ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପି ଉପସଭାପତି ଅମୀୟ ଦାସ । ଅମୀୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଗତକାଲି (ବୁଧବାର) ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଭୁବନେଶ୍ୱର-ଏକାମ୍ର ବିଧାୟକ ଅଶୋକ ପଣ୍ଡା, ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ଉପସ୍ଥିତିରେ ଅମୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି । ସାମିଲ ହୋଇଥିବା ସମସ୍ତ ନେତା ଓ କର୍ମକର୍ତ୍ତାଙ୍କୁ ବିଜେଡି ନେତାମାନେ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଭୁବନେଶ୍ୱର ଏକାମ୍ରରେ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି ।
ବିଜେପି ପକ୍ଷରୁ ବାବୁ ସିଂଙ୍କୁ ଲଗାତାର ଭାବେ ଦ୍ଵିତୀୟ ଥର ଲାଗି ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମିଳୁଛି । ୨୦୧୯ ପରି ୨୦୨୪ରେ ମଧ୍ୟ ଅମୀୟଙ୍କ ଟିକେଟ କାଟିଛି ବିଜେପି । ଏ ନେଇ ଅସନ୍ତୁଷ୍ଟ ଥିଲେ ଅମୀୟ । ନିକଟରେ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେଣୁ ସେ ବିଜେଡିରେ ସାମିଲ କରିବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା, ଯାହା ମିଶ୍ରଣ ପରେ ଏହା ଏବେ ସ୍ପଷ୍ଟ ହୋଇଛି । ବିଜେଡ଼ିରେ ସାମିଲ ହେବା ପରେ ଅମୀୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ମୁଁ ଅନୁପ୍ରାଣିତ ହୋଇ ନିଷ୍ପତ୍ତି ଗ୍ରହଣ କରିଛି ।
ସେ ଆହୁରି ମଧ୍ୟ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକଙ୍କୁ କୃତଜ୍ଞତା ଜଣାଉଛୁ ।’’
ଏହା ମଧ୍ୟ ପଢନ୍ତୁ:- ଆମେଠୀ-ରାୟବରେଲୀରୁ କିଏ ? ଆଜି ଘୋଷଣା କରିବ କଂଗ୍ରେସ - Amethi Raebareli
ଏହି ମିଶ୍ରଣରେ ଶେଷଶେଖର ଗରାବଡୁ, ଅଜୟ ଜେନା, ବିଷ୍ଣୁପ୍ରସାଦ ନନ୍ଦ, ଅଞ୍ଚଳ ବଟୁ, ଶରତ ମହାପାତ୍ର, ଆଶୁତୋଷ ନନ୍ଦ, ଅନିକେତ ବଟୁ, ଆଦର୍ଶ ପଟ୍ଟନାୟକ, ରାକେଶ ଚମ୍ପତି, ଚିନ୍ମୟ ପ୍ରଧାନ, ରଙ୍କନିଧି ଦେହୁରୀ, ଶିଶିର ପାହାଡସିଂହ, ଶେଖ ରେହମତ ତୁଲ୍ଲା, ପ୍ରଶାନ୍ତ ଜେନା, ମନୋରଞ୍ଜନ ବଟ୍ଟୁ, ସୁଷମା କମଲାଙ୍କ ସମେତ ବହୁ କର୍ମକର୍ତ୍ତା ବିଜେଡ଼ିରେ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର