ଭୁବନେଶ୍ବର: ରାଜ୍ୟ କିମ୍ବା ଦେଶ ନୁହେଁ ସାରା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଛି କୁକୁର କାମୁଡ଼ା । କୁକୁର କାମୁଡ଼ିବା ଯଦିଓ ସାଧାରଣ କଥା ମାତ୍ର ବେଳ ଥାଉଥାଉ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । କାରଣ ଏହା ଜୀବନ ପାଇଁ ବିପଦ ହୋଇପାରେ । ଏମିତି କି କୁକୁର କାମୁଡ଼ିବା ଦ୍ବାରା ଜୀବନ ବି ଚାଲିଯାଇପାରେ । ତେବେ ଆସନ୍ତୁ ଜାଣିବା କୁକୁର କାମୁଡ଼ିଲେ କେଉଁ ରୋଗ ହୁଏ । ଏହାର ଲକ୍ଷଣ ଓ ପ୍ରତିକାର କ'ଣ ?
କୁକୁର କାମୁଡ଼ିଲେ କ'ଣ ହୁଏ ?
କୁକୁର କାମୁଡିବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ବି କୌଣସି ବ୍ୟକ୍ତିକୁ କୁକୁର କାମୁଡ଼ୁଛି ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ । ପାଗଳ କୁକୁର ବା ଜଳାନ୍ତକ ରୋଗ ହୋଇଥିବା କୁକୁର କୌଣସି ମନୁଷ୍ୟକୁ କାମୁଡିବା ଦ୍ବାରା ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । କୁକୁର ଦେହରେ ରାବିସ୍ ନାମକ ଏକ ଭୂତାଣୁ ଥାଏ । ଯଦି ଏହା ମନୁଷ୍ୟ ଦେହକୁ ସଂକ୍ରମଣ ହୁଏ ତେବେ ଜଳାନ୍ତକ ଭଳି ରୋଗ ହେବା ସହ ଜୀବନପ୍ରତି ବିପଦପୂର୍ଣ୍ଣ । ଏହି ରୋଗରେ ରୋଗୀର ମସ୍ତିଷ୍କ ଆକ୍ରାନ୍ତ ହୋଇପଡ଼େ । ରୋଗ ହେଲେ ମୃତ୍ୟୁ ପ୍ରାୟ ନିଶ୍ଚିତ ।
ଜଳାନ୍ତକ ରୋଗର ଲକ୍ଷଣ:-

- ପାଣି ଓ ନିଆଁକୁ ଦେଖିଲେ ଡରିବା
- ପାଣି ପିଇବାକୁ ଚେଷ୍ଟାକଲେ ତଣ୍ଟି ଓ ଛାତି ଚାପି ହୋଇଯିବା ଭଳି ଅନୁଭବ ହେବ
- ମାଂସପେଶୀ ଦୁର୍ବଳ କିମ୍ବା ଟାଣ ହୋଇଯିବା
- ରୋଗୀ ଅସ୍ତବ୍ୟସ୍ତ ହେବା କିମ୍ବା ବାଉଳି ଚାଉଳି ହେବା
- ପବନ ବାଜିଲେ ବାତ ମାରିବା
କୁକୁର କାମୁଡ଼ିଲେ ଉପଚାର:

ଯେକୌଣସି ପରିସ୍ଥିତିରେ କୁକୁର କାମୁଡ଼ିଲେ ଉକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଆବଶ୍ୟକ । ସେଠାରେ କୁକୁର କାମୁଡା ଟିକା ନେବା ଆବଶ୍ୟକ । ଯାହା ସଂପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଟିକା ଦିଆଯାଉଛି । ଏହା ସହ କୁକୁର କାମୁଡ଼ିଥିବା ସ୍ଥାନକୁ ଯଥାଶୀଘ୍ର ସାବୁନ ପାଣିରେ ଧୋଇଦେବା ଆବଶ୍ୟକ । ପ୍ରାୟ 20ସେକେଣ୍ଡ ଧରି ସାବୁନ ପାଣିରେ ଧୋଇବା ପରେ କୁକୁର ବିଷ ପ୍ରକ୍ରିୟା ସାଧାରଣତଃ କମିଯିବାର ସମ୍ଭାବନା ଅଧିକ ରହିଥାଏ । କୁକୁର କାମୁଡ଼ା ନେଇ ଅତିବେଶୀରେ 4ଟି ଡୋଜ ଟିକା ନେବା ଆବଶ୍ୟକ । ଏହାଦ୍ବାରା ଶରୀରରେ ପ୍ରତିରୋଧକ ଶକ୍ତି ବଢିବା ସହିତ ରାବିସ୍ ରୋଗ ବା ଜଳାନ୍ତକ ରୋଗ ନ ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ବଡ଼ କଥା ହେଉଛି ରୋଗୀଙ୍କ ପାଇଁ ଆଣ୍ଟି ରାବିଜ ଭ୍ୟାକ୍ସିନ (ଏଆରଭି) ଏବଂ ଆଣ୍ଟି ରାବିଜ୍ ସିରମ୍ (ଏଆରଏସ୍) ଟିକା ପ୍ରତ୍ୟେକ ହସ୍ପିଟାଲରେ ଉପଲବ୍ଧ ରହିଛି ।
କୁକୁର କାମୁଡିବା ନେଇ 3 ଶ୍ରେଣୀରେ ବିଭାଗ:
କୁକୁର କାମୁଡାକୁ ନେଇ 3ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମରେ ଯଦି କେବଳ କୁକୁର ରାମ୍ପୁଡି ଦେଇଛି କିନ୍ତୁ ରକ୍ତ ବାହାରି ନାହିଁ । ଦ୍ଵିତୀୟରେ ଯଦି କୁକୁରଟି ରାମ୍ପୁଡିବା ପରେ ରକ୍ତ ବାହାରିଲା ଏବଂ ତୃତୀୟରେ କୁକୁର କାମୁଡିବା ପରେ ରକ୍ତ ବାହାରୁଥିବ, କାମୁଡ଼ିଥିବା ଚାରିପାଖରେ ଲାଲ ହୋଇଯିବା ଓ ସେହି ସ୍ଥାନ ଅତ୍ୟାଧିକ ଭାବରେ ପୀଡା ମଧ୍ୟ ହେଉଥିବ । ତୁରନ୍ତ ହସ୍ପିଟାଲ ଆସି ମାଗଣାରେ ଟିକା ନେବା ଆବଶ୍ୟକ ।
ସ୍ଵାସ୍ଥ୍ୟ ବିଭାଗର ପ୍ରତିକ୍ରିୟା:-
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "କୁକୁରମାନଙ୍କୁ କିଭଳି ଭାବରେ କଣ୍ଟ୍ରୋଲ କରାଯିବ ତାହା ବିଶେଷ ଭାବରେ ଅର୍ବାନ ବିଭାଗର ଦାୟିତ୍ବ । କୁକୁର କାମୁଡ଼ିଲେ କିଭଳି ଭାବରେ ପ୍ରତିରୋଧକ ଟିକା ନେବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ଲୋକମାନଙ୍କୁ ସଚେତନତା କରାଯାଉଛି । ଏପରିକି ସମସ୍ତ ହସ୍ପିଟାଲକୁ ଟିକା ଯୋଗାଇ ଦିଆଯାଉଛି । ଲୋକଙ୍କୁ କିଭଳି ଭାବରେ ଟୀକାକରଣ କରାଯିବା ସହିତ ଚିକିତ୍ସା କରାଯିବ ସେନେଇ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ । ଯେମିତି ଅଧିକରୁ ଅଧିକ ଲୋକେ ସଚେତନତା ହେବେ ସେନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି ।"
କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା:-
କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଦିଲୀପ କୁମାର ପଣ୍ଡା କହିଛନ୍ତି, "ବର୍ଷା ଋତୁରେ ବିଶେଷ ଭାବରେ କୁକୁର କାମୁଡା ଅଧିକ ରହିଥାଏ । ଏନେଇ ହସ୍ପିଟାଲରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ଭାବରେ 110-120 ଜଣ କୁକୁର କାମୁଡ଼ାରେ ରୋଗୀ ଆସୁଛନ୍ତି । ଏବେ ଅଧିକ ରୋଗୀ ଆସୁଛନ୍ତି । କୁକୁର କାମୁଡା ସମେତ ମାଙ୍କଡ କାମୁଡ଼ା ରୋଗୀମାନେ ମଧ୍ୟ ଆସୁଛନ୍ତି । ସମସ୍ତଙ୍କୁ ସଠିକ ଚିକିତ୍ସା ଯୋଗାଇ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର