ଅନୁଗୋଳ: ପାଖେଇ ଆସୁଛି ନିର୍ବାଚନ । ଆଉ ନିର୍ବାଚନ ପୂର୍ବରୁ ପୋଲିସକୁ ଘାରିଛି ସୁରକ୍ଷା ଚିନ୍ତା । ନିର୍ବାଚନ କିଭଳି ଶୃଙ୍ଖଳିତ ହେବ ସେଥିପାଇଁ ଅନୁଗୋଳ ଜିଲ୍ଲା ପୋଲିସ ଆରମ୍ଭ କରିଦେଇଛି କସରତ । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଯାହାର ସୂଚନା ସାମ୍ବାଦିକ ସମ୍ମିଳନୀ ଯୋଗେ ଅନୁଗୋଳ ଏସପି ଉମାଶଙ୍କର ଦାସ ଦେଇଛନ୍ତି ।
ଅନୁଗୋଳ ଜିଲ୍ଲାର ପାଞ୍ଚଟି ନିର୍ବାଚନ ମଣ୍ଡଳୀ ଛେଣ୍ଡିପଦା, ଅନୁଗୋଳ, ତାଳଚେର, ପାଲଲହଡା ଓ ଆଠମଲ୍ଲିକରେ କିଭଳି ଶୃଙ୍ଖଳିତ ନିର୍ବାଚନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ସହ ମିଶି ପୋଲିସ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଭାବେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଯେପରି କୌଣସି ଅସାମାଜିକ କାର୍ଯ୍ୟ ନହୁଏ କିମ୍ବା ଅସାମାଜିକ କାର୍ଯ୍ୟକୁ ପ୍ରୋତ୍ସାହନ ନମିଳେ ସେଥିପାଇଁ ଜିଲ୍ଲାର ପାଞ୍ଚଟି ଯାକ ନିର୍ବାଚନ ମଣ୍ଡଳୀ ସୀମାରେ ନାକାବନ୍ଦୀ କରାଯାଉଛି । ବିଭିନ୍ନ ସ୍ଥାନରେ ଗାଡିମଟର ଯାଞ୍ଚ ସହ ଅସାମାଜିକ କାର୍ଯ୍ୟ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ଫ୍ଲାଗ ମାର୍ଚ୍ଚ ବେଳେ CRPF ଯବାନଙ୍କ ସହ BSF ଓ ସ୍ୱତନ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିର୍ବାଚନ ସମୟରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନଜର ରହିବ ବୋଲି ଉମାଶଙ୍କର କହିଛନ୍ତି ।
ଏହା ବ୍ୟତୀତ ଷ୍ଟ୍ରଙ୍ଗ ରୁମ ସୁରକ୍ଷା, ଓ ଗଣତି ସେଣ୍ଟରରେ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ପୋଲିସ ମୁତୟନ କରାଯିବ । ରାତି 8ଟାରେ ନୋ-ଏଣ୍ଟି ଉଠିବା ପରେ ରାଜପଥରେ ଗାଡ଼ି ଜାମ୍ ରହୁଛି । ଗାଡ଼ି ଠିକ୍ରେ ଯାତାୟାତ କରୁ ନଥିବାରୁ ଶହ ଶହ ଗାଡ଼ି ଛିଡ଼ା ହୋଇରହୁଛି । ଚାରି ଚକିଆ ଗାଡ଼ି ଗୁଡ଼ିକ ଧାଡ଼ି ଭାଙ୍ଗି ଆଗକୁ ଚାଲି ଆସୁଥିବାରୁ ଟ୍ରାଫିକ ସମସ୍ୟା ବଢୁଛି । ରାଜପଥରେ ଟ୍ରାଫିକ ପରିଚାଳନା ପାଇଁ ରାତି ୯ଟାରୁ ୩ ଘଣ୍ଟା ପର୍ଯ୍ୟନ୍ତ ବଅଁରପାଳ ସହିତ ବିଭିନ୍ନ ସ୍ଥାନମାନଙ୍କରେ ପୋଲିସ ମୁତୟନ ହେବେ ବୋଲି ଅତିରିକ୍ତ ଏସପି ସତ୍ୟଜିତ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଯୋଗେଶ୍ଵରୀ ବେହେରା, ଆରଆଇ ଗୋବିନ୍ଦ ମାହାରି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଅନୁଗୋଳ