ଶୀତୁଆ ସନ୍ଧ୍ୟାରେ କପେ ଚା' ସହ ଗରମ ପକୁଡିର ମଜା ଟିକିଏ ଅଲଗା । କାହାକୁ ବା ପକୁଡି ଖାଇବା ଭଲ ଲାଗେନା ! ସାଧାରଣତଃ ବେସନରୁ ତିଆରି ପକୁଡି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଏଥର ଏକ ନୂଆ ପ୍ରକାରର ପକୁଡି ଖାଆନ୍ତୁ । ବେସନ ନୁହେଁ, କଳା ଚଣାରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ପକୁଡି । ଶୀତୁଆ ପାଗରେ କଳା ଚଣାର ମୁସ୍ମୁସିଆ ପକୁଡି ପାଟିକୁ ଯେମିତି ସୁଆଦିଆ ବନାଇବା ମଧ୍ୟ ସେମିତି ସହଜ । ସବୁବେଳେ ବେସନ ପକୁଡି ଖାଇ ଯଦି ବିରକ୍ତ ହୋଇଗଲାଣି ତାହେଲେ ଆଜି ହିଁ ଘରେ ବନାନ୍ତୁ ଏହି ନିଆରା ପକୁଡି ରେସିପି । ଚାଲନ୍ତୁ ଜାଣିବା କଳା ଚଣା ପକୁଡି ପାଇଁ ଆବଶ୍ୟକୀୟ ସାମଗ୍ରୀ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ...
ଆବଶ୍ୟକୀୟ ସାମଗ୍ରୀ:
- କଳା ଚଣା- 250 ଗ୍ରାମ
- କଞ୍ଚାଲଙ୍କା- 3
- ଜିରା- ଏକ ଛୋଟ ଚାମଚ
- ଧନିଆ ପତ୍ର
- ରସୁଣ- 4 କୋଲା
- ପିଆଜ- 1
- ଅଦା
- ଲୁଣ ସ୍ବାଦ ଅନୁସାରେ
- ଚାଉଳ ଅଟା- 2 ଚାମଚ
- ଧନିଆ
- ଚାଟ୍ ମସାଲା- ଅଧା ଛୋଟ ଚାମଚ
- ତେଲ
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଳା ଚଣାକୁ ଧୋଇ 8 ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ ।
- 8 ଘଣ୍ଟା ପରେ ଚଣାକୁ ପୁଣିଥରେ ଧୋଇ ଛାଣି ନିଅନ୍ତୁ ।
- ଏବେ ଏକ ମିକ୍ସି ଜାରରେ ଜିରା, କଞ୍ଚା ଲଙ୍କା, ଧନିଆ ପତ୍ର, 4 କୋଲା ରସୁଣ, ଗୋଟିଏ ଇଞ୍ଚ ଅଦା ମିଶାଇ ଗ୍ରାଇଣ୍ଡ କରନ୍ତୁ ।
- ଏହାପରେ ପାଣିରେ ଭିଜା ହୋଇଥିବା କଳା ଚଣାକୁ ଦରଦରା ପେଷନ୍ତୁ ।
- ଏବେ ଏହି ପେଷ୍ଟକୁ ମିକ୍ସି ଜାରରୁ ବାହାର କରି ଏଥିରେ କଟା ପିଆଜ, ଧନିଆ ପତ୍ର, ଲୁଣ, ଲଙ୍କାଗୁଣ୍ଡ, ଚାଟ୍ ମସାଲା, ଚାଉଳ ଅଟାକୁ ପକାଇ ହାତରେ ଭଲ ଭାବେ ଗୋଳାନ୍ତୁ । ଏହାଦ୍ବାରା ପକୁଡି ମୁସ୍ମୁସିଆ ଓ ସ୍ବାଦିଷ୍ଟ ହୁଏ । (ଏହି ପକୁଡି ଚକଟା ସାମାନ୍ୟ କଠିନ ରହିବା ଭଲ । ମନେରଖିବେ ଏଥିରେ ପାଣି ମିଶାଇ ଗୁଳାଇଲେ ପକୁଡି ଅଧିକ ତେଲ ଶୋଷିଥାଏ ।)
- ଏବେ ଏକ ପ୍ୟାନରେ ପକୁଡି ଛାଣିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ତେଲ ଦିଅନ୍ତୁ । ତେଲ ଗରମ ହେବା ପରେ ଗ୍ୟାସ୍ ମଧ୍ୟମ ଆଞ୍ଚରେ ରଖନ୍ତୁ । ଏବେ ପକୁଡି ପାଇଁ ହାତରେ ଛୋଟ ଛୋଟ ଗୁଳା କରି ତେଲରେ ପକାନ୍ତୁ ।
- ଗୋଟିଏ ମିନିଟ୍ ପରେ ଛଣା ସାହାଯ୍ୟରେ ପକୁଡିକୁ ଏପଟ ସେପଟ ଲେଉଟାନ୍ତୁ । ଦେଖିବେ ଦୁଇପଟ ଯେପରି ଭଲରେ ଫ୍ରାଏ ହେଉଥିବ । ପକୁଡି ଭଲ ଭାବେ ଛାଣି ହେବା ପରେ ପ୍ଲେଟକୁ ବାହର କରିଦିଅନ୍ତୁ । ଏଠି ପ୍ରସ୍ତୁତ ହୋଇଗଲା ଆପଣଙ୍କ କଳା ଚଣା ପକୁଡି ।
- ଯଦି ଆପଣଙ୍କୁ ଏହି ପକୁଡି ରେସିପି ଭଲ ଲାଗୁଥାଏ ତେବେ ଏହାକୁ ଘରେ ପ୍ରସ୍ତୁତ କରନ୍ତୁ । ସମସ୍ତେ ଖାଇବାକୁ ପସନ୍ଦ କରିବେ ।
ଏହା ମଧ୍ୟ ପଢନ୍ତୁ: ଶୀତୁଆ ସନ୍ଧ୍ୟାରେ ଚୁଟ୍କିରେ ଘରେ ବନାନ୍ତୁ ଭେଜ୍ ସୁପ୍ ଏହା ମଧ୍ୟ ପଢନ୍ତୁ: କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ |