ଦେବଗଡ଼: ଦେବଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା ନେଇ ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳର ଆଜି ଅବସାନ ଘଟିଛି । ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଜି ଦେବଗଡ଼ ଆସି ଏଠାରେ ଆୟୋଜିତ ଏକ କର୍ମୀ ସମ୍ବିଳନୀ ଯୋଗ ଦେଇଥିଲେ । ସମ୍ବିଳନୀ ଆପୋଷ ବୁଝାମଣା କରିବା ସହ ସମସ୍ତେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀ ଦେବୀଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ।
ଆସନ୍ତା ସାଧାରଣ ନିର୍ବାଚନରେ ଦେବଗଡ଼ ବିଧାନସଭା ଆସନ ପାଇଁ ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜେଡି । ବିଜେଡି ପ୍ରାର୍ଥୀନୀ ଅରୁନ୍ଧତୀ ଦେବୀ ଗତ 16 ତାରିଖ ଦିନ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ବିଜେଡିରେ ଯୋଗ ଦେଇଥିଲେ । ବିଜେଡିରେ ଯୋଗଦେବାର ପରଦିନ ଅର୍ଥାତ 17 ତାରିଖ ଦିନ ଦେବଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ଘୋଷଣା କରାଯାଇଥିଲା । ଦଳରେ ଯୋଗ ଦେବାର ଗୋଟିଏ ଦିନ ପରେ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା କରାଯିବା ଓ ତାଙ୍କ ସ୍ବାମୀ ନିତେସ ଗଙ୍ଗଦେଵ ବିଜେପିରେ ଥିବା ବେଳେ ଅରୁନ୍ଧତୀଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରାଯିବା ଜିଲ୍ଲାର ଅନେକ ଆଶାୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କୁ ବ୍ୟଥିତ କରିଥିଲା ।
ତେବେ ଦଳରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ବହୁ ଆଶାୟୀ ପ୍ରାର୍ଥୀ ଏହାକୁ ନାପସନ୍ଦ କରିବା ସହ ବିରୋଧ କରିଥିଲେ । ଏନେଇ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାସହ ଏକ ପ୍ରକାର ଅସନ୍ତୁଳନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାଦ୍ୱାରା ଦଳୀୟ ସଂଗଠନ ଦୁର୍ବଳ ହେବାର ଆଶଙ୍କା କରାଯାଉଥିଲା । ଏପରିକି ବିଜେଡି ଆଶାୟୀ ପ୍ରାର୍ଥୀ ଓ କର୍ମୀଙ୍କ ବିରୋଧ ବିଜେଡି ପ୍ରାର୍ଥିନୀ ଅରୁନ୍ଧତୀଙ୍କ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିଥିଲା । ତେବେ ଆଶାୟୀ ଓ ତାଙ୍କ ସମର୍ଥକଙ୍କୁ ପୁଣିଥରେ ଏକଜୁଟ କରି ଦଳୀୟ ସଂଗଠନ ମଜଭୁତ ରଖିବା ଲକ୍ଷ୍ୟରେ ଆଜି ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦେବଗଡ଼ ଆସିଥିଲେ । ପୁରୁଣାଗଡ଼ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ କର୍ମୀ ସମ୍ବିଳନୀରେ ଯୋଗଦେଇ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କୁ ଆପୋଷ ବୁଝାସୁଝା କରି ସମସ୍ତେ ହାଇକମାଣ୍ଡ ଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଦଳ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଏଥିସହ ଦେବଗଡ଼ ଜିଲ୍ଲାର ବିକାଶ ପାଇଁ ବିଜେଡି ପ୍ରାର୍ଥୀନୀ ଅରୁନ୍ଧତୀ ଦେବୀଙ୍କୁ ସମର୍ଥନ କରି ତାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀନୀ ଅରୁନ୍ଧତୀ ଦେବୀ ମଧ୍ୟ ସମସ୍ତ ବିଜେଡି କର୍ମୀଙ୍କ ସହଯୋଗ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ବିଜେଡି ନେତୃବୃନ୍ଦ ଓ କର୍ମୀ ଏକଜୁଟ ହୋଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟକରିବାକୁ ଦୃଢ଼ ସଂକଳ୍ପ ନେଇଥିଲେ । ଏହି କର୍ମୀ ସମ୍ବିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୋୖରାଧାକ୍ଷା ଶାନ୍ତିମଞ୍ଜରୀ ଦେଇ, ଜିଲ୍ଲା ବିଜେଡି ସଭାପତି ଇଂ. ଚିତ୍ତରଞ୍ଜନ ପ୍ରଧାନ, ପର୍ଯ୍ୟବେକ୍ଷକ ଗୌତମ ବୁଦ୍ଧ ଦାସ, ଉମାସଙ୍କର ସାହୁ, ରାଜ୍ୟ ସମ୍ପାଦକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଦେବଗଡ଼