ପ୍ରଥମ ପର୍ଯ୍ୟାୟରେ ୨୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ; ମଇଦାନରେ ହେଭିୱେଟ, କାହାକୁ ଭରସା କରିବେ ଭୋଟର ? - Odisha Assembly Election 2024 - ODISHA ASSEMBLY ELECTION 2024
Odisha Assembly Election 2024: ରାତି ପାହିଲେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ । ୮ଟି ଜିଲ୍ଲାର ୨୮ ବିଧାନସଭା ଆସନରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୪୩ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ, ସେମାନଙ୍କ ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତାରି ବାହିନୀ ପତି, ସିଦ୍ଧାନ୍ତ ମହାପାତ୍ର ଓ ଦିିବ୍ୟଶଙ୍କର ମିଶ୍ରଙ୍କ ଭଳି ଅଛନ୍ତି ଅନେକ ଟାଣୁଆ ନେତା । କାହାର ପଲ୍ଲା ରହିବ ଭାରି ଓ କାହାକୁ ଭରସା କରିବେ ଭୋଟର ଦେଖିବା ବାକି ରହିଲା ।
Published : May 12, 2024, 7:54 PM IST
ଭୁବନେଶ୍ବର: ୨୪ ମହାସଂଗ୍ରାମ ପାଇଁ ପ୍ରସ୍ତୁତ ଓଡ଼ିଶା । ରାତି ପାହିଲେ (ମେ' ୧୩) ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ ଲୋକସଭା ସଂସଦୀୟ କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପଡିବ ଭୋଟ । ଏହି ୪ଟି ଲୋକସଭା ଆସନରେ ୩୭ ଜଣ ପ୍ରାର୍ଥୀ ଥିବାବେଳେ ୨୮ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୨୪୩ ପ୍ରାର୍ଥୀ । ସେଥିମଧ୍ୟରୁ ୨୧୧ ପୁରୁଷ ଏବଂ ୩୨ଟି ଆସନରେ ମହିଳା ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା ଆସନରୁ ସବୁଠୁ ଅଧିକ ୧୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
୨୮ ବିଧାନସଭା ଆସନ: ନୂଆପଡା, ଖଡିଆଳ, ଲାଞ୍ଜିଗଡ, ଧର୍ମଗଡ, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଟ, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗି ।
ହାଇପ୍ରୋଫାଇଲ ଆସନ:
ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ୨୮ ବିଧାନସଭା ଆସନ ମଧ୍ୟରେ ରହିଛି କିଛି ହାଇପ୍ରୋଫାଇଲ ଆସନ । ଯେଉଁଠାରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ୩ ପ୍ରମୁଖ ଦଳର ଟାଣୁଆ ନେତା । ଏହି ଆସନଗୁଡିକ ହେଲା ନୂଆପଡା, ଝରିଗାଁ, ଜୁନାଗଡ, ନର୍ଲା, ଦିଗପହଣ୍ଡି, ଜୟପୁର । ପ୍ରଥମ ପର୍ଯ୍ୟାୟରେ ପିପିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଜୟପୁର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ, ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଜେପି ନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।
ନୂଆପଡା ନିର୍ବାଚନ ମଣ୍ଡଳୀ: ନୂଆପଡା ଆସନ ଏବେ ବିଜେଡି ଦଖଲରେ ରହିଛି । ଏଠାରେ ରାଜେନ୍ଦ୍ର ଢୋଲକିଆ ବିଧାୟକ ରହିଥିବା ବେଳେ ଚଳିତ ନିର୍ବାଚନରେ ମଧ୍ୟ ପୁଣିଥରେ ତାଙ୍କୁ ଭରସା କରିଛି ବିଜେଡି । ନୂଆପଡା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଏକାଧିକ ପ୍ରାର୍ଥୀ ଥିବାବେଳେ ଏଠି କିନ୍ତୁ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହେବ । କାରଣ ଢୋଲକିଆଙ୍କ ସହ ମୁହାଁମୁହିଁ ହେବେ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ବିଜେପିର ଅଭିନନ୍ଦନ ପଣ୍ଡା ।
ଝରିଗାଁ ନିର୍ବାଚନ ମଣ୍ଡଳୀ: ଚଳିତ ଥର ଝରିଗାଁ ଆସନରେ ତ୍ରିମୁଖୀ ଲଢେଇ ହେବ । ବର୍ତ୍ତମାନ ବିଜେଡିର ପ୍ରକାଶ ମାଝୀ ଏଠାରୁ ବିଧାୟକ ଥିବାବେଳେ ଏଥର ଦଳ ତାଙ୍କର ଟିକଟ କାଟିଛି । ପ୍ରକାଶଙ୍କ ବଦଳରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ବିଜେପି ନରସିଂହ ଭତ୍ରା ଏବଂ କଂଗ୍ରେସ ହରବତୀ ଗୋଣ୍ଡଙ୍କୁ ଟିକଟ ଦେଇଛି ।
ଜୁନାଗଡ ନିର୍ବାଚନ ମଣ୍ଡଳୀ: ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି । ସେହିପରି ବିଜେପି ମନୋଜ କୁମାର ମେହେର ଏବଂ କଂଗ୍ରେସ ତୁଳେଶ୍ବର ନାୟକଙ୍କୁ ଜୁନାଗଡରେ ଭରସା କରିଛି । ଚଳିତ ଥର ତ୍ରିମୁଖୀ ଲଢେଇରେ ଦିବ୍ୟଶଙ୍କର ବିଜୟ ରିପିଟ୍ କରିପାରିବେ ନା କଂଗ୍ରେସ ଓ ବିଜେପି ଅଙ୍କ ବିଗାଡିବେ ତାହା ସମୟ କହିବ ।
ନର୍ଲା ନିର୍ବାଚନ ମଣ୍ଡଳୀ: ଏଥରେ ନର୍ଲା ଆସନରେ କଂଗ୍ରେସର ଟାଣୁଆ ନେତା ଭକ୍ତ ଚରଣ ଦାସ ପ୍ରାର୍ଥୀ ହୋଇଛି । ସେହିପରି ବିଜେଡି ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅନିରୁଦ୍ଧ ପ୍ରଧାନଙ୍କୁ ଟିକଟ ଦେଇଛି । ବିଏସପି ଦୁର୍ଯୋଧନ କୁମାର, ଏଆଇଏଫବି ଶିବରାମ ନାୟକ, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ଗଭୀର ସୁନା, ଆପ୍ ପୃଥୀରାଜ ଛତ୍ରିଆ, ନ୍ୟାସନାଲ ଅପନି ପାର୍ଟି ଶଶୀଦେବ ହରିଜନ, ଓଡିଶା ଜନତା ପାର୍ଟି କାଜଲ ପଟ୍ଟନାୟକ ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରଦୀପ କୁମାର ନାୟକ, ଟିକେମାନା ଦୀପ, ରୋଜାରାଣୀ ଜଲ ନର୍ଲାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।
ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ: ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗଡ଼ ଦିଗପହଣ୍ଡିରେ ଏଥର ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ । କାରଣ ତିନି ଥରର ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ନିଧନ ପରେ ଚଳିତ ନିର୍ବାଚନରେ ତାଙ୍କର ପୁଅ ବିପ୍ଲବ ପାତ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେପଟେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଭରସା କରି ଦିଗପହଣ୍ଡିରେ ପଦ୍ମ ଫୁଟାଇବା ଲକ୍ଷ୍ୟରେ ରହିଛି।
ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ: ମେ' ୧୩ରେ ବ୍ରହ୍ମପୁର ବିଧାନସଭା ଆସନରେ ମଧ୍ୟ ମତଦାନ ହେବ । ଏହି ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫ ଥରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ତାଙ୍କ ବିପକ୍ଷରେ ବିଜେପି କେ. ଅନୀଲ କୁମାର ଏବଂ କଂଗ୍ରେସ ଦୀପକ ପଟ୍ଟନାୟକଙ୍କୁ ବିଧାୟକ ପ୍ରାର୍ଥୀ କରିଛି । ତେବେ ଚଳିତ ନିର୍ବାଚନରେ କାହାର ପଲ୍ଲା ଭାରି ରହିବ, ବରିଷ୍ଠଙ୍କ ଉପରେ ଭାରି ପଡିବ କି ନବାଗତ ତାହା ଜୁନ ୪ରେ ଜଣାପଡିବ ।
ଜୟପୁର ନିର୍ବାଚନ ମଣ୍ଡଳୀ: ପ୍ରଥମ ପର୍ଯ୍ୟାୟରେ କୋରାପୁଟର ଜୟପୁର ଆସନରେ ପଡିବ ଭୋଟ । ଏହି ଆସନ ବରିଷ୍ଠ କଂଗ୍ରେସ ନେତା ତାରା ବାହାନୀପତିଙ୍କ ଦଖଲରେ ଥିବାବେଳେ ଚଳିତ ଥର ମଧ୍ୟ ସେ ବିଜୟ ରିପିଟ୍ ଲକ୍ଷ୍ୟରେ ରହିଛନ୍ତି । ଜୟପୁରରେ ତାରାଙ୍କୁ ଟକ୍କର ଦେବାକୁ ବିଜେଡି ଦଳର ବରିଷ୍ଠ ନେତା ରବୀନ୍ଦ୍ର ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପିରୁ ଗୌତମ ସାମନ୍ତରାୟ ପ୍ରାର୍ଥୀ ହୋଇଛନ୍ତି ।
2019ରେ କେଉଁ ଦଳକୁ କେତେ:-
ଗତ 2019 ନିର୍ବାଚନରେ ଏହି 28 ବିଧାନସଭା ଆସନରୁ ବିଜେଡି 20 ଆସନ କବ୍ଜା କରିଥିଲା । ସେହିପରି ବିଜେପି ମାତ୍ର 4ଟି ଆସନ ଏବଂ କଂଗ୍ରେସ 3ଟି ଆସନରେ ସନ୍ତୁଷ୍ଟ ହୋଇଥିଲା । ଆଉ ଗୋଟିଏ ଆସନରେ ସ୍ବାଧୀନ ପ୍ରାର୍ଥୀ ବାଜିମାତ୍ କରିଥିଲେ । ତେବେ ଚଳିତ ନିର୍ବାଚନରେ ସବୁ ଦଳରେ ଦଳଡିଆଁ ପର୍ବ ଦେଖିବାକୁ ମିଳିଛି । ଟିକଟ କଟିବା ହେଉ ଅବା ଟିକଟ ପାଇବା ଆଶାରେ ଏ ଦଳ ଛାଡି ଆର ଦଳକୁ ଡେଇଁଛନ୍ତି ନେତା । ଏପରି ସ୍ଥଳେ ବିଜେଡି ସେହିସବୁ ଆସନରେ ନିଜର ବିଜୟଧାରା ବଜାୟ ରଖିପାରିବ ନା ପରିବର୍ତ୍ତନର ଧାରା ବହିବ ତାହା ଜୁନ 4 ଫଳାଫଳରେ ଜଣାପଡିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ