌଦ୍ଧ