ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଆଜି ଆଉ ଏକ ଶକ୍ତ ଝଟକା ଲାଗିଛି । ଦୁର୍ନୀତି ଅଭିଯୋଗ ଆଣି ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ରାଜ କୁମାର ଆନନ୍ଦ । ଭ୍ରଷ୍ଟାଚାର ଅଭିଯୋଗ ମଧ୍ୟରେ ସେ ଦଳରେ ରହିବେ ନାହିଁ ବୋଲି ଦର୍ଶାଇ ଉଭୟ ମନ୍ତ୍ରୀ ପଦ ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜକୁମାର ଦଳର ସାମାଜିକ କଲ୍ୟାଣ ଓ ଅନୁସୂଚୀତ ଜାତି, ଜନଜାତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ ।
ନିଜ ଇସ୍ତଫାର କାରଣ ସମ୍ପର୍କରେ କେବଳ ଦୁର୍ନୀତିକୁ ଦାୟୀ କରିଛନ୍ତି ରାଜ କୁମାର । କହିଛନ୍ତି, ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ‘ଆମ ଆଦମୀ ପାର୍ଟି’ ଅସ୍ତିତ୍ବକୁ ଆସିଥିଲା । ସେ ଏଥିରେ ପ୍ରଭାବିତ ହୋଇ ଦଳରେ ଯୋଗ ଦୋଇଥିଲେ । ମାତ୍ର ଦଳ ଏବେ ନିଜେ ଦୁର୍ନୀତି ପରିସରକୁ ଆସିସାରିଛି । ଦୁର୍ନୀତି ସହ ସେ ଦଳରେ କିମ୍ବା ସରକାରରେ ରହିବାକୁ ଚାହାନ୍ତି ନାହିଁ । ତେଣୁ ସେ ଆଜି ଉଭୟ ଦଳ ଓ କ୍ୟାବିନେଟରୁ ଇସ୍ତଫା ଦେବା ପାଇଁ ଉଚିତ ମନେ କରିଛନ୍ତି । ସେ ଜନସେବା କରିବା ପାଇଁ ରାଜନୀତିକୁ ଆସିଥିଲେ । ବାବା ସାହେବ ଆମ୍ବେଦକରଙ୍କ ପ୍ରସ୍ତୁତ ସମ୍ବିଧାନିକ ଅଧିକାର ପାଇଁ ସେ ନିର୍ବାଚନରେ ଲଢିବାର ଅବସର ପାଇଛନ୍ତି ବୋଲି କହିଛନ୍ତି ।
ରାଜ କୁମାରଙ୍କ ଇସ୍ତଫା ପରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ମନ୍ତ୍ରୀ ସୌରଭ ଭରଦ୍ବାଜ ପ୍ରେସମିଟ କରି ପାଲଟା ଟାର୍ଗେଟ କରିଛନ୍ତି । କହିଛନ୍ତି, ବିଜେପି ଉଦ୍ଦେଶ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଗିରଫ କରି ଆମ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚାହୁଁଛି । ଦିଲ୍ଲୀ ଓ ପଞ୍ଜାବ ସରକାରକୁ ଭାଙ୍ଗ କରିବା ହିଁ ସେମାନଙ୍କର ଏହି ଷଡଯନ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ । ରାଜ କୁମାର କେଜ୍ରିଓ୍ବାଲଙ୍କ ଗିରଫଦାରୀରେ ଭୟଭୀତ ହୋଇପଡି ଇସ୍ତଫା ଦେଲେ । ସେ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି କିଛି ଦିନ ପୂର୍ବରୁ ରାଜ କୁମାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିଥିଲା । ଏବେ ସେ ପୁଣି ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ଏହା ହେଉଛି କୌଣସି ଆମ ଆଦମୀ ପାର୍ଟି ମନ୍ତ୍ରୀଙ୍କ ପ୍ରଥମ ଇସ୍ତଫା ଘଟଣା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ