ଗୌହାଟୀ: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର । ଏପରିକି କଂଗ୍ରେସ ଯାତ୍ରା ପାଇଁ ନିର୍ଦ୍ଧାରିତ କରିଥିବା ରୁଟରେ ଅନୁମତି ମଧ୍ୟ ଦିଆଯାଉନି । କଂଗ୍ରେସର ପୋଷ୍ଟର ଓ ବ୍ୟାନରକୁ ନଷ୍ଟ କରାଯାଉଛି । ହେଲେ ସାଧାରଣ ଜନତା ବିଜେପିର ଏହି ଧମକରେ ଭୟଭୀତ ନୁହନ୍ତି । ଏପରି ଅଭିଯୋଗ ଆଣିଛନ୍ତି ଯାତ୍ରାର ନେତୃତ୍ବ ନେଉଥିବା ଦଳର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ । ଆଜି ଆସାମର ବିଶ୍ବନାଥ ଚରିଆଲିରେ ନ୍ୟାୟ ଯାତ୍ରା ପହଞ୍ଚିବା ପରେ ସମ୍ମିଳିତ କଂଗ୍ରେସ କର୍ମୀଙ୍କୁ ରାହୁଲ ଗାନ୍ଧୀ ସମ୍ବୋଧିତ କରିଛନ୍ତି ।
ରାହୁଲ କହିଛନ୍ତି, ‘‘ଆସନ୍ତା ନିର୍ବାଚନରେ କଂଗ୍ରେସ ବହୁ ବ୍ୟବଧାନରେ ବିଜେପିଠାରୁ ବିଜୟୀ ହେବ । ଆମେ ଲୋକଙ୍କ ସ୍ବାର୍ଥ ଓ ଅଧିକାର ପାଇଁ ଲଢେଇ ଜାରି ରଖିବୁ । ଆମେ ଲମ୍ବା ଭାଷଣରେ ବିଶ୍ବାସ କରୁନାହିଁ । ଆମେ ଏହି ଯାତ୍ରାରେ ଦୈନିକ 7ରୁ 8 ଘଣ୍ଟା ପଦଯାତ୍ରା କରୁଛୁ । ବିଭିନ୍ନ ବର୍ଗ ଓ ସଂଗଠନ ସହ ଆଲୋଚନା କରୁଛୁ । ସେମାନଙ୍କ ସମସ୍ୟା ଓ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରୁଛୁ । ସେମାନଙ୍କ ପ୍ରସଙ୍ଗରେ ଲଢେଇ ଜାରି ରଖିବା ଆମର ଏହି ଯାତ୍ରାର ଉଦ୍ଦେଶ୍ୟ ।’’
ଏହା ମଧ୍ୟ ପଢନ୍ତୁ :- 'ଦେଶ ପାଇଁ ଦାନ' ଅଭିଯାନ ଜୋରଦାର କରିବ କଂଗ୍ରେସ, ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷ
ରାହୁଲ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ନିୟମିତ ଟାର୍ଗେଟ କରିବା ଜାରି ରଖିଛନ୍ତି । ବିଶ୍ବଶର୍ମା ଦେଶର ସର୍ବାଧିକ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି ରାହୁଲ କହିସାରିଛନ୍ତି । କେବଳ ଗୋଟିଏ ପରିବାରର ସ୍ବାର୍ଥରେ ରାଜ୍ୟରେ ସରକାର ଚାଲିଛି । ଅନ୍ୟ ସମସ୍ତ ବର୍ଗ ସହ ଅନ୍ୟାୟ କରାଯାଉଛି । କୃଷକମାନେ ସେମାନଙ୍କ ଅଧିକାର ପାଉନାହାନ୍ତି । ରାଜ୍ୟରେ ଛାତ୍ରଛାତ୍ରୀ ସେମାନଙ୍କ ପାଠପଢା ଛାଡିବା ପାଇଁ ବାଧ୍ୟ ହେଉଛନ୍ତି । କ୍ଷୁଦ୍ର ବ୍ୟବସାୟୀମାନେ ଜିଏସଟି ପାଇଁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହି ସବୁ ପ୍ରସଙ୍ଗରେ ସେମାନଙ୍କ ଅଧିକାର ପାଇଁ କଂଗ୍ରେସ ଏହି ନ୍ୟାୟ ଯାତ୍ରା ବାହାର କରିଛି । କୌଣସି ପରିସ୍ଥିତିରେ କଂଗ୍ରେସ ଭୟଭୀତ ହେବନାହିଁ ବୋଲି ରାହୁଲ କହିଛନ୍ତି । ତେବେ ଆସାମରେ ରାହୁଲଙ୍କ ଯାତ୍ରା ଆଜି 4ର୍ଥ ଦିନରେ ପହଞ୍ଚିଛି । ଆସାମର 17 ଜିଲ୍ଲା ଦେଇ ମୋଟ 833 କି.ମି ଅତିକ୍ରମ କରିବା ପରେ ଏହି ଯାତ୍ରା 25 ତାରିଖରେ ଆସାମରୁ ପଡୋଶୀ ରାଜ୍ୟରେ ପ୍ରବେଶ କରିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ