ହାଇଦ୍ରାବାଦ: ବିଭିନ୍ନ କାରଣ ହେତୁ ଗତ କିଛି ବର୍ଷ ମଧ୍ୟରେ କିଡନୀ ସମ୍ବନ୍ଧୀୟ ସମସ୍ୟା ଏବଂ ରେଗୀଙ୍କ ସଂଖ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଖରାପ ଜୀବନଶୈଳୀ, ଖରାପ ଖାଦ୍ୟାଭ୍ୟାସ, ମଧୁମେହ, ମେଦବହୁଳତା, ହୃଦରୋଗ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେବା ଦ୍ବାରା କିଡନୀ ସମ୍ବନ୍ଧୀୟ ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି । ଏହା ଦ୍ବାରା କେବଳ କ୍ରୋନିକ କିଡନୀ ଡିଜିଜ(CKD) ନୁହେଁ ବରଂ ଅନ୍ୟ କିଡନୀ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଲକ୍ଷଣଗୁଡିକ ବିଷୟରେ ଅଜ୍ଞତା, ଅନୁସନ୍ଧାନ ଏବଂ ଚିକିତ୍ସାରେ ବିଳମ୍ବ ଏବଂ ବେଳେବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅସାବଧାନତା ହେତୁ କିଡନୀ ସମସ୍ୟା ସାଂଘାତିକ ହୋଇଛି ଏବଂ ଜୀବନ ମଧ୍ୟ ହାନି ହେଉଛି । ଏହାର କାରଣ, ଲକ୍ଷଣ ଏବଂ ସେମାନଙ୍କର ନିରାକରଣ, କିଡନୀ ସମ୍ବନ୍ଧୀୟ ରୋଗ ଏବଂ ଅବସ୍ଥାର ଚିକିତ୍ସା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ଦ୍ୱିତୀୟ ଗୁରୁବାର ଦିନ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ ।
ଥିମ: ପ୍ରତିବର୍ଷ ଏକ ଥିମ ନେଇ ବିଶ୍ବ କିଡନୀ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି ସମସ୍ତଙ୍କ ପାଇଁ କିଡନୀ ସ୍ବାସ୍ଥ୍ୟ- ଯତ୍ନ ଏବଂ ଉପଯୁକ୍ତ ଚିକିତ୍ସା ଅବସ୍ଥାକୁ ଗୁରୁତ୍ବ ଦେବା ।
ପରିସଂଖ୍ୟାନ କ'ଣ କୁହେ: କିଡନୀ ସ୍ୱାସ୍ଥ୍ୟ ସହ ଜଡିତ ସଂଗଠନର ତଥ୍ୟ ଅନୁଯାୟୀ ବିଶ୍ବରେ 90 କୋଟିରୁ ଅଧିକ ଲୋକ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଅଛନ୍ତି । ପ୍ରତି 10 ଜଣଙ୍କ ମଧ୍ୟରୁ ଜଣଙ୍କୁ କିଡନୀ ରୋଗ ହେବାର ଆଶଙ୍କା ଥାଏ । କେବଳ ଏତିକି ନୁହେଁ ବିଶ୍ବବ୍ୟାପୀ ସ୍ବାସ୍ଥ୍ୟଗତ କାରଣରୁ କିଡନୀ ସମ୍ବନ୍ଧୀୟ ରୋଗ ମୃତ୍ୟୁର ଅଷ୍ଟମ ପ୍ରମୁଖ କାରଣ ବୋଲି ବିବେଚନା କରାଯାଏ । ତଥ୍ୟ ଅନୁସାରେ, 2019 ମସିହାରେ କିଡନୀ ସମ୍ବନ୍ଧୀୟ ରୋଗ ହେତୁ ବିଶ୍ୱରେ 3.1 ମିଲିୟନରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ । ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ 80 ଲକ୍ଷ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ 2.2 ଲକ୍ଷଙ୍କ ଡାଏଲୋସିସ ଜାରି ରହିଛି ।
ଏହା ମଧ୍ୟ ପଢନ୍ତୁ: World Kidney Day: ଏହି ସବୁ ଅଭ୍ୟାସ କିଡନୀ ଉପରେ ପକାଏ କୁପ୍ରଭାବ
କିଡନୀର କାର୍ଯ୍ୟ: କିଡନୀ ଆମ ଶରୀରରେ ରକ୍ତ ଫିଲ୍ଟର କରିବା, ବର୍ଜ୍ୟବସ୍ତୁ ଏବଂ ଶରୀରରୁ ଅଧିକ ଜଳ ପରିସ୍ରା ଆକାରରେ ବାହାର କରିବା, ଲୋହିତ ରକ୍ତ କଣିକା ତିଆରି କରିବାରେ ଏବଂ ଶରୀରରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ସନ୍ତୁଳନ ବଜାୟ ରଖିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ ।
କ୍ରୋନିକ୍ କିଡନୀ ଡିଜିଜ୍(CKD) ହେଉଛି ଏକ ଅବସ୍ଥା ଯାହା କିଡନୀ କ୍ଷମତାକୁ ପ୍ରଭାବିତ କରିଥାଏ । ଯଦିଓ ଏହା ବୟସ୍କମାନଙ୍କଠାରେ ଅଧିକ ଦେଖାଯାଏ, ତଥାପି ଏହି ରୋଗ ପିଲାମାନଙ୍କୁ ମଧ୍ୟ ହୋଇପାରେ । କେତେକ ସାଧାରଣ ଲକ୍ଷଣ ମଧ୍ୟରେ କ୍ଳାନ୍ତି, ଭୋକ ନଷ୍ଟ, ହାତ ଏବଂ ପାଦର ଫୁଲା, ବାନ୍ତି, ସାଧାରଣ ଅପେକ୍ଷା ଅଧିକ କିମ୍ବା କମ୍ ପରିସ୍ରା କରିବା, ପରିସ୍ରାରେ ରକ୍ତ, ଉଚ୍ଚ ରକ୍ତଚାପ, ଶାରୀରିକ ଅଭିବୃଦ୍ଧି ନହେବା, ହାଡ଼ରେ ଯନ୍ତ୍ରଣା ଇତ୍ୟାଦି ଦେଖାଯାଏ ।