କଟକ: 1934 ମସିହା ଆଜିର ଦିନରେ(ଫେବ୍ରୁଆରୀ 4 ତାରିଖ) ପ୍ରାଣତ୍ୟାଗ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ଓଡ଼ିଶା ମହାନ ଜନନାୟକ ମଧୁବାବୁଙ୍କ ଓଡ଼ିଶା ପ୍ରତି ଅବଦାନ ସର୍ବଦା ସ୍ମରଣୀୟ । କଟକ ଜିଲ୍ଲାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୯୦ତମ ତିରୋଧନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାର ତୁଳସୀପୁର ସ୍ଥିତ ଗୋରାକବର ଠାରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳରେ ତିରୋଧାନ ଦିବସ ପାଳନ କରାଯାଇଛି ।
କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଗୋରାକବରରେ ପହଞ୍ଚି ମଧୁବାବୁଙ୍କ ସମାଧି ସ୍ଥଳରେ ପୁଷ୍ପଗୁଚ୍ଛ ଦେଇ ସ୍ମୃତି ଚାରଣ କରିଥିଲେ । ସମସ୍ତେ ଏକାଠି ହୋଇ ଗୋରାକବର ସ୍ଥିତ ସମାଧି ସ୍ଥଳରେ ଏହି ମହାନ ଆତ୍ମାର ସ୍ମୃତି ଚାରଣ କରିଛନ୍ତି । ଆଜି ସକାଳୁ ମଧୁବାବୁଙ୍କୁ ଭଲ ପାଉଥିବା ପ୍ରତିଟି ଓଡ଼ିଆ, ମଧୁବାବୁଙ୍କ ସମାଧି ସ୍ଥଳରେ ପହଞ୍ଚି ମଧୁବାବୁଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ନୂଆ ରୂପ ପାଉଛି ମଧୁବାବୁଙ୍କ ସମାଧି ପୀଠ, ଜୋରସୋରରେ ଚାଲିଛି କାର୍ଯ୍ୟ
ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି ତୁଳସୀପୁର ଗୋରାକବର ସ୍ଥିତ ଉତ୍କଳ ଗୌରବଙ୍କ ସମାଧି ପୀଠ । ଅନେକ ବର୍ଷ ଅପେକ୍ଷା କରିବା ପରେ ନୂଆ ରୂପ ପାଇଛି ମଧୁସୁଧନଙ୍କ ସମାଧି ସ୍ଥଳ । ମୁଖ୍ୟ ଶାସନ ସଚିବ ମଧୁବାବୁଙ୍କ ସମାଧି ସ୍ଥଳ ଗସ୍ତ କରି ସମୀକ୍ଷା କରିବା ପରେ ତ୍ୱରିତ ଡ଼ଙ୍ଗରେ ପାରିପାର୍ଶ୍ବିକ କାମ ଶେଷ ହୋଇଛି । ଗତ କିଛି ଦିନ ତଳେ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାଲାଗି ମଧୁ ସମାଧି ସ୍ଥଳରେ ପହଞ୍ଚିଥିଲେ ସିଏମସି କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ କଟକ ମେୟର ସୁବାସ ସିଂ । ତମାମ ଦିଗ ଉପରେ ଆଲୋଚନା କରିବା ପରେ ଧାର୍ଯ୍ୟ ସମୟ ଫେବ୍ରୁଆରୀ ମାସ ୪ ତାରିଖ ତଥା ଆଜି ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ଭବିଷ୍ୟତରେ ଏହା ଯେମିତି ଏକ ଜାତୀୟ ସ୍ମାରକୀ ଭାବେ ଦୃଶ୍ୟମାନ ହେବ ଏବଂ ପର୍ଯ୍ୟଟନ ସ୍ଥଳୀ ଭାବରେ ଏହା ଖ୍ୟାତି ଅର୍ଜନ କରିବା ସେଥିପାଇଁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରଦାର ଜାରି ରହିଛି ।
ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଏବଂ କବି । ସେ ଥିଲେ ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍, ପ୍ରଥମ ଓଡ଼ିଆ ଏମଏ, ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲଏଲବି । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରାଜୀବନ ସଂଗ୍ରାମ କରିଥିଲେ । ତାଙ୍କ ପ୍ରଚେଷ୍ଠାରେ 1936 ମସିହା ଏପ୍ରିଲ 1 ତାରିଖରେ ଭାଷାଭିତ୍ତିରେ ଓଡ଼ିଶା ପ୍ରତିଷ୍ଠା ହୋଇଥିଲା ।
ଇଟିଭି ଭାରତ, କଟକ