ଭୁବନେଶ୍ବର: ସସ୍ମିତ ପାତ୍ରଙ୍କ ଟାର୍ଗେଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ସାମ୍ବାଦିକ ସମ୍ମିଳନୀର କଡା ଜବାବ ରଖିଛି ବିଜେଡି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଗତ ୧୦ ବର୍ଷରେ କେନ୍ଦ୍ରମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କର ରାଜ୍ୟ ପାଇଁ ଅବଦାନ କଣ ରହିଛି ? ଯଦି ଏହାକୁ ବିଶ୍ଳେଷଣ କରାଯାଏ ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଜିରୋ । ଶୂନ୍ୟ, କୌଣସି ଅବଦାନ । ରାଜ୍ୟ କଥା ଛାଡ଼ନ୍ତୁ, ନିଜ ଅଞ୍ଚଳ ପାଇଁ କଣ କରିଛନ୍ତି ସେ ବାବଦରେ କହିବାକୁ ସେ ପଛ ଘୁଞ୍ଚା ହେଉଛନ୍ତି । ଲୋକ ଲଜ୍ୟାରୁ ବଞ୍ଚିବା ପାଇଁ ଏବେ ସେ ନିଜ ମୁହଁ ଲୁଚେଇବାକୁ ଯାଇ ଆଜି ମିଛ କହିଛନ୍ତି । ରାଜ୍ୟ ପାଇଁ ଅବଦାନ ନଥିବାରୁ ସେ ମିଛର ଆଶ୍ରୟ ନେଉଛନ୍ତି ।
ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଯୋଜନା ଭାବେ ପରିଗଣିତ ହେଉଛି । ଆମେ ନୁହେଁ, ସାରା ଦେଶ ବୁଲି ଆସିଲେ ଲୋକେ କହିବେ । ଏପ୍ରକାର ଯୋଜନା ଆଉ କେଉଁଠି ନାହିଁ ବୋଲି କହିବେ । ଓଡିଶା ଏକମାତ୍ର ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ସାରା ରାଜ୍ୟର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ଯୋଜନାରେ ମହିଳାଙ୍କୁ 10 ଲକ୍ଷ ଓ ପୁରୁଷଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସ୍ୱାସ୍ଥ୍ୟ ସେବା ମିଳି ପାରୁଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଜନା କରୁଛନ୍ତି । କିପରି ଲୋକ ଉପକାର ନ ପାଆନ୍ତୁ ଏଭଳି ମାନସିକତା କେନ୍ଦ୍ରମନ୍ତ୍ରୀଙ୍କ କଣ ପାଇଁ ବୋଲି ବିଜେଡି ପ୍ରଶ୍ନ କରିଛନ୍ତି । ଲୋକ ମାଗଣା ସ୍ୱାସ୍ଥ୍ୟ ସେବା ପାଇବା ଦ୍ୱାରା ଯଦି ତାଙ୍କୁ କଷ୍ଟ ଲାଗୁଛି ତାହାଲେ ବିଜେପି ତାର ଇସ୍ତାହାରରେ ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବନ୍ଦ କରି ଦେବେ ବୋଲି ଉଲ୍ଲେଖ କରୁ । ଯଦି ସାହାସ ଅଛି ତାହା ଇସ୍ତାହାରରେ ଲେଖନ୍ତୁ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରାସ୍ତା ନିର୍ମାଣ କାର୍ଯ୍ୟ ୧୦ ବର୍ଷରେ ସାରିପାରିଲେ ନାହିଁ । ସେହି ରାସ୍ତାରେ ଗଲା ବେଳେ କେନ୍ଦ୍ରମନ୍ତ୍ରୀ ନିଜ ବିଫଳତା ଜାଣି ପାରୁଥିବେ । ଭାବୁଥିବେ ୧୦ ବର୍ଷରେ ଗୋଟେ ରାସ୍ତା ଶେଷ କରିପାରିଲେ ନାହିଁ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଦୁର୍ଘଟଣା ହେଉଛି । ଲୋକଙ୍କ ଜୀବନହାନି ହେଉଛି । ଏହା ହେଉଛି ତାଙ୍କ ବିଫଳତାର ପ୍ରତିକୃତି । ନିଜର ଲୋକଲଜ୍ୟା ଓ ବିଫଳତାକୁ ଲୁଚେଇବା ପାଇଁ ମିଛ ଭାଷଣ ଦେଉଛନ୍ତି । ଆମର ଅନୁରୋଧ କେନ୍ଦ୍ରମନ୍ତ୍ରୀ ବିଭ୍ରାନ୍ତକାରୀ ବକ୍ତବ୍ୟରୁ ଦୁରେଇ ରୁହନ୍ତୁ । ସତ କଥା କ'ଣ ଓଡିଶାବାସୀ ବୁଝିଗଲେଣି । ଆଗାମୀ ଦିନରେ ଉଚିତ ଜବାବ ଦେବେ ।
ଇଟିଭି ଭାରତ, ଭୁବନେଶ୍ବର