ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ଫଳ ଶରୀରକୁ ପୋଷଣ ଦେଇଥାଏ । ଡାକ୍ତର ଓ ପୋଷଣ ବିଶେଷଜ୍ଞ ପ୍ରତିଦିନ ଅତିକମରେ ଗୋଟିଏ କଦଳୀ ଖାଇବାକୁ ପରାମର୍ଶ ଦେଇଥାନ୍ତି । କଦଳୀ ଏମିତି ଏକ ଫଳ ଯାହା ବର୍ଷ ସାରା ବଜାରରେ ଉପଲବ୍ଧ ହୋଇଥାଏ । ଅନେକ ଲୋକ କଦଳୀ ଖାଇବାକୁ ପସନ୍ଦ କରନ୍ତି । ଏହି ଫଳ କେବଳ ସ୍ବାଦିଷ୍ଟ ନୁହେଁ ବରଂ ଦେହ ପାଇଁ ଭାରି ହିତକର । ଏଥିରେ ଫାଇବର, ଭିଟାମିନ ସି, ଭିଟାମିନ B6, ପ୍ରୋଟିନ, ପୋଟାସିୟମ, ମ୍ୟାଗ୍ନେସିମୟ, ମାଙ୍ଗାନିଜ ଆଦି ଭିଟାମିନ ଓ ମିନେରାଲ ରହିଛି ।
ବିଶେଷକରି ଏକ୍ସରସାଇଜ କିମ୍ବା ୱାର୍କଆଉଟ୍ କରିବା ପୂର୍ବରୁ କଦଳୀ ଖାଇବା ଶରୀର ପାଇଁ ଖୁବ୍ ଲାଭଦାୟକ । ଏହା ପ୍ରାକୃତିକ ଭାବେ ଶରୀରକୁ ଶକ୍ତି ଯୋଗାଏ । କଦଳୀ ଅନେକ ପୋଷକ ତତ୍ତ୍ବରେ ଭରପୂର । ଜାଣନ୍ତୁ ଏନେଇ କ'ଣ କୁହନ୍ତି ପୋଷଣ ବିଶେଷଜ୍ଞ...
ଏକ୍ସରସାଇଜ ପୂର୍ବରୁ କଦଳୀ ଖାଇବା ଉଚିତ୍ କି ?
କଦଳୀ କାର୍ବୋହାଇଡ୍ରେଟରେ ଭରପୂର: ପାଚିଲା କଦଳୀ କାର୍ବୋହାଇଡ୍ରେଟର ଏକ ଭଲ ଉତ୍ସ । ଏହା ବ୍ୟାୟାମ ସମୟରେ ଆମର ପ୍ରଦର୍ଶନ ଓ ମାଂସପେଶୀକୁ ମଜଭୁତ ରଖିବାରେ ସାହାଯ୍ୟ କରେ । 2018ରେ ଅକ୍ସଫୋର୍ଡ ଏକାଡେମିକର ଫୁଡ କ୍ବାଲିଟି ଆଣ୍ଡ ସେଫ୍ଟି ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, କଦଳୀରେ କାର୍ବୋହାଇଡ୍ରେଟରେ ଭରପୂର ଥାଏ । ଏହା ଶରୀରକୁ ଗ୍ଲୁକୋଜ ପ୍ରଦାନ କରେ । ଏକ୍ସରସାଇଜ ପାଇଁ ଗ୍ଲୁକୋଜ ବହୁତ ଜରୁରୀ ।
ପୋଟାସିୟମରେ ଭରପୂର: କଦଳୀରେ ପୋଟାସିୟମ ଭରପୂର ମାତ୍ରାରେ ଥାଏ । ତେଣୁ ୱାର୍କଆଉଟ ପରେ କଦଳୀ ଖାଇଲେ ଫାଇଦା ମିଳିପାରେ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିପାରେ ।
ହଜମ ପ୍ରକ୍ରିୟା ଠିକ୍ ରଖେ: ନିମୟିତ କଦଳୀ ଖାଇଲେ ହଜମ ପ୍ରକ୍ରିୟା ଠିକ୍ ରହେ । ପେଟ ପାଇଁ ବି ଭାରି ଲାଭଦାୟକ । ଏହା କୋଷ୍ଠକାଠିନ୍ୟ ଓ ପେଟ ସମସ୍ୟାରୁ ଆରାମ ଦିଏ । କଦଳୀରେ ଏମିନୋ ଏଡିସ ମାତ୍ରା ଅଧିକ ଥିବାରୁ ହରମୋନ ସ୍ତର ଠିକ୍ ରହେ । ଫଳରେ ମାନସିକ ଚାପ କମିଥାଏ । ସେହିପରି କଦଳୀରେ ଫାଇବର ଥାଏ । ଏହା ରକ୍ତ ପ୍ରବାହରେ ଚିନି ଅବଶୋଷଣକୁ ମନ୍ଥର କରିପାରେ । ଏଥିରେ କାର୍ବ ଅଧିକ ଓ ଫ୍ୟାଟ୍ କମ ଥିବାରୁ ସହଜରେ ହଜମ ହୋଇଥାଏ ।
ମାଂସପେଶୀ ରିକଭରିରେ ସହାୟତା କରେ: 2018ରେ ପ୍ଲୋସ ୱାନ ଜର୍ନାଲରେ ପ୍ରକାଶିତ ଏକ ଅଧ୍ୟୟନ ରିପୋର୍ଟ ଅନୁସାରେ, କଦଳୀ ଖାଇଲେ ୱାର୍କଆଉଟ ପରେ ମାଂସପେଶୀ ରିକଭରିରେ ସହାୟତା କରିଥାଏ । କଦଳୀରେ ଭିଟାମିନ B6 ଭରପୂର ଥାଏ ଯାହାକି ୱାର୍କଆଉଟ ପରେ ମାଂସପେଶୀ ପୁନଃନିର୍ମାଣରେ ସହାୟକ ।
ଫାଇବର, ଇଲୋକ୍ଟ୍ରୋଲାଇଟସ୍ ପ୍ରଦାନ କରେ: କଦଳୀରେ ଅଧିକ ପରିମାଣରେ ଫାଇବର ଥାଏ । ଏହା ବ୍ୟାୟାମ କରିବା ସମୟରେ ଏନର୍ଜିକୁ ଧୀର ଓ ସ୍ଥିର ଭାବରେ ରିଲିଜ କରିବାରେ ସାହାଯ୍ୟ କରେ । ଏଥିରେ ଥିବା ଇଲେକ୍ଟ୍ରୋଲାଇଟସ୍ ଶରୀରରେ ତରଳ ପଦାର୍ଥ ସନ୍ତୁଳନ ନିୟନ୍ତ୍ରିତ କରିବାରେ ଲାଭଦାୟକ ହୋଇଥାଏ । ବିଶେଷଜ୍ଞଙ୍କ କହିବା କଥା, ପାଚିଲା କଦଳୀ ଇଲେକ୍ଟ୍ରୋଲାଇଟସର ଅଭାବ ପୂରଣ କରେ ଯାହାକି ସାଧାରଣତଃ ଝାଳରେ ବୋହିଯାଏ । ଏହାଦ୍ବାରା ଶରୀରକୁ ଡିହାଇଡ୍ରେସନରୁ ରୋକାଯାଇପାରେ ।
ଦିନକୁ କେତୋଟି କଦଳୀ ଖାଇବେ ?
କଦଳୀ ସ୍ବାଦିଷ୍ଟ ସହ ପୋଷଣରେ ଭରପୂର ହୋଇଥିବାରୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଦିନକୁ ଗୋଟିଏ କିମ୍ବା ଦୁଇଟିରୁ ଅଧିକ କଦଳୀ ଖାଇବା ଅନୁଚିତ୍ । ଅଧିକ କଦଳୀ ଖାଇଲେ ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥାଏ । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବ୍ୟକ୍ତି ଅଧିକ କଦଳୀ ଖାଇବାରୁ ଦୂରେଇ ରୁହନ୍ତୁ ।
Ref- https://academic.oup.com/fqs/article/2/4/183/5164297?login=false
https://pmc.ncbi.nlm.nih.gov/articles/PMC3648706/
https://pmc.ncbi.nlm.nih.gov/articles/PMC5864065/#:~:text=Participants%20reported%20more%20fullness%20and,vomiting%20(data%20not%20shown)
ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ହୋଇପାରେ ଏଡସ୍, ଜାଣନ୍ତୁ କେମିତି ଏଥିରୁ ବଞ୍ଚିବେ ଏହା ମଧ୍ୟ ପଢନ୍ତୁ: କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି କି ? ଏହି ଭୁଲ ପଡିପାରେ ଭାରି |
(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)