ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ଲୋକପ୍ରିୟ ଅଭିନେତା ତଥା ଟିଭି ହୋଷ୍ଟ ଶେଖର ସୁମନ । ଆଜି ଦିଲ୍ଲୀ ସ୍ଥିତି ବିଜେପି ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତା ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ତାଙ୍କ ସହ ପୂର୍ବତନ କଂଗ୍ରେସ ନେତ୍ରୀ ରାଧିକା ଖେଡା ମଧ୍ୟ ଦଳରେ ମିଶିଛନ୍ତି । ଏନେଇ ଅଭିନେତା ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ଦଳ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି, ''ଗତକାଲି ପର୍ଯ୍ୟନ୍ତ ମୁଁ ଜାଣିନଥିଲି ଯେ ଆଜି ଏଠି ବସିବି ବୋଲି । କାରଣ ଜୀବନରେ ଅନେକ କିଛି ଜଣାତରେ ଅଜଣାତରେ ହୋଇଥାଏ । ମୁଁ ସକରାତ୍ମକ ଭାବନା ସହ ବିଜେପିରେ ଯୋଗଦେଇଛି । ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ମୁଁ ଭାଗବାନଙ୍କୁ ଧନ୍ୟବାଦ ଜଣାଉଛି ।''
ଆହୁରି ମଧ୍ୟ ସେ କହିଛନ୍ତି ଯେ, ମଣିଷ ନିଜ ଶବ୍ଦ ଉପରେ ଖୁବ୍ ନିର୍ଭରଶୀଳ ରହିଥାଏ । କିନ୍ତୁ ଗୋଟିଏ ସମୟ ପରେ ଶବ୍ଦଗୁଡିକର କିଛି ମହତ୍ତ୍ବ ରହିନଥାଏ କାରଣ ତା'ର କହିବା ଓ କରିବାରେ ପାର୍ଥକ୍ୟ ଆସିଯାଏ । ମୁଁ ଯେତେବେଳେ ଚାହିଁବି ଏଠି ବସି ଭାଷଣ ଦେଇପାରିବି । କିନ୍ତୁ ଯଦି ମୁଁ କିଛି କାମ ନକରେ, ତାହେଲେ ଏହାର କିଛି ମୂଲ୍ୟ ରହିବ ନାହିଁ ।
କହିରଖୁଛୁ କି, ନିକଟରେ ଅଭିନେତା ଶେଖର ସୁମନ ସଞ୍ଜୟ ଲୀଳା ଭନସାଲିଙ୍କ ନିର୍ଦ୍ଦେଶିତ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ୱେବସିରିଜରେ ଅଭିନୟ କରିଛନ୍ତି । ତେବେ ଏହି ଅଭିନେତାଙ୍କ ପାଇଁ ରାଜନୀତିରେ ଏହା ପ୍ରଥମ ଏଣ୍ଟ୍ରି ନୁହେଁ । ଶେଖର 2009ରେ ପାଟନା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକଟରେ ନିର୍ବାଚନ ଲଢି ଅଭିନେତା ତଥା ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ଠାରୁ ପରାଜିତ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ବୁଲିବା ପରେ ଅପମାନିତ କଲେ ଦଳୀୟ ନେତା, ଇସ୍ତଫା ଦେଲେ କଂଗ୍ରେସ ନେତ୍ରୀ
ସେପଟେ ରାମ ମନ୍ଦିର ଯିବାରୁ କଂଗ୍ରେସରେ ଅପମାନିତ ହୋଇଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା କଂଗ୍ରେସ ନେତ୍ରୀ ରାଧିକା ଖେଡା ମଧ୍ୟ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ସେ ଗତ ରରିବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପାଖକୁ ପଠାଇଥିବା ଇସ୍ତଫା ପତ୍ରରେ ଲେଖିଥିଲେ ଯେ, ସେ ଅଯୋଧ୍ୟା ରାମ ମନ୍ଦିର ଯିବାରୁ ଦଳୀୟ ନେତା ତାଙ୍କୁ ଅସମ୍ମାନିତ କରିଥିଲେ ।