ହାଇଦ୍ରାବାଦ: ଘରେ ବ୍ୟବହାର କରାଯାଉଥିବା ଅନେକ ଜିନିଷର ଏକ୍ସପାରି ଡେଟ (Expiry Date) ଥାଏ । ମାତ୍ର ଆମର ଅଜ୍ଞତା ବଶତଃ ଆମେ ଏହା ନ ଜାଣି ଜିନିଷଗୁଡିକୁ ବ୍ୟବହାର କରିଥାଉ । ଯାହା ଆମ ଆଜାଣତରେ ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଘରେ ବ୍ୟବହୃତ ଅନେକ ଜିନିଷର ଏକ୍ସପାରି ଡେଟ ବିଷୟରେ ଜଣିବା ଉଚିତ । ଯାହା ଦ୍ବାରା ଆପଣ ନିଜ ଅଜାଣତରେ ଭୋଗିବାକୁ ଥିବା ଅନେକ ସମସ୍ୟାରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଜିନିଷଗୁଡ଼ିକ କ’ଣ ଏବଂ ଏହାକୁ କେତେଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବା ତାହା ଜାଣିବା ।
ଟୁଥ୍ ବ୍ରଶ୍:
ବ୍ରଶ୍ କରିବାରୁ ହିଁ ସକାଳର ରୁଟିନ୍ ଆରମ୍ଭ ହୋଇଥାଏ । ଅନେକ ଲୋକ ଅନେକ ଦିନ ଧରି ସେମାନଙ୍କର ଟୁଥ୍ ବ୍ରଶ୍ ବ୍ୟବହାର କରନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥିବା ବ୍ରଶକୁ ଅନେକ ଦିନ ଧରି ବ୍ୟବହାର କରିବା ଦ୍ବାରା ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ପ୍ରତି 3 ମାସରେ ଥରେ ଟୁଥ୍ ବ୍ରଶ୍ ବଦଳାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ବାସନ ସଫା ସ୍ପଞ୍ଜ:
ବାସନ ସଫା କରିବା ପାଇଁ ଏକ ସ୍ପଞ୍ଜ କିମ୍ବା ସ୍କ୍ରବର ବ୍ୟବହାର କରାଯାଏ । ଅନେକ ଲୋକ ଏହି ସ୍ପଞ୍ଜକୁ ସେ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି ଯେପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ନଷ୍ଟ ନହୋଇଯାଇଛି । ଏହା କରିବା ଦ୍ବାରା ସ୍କ୍ରବରରେ ବ୍ୟାକ୍ଟେରିଆ ବଢ଼ିଥାନ୍ତି । ଏହି ବ୍ୟାକ୍ଟେରିଆ ବାସନକୁସନ ମାଧ୍ୟମରେ ଶରୀରକୁ ପ୍ରବେଶ କରି ରୋଗ ସୃଷ୍ଟି କରନ୍ତି । ତେଣୁ ପ୍ରତି 2 ମାସରେ ଥରେ ସ୍ପଞ୍ଜ କିମ୍ବା ସ୍କ୍ରବରକୁ ବଦଳାଇବା ଉଚିତ ।
ତକିଆ: ଆରାମ ନିଦ୍ରା ପାଇଁ ଲୋକେ ତକିଆ ବ୍ୟବହାର କରିଥାନ୍ତି । ଅନେକ ଲୋକ କେବଳ ତକିଆର ଉପର କଭର ସଫା କରନ୍ତି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ତକିଆକୁ ଦୀର୍ଘ ସମୟ ଧରି ବ୍ୟବହାର କରିବା ଦ୍ବାରା ଏଥିରେ ଧୂଳି ଏବଂ ମଇଳା ଜମା ହୋଇଯାଏ । ଏହାସହ ଏଥରେ ବ୍ୟାକ୍ଟେରିଆ ବଢ଼ିବାକୁ ଲାଗିଥାଏ । ଯାହାକୁ ବ୍ୟବହାର କରିବା ଦ୍ବାରା କେଶ ଝଡିବା ଏବଂ ମୁହଁରେ ବ୍ରଣ ଭଳି ସମସ୍ୟା ସୃଷ୍ଟି କରେ । ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ନୁହେଁ । ତକିଆକୁ କିଛି ଦିନ ବ୍ୟବଧାନରେ ଖରାରେ ରଖିବା ଉଚିତ । ଦେଢବର୍ଷ ପରେ ତକିଆକୁ ବଦଳାଇବା ଦରକାର । 2017ରେ ଜର୍ନାଲ୍ ଅଫ୍ ଡର୍ମାଟୋଲୋଜିରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ତକିଆରେ ଜମା ହୋଇଥିବା ବ୍ୟାକ୍ଟେରିଆ ଏବଂ ଫଙ୍ଗି ଚର୍ମଜନୀତ ସଂକ୍ରମଣର କାରଣ ହୋଇପାରେ ।
ପାନିଆ:
ତେବେ ପାନିଆର ଏକ୍ସପାରି ଡେଟ କହିବା କଷ୍ଟକର । କାରଣ ଏହାର ଏକ୍ସପାରି ଡେଟ ଏହାର ବ୍ୟବହାର ଉପରେ ନିର୍ଭର କରେ । କିନ୍ତୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଦୀର୍ଘ ସମୟ ଧରି ଗୋଟିଏ ପାନିଆକୁ ବ୍ୟବହାର କରିବା ଏବଂ ଏହାକୁ ସଫା ନକରି ବ୍ୟବହାର କରିବା ଦ୍ବାରା ତ୍ବଚା ଉପରେ ପ୍ରଭାବ ପକାଇବା ସହ ଫଙ୍ଗଲ୍ ସଂକ୍ରମଣରୁ କେଶ ଝଡିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
ମେକ୍ଅପ୍ ବ୍ରଶ୍: ଅନେକ ମହିଳା ଦୀର୍ଘ ଦିନ ଧରି ଗୋଟିଏ ମେକଅପ୍ ବ୍ରଶ୍ ବ୍ୟବହାର କରନ୍ତି । ଏହା କରିବା ଦ୍ବାରା ଚର୍ମଜନୀତ ସମସ୍ୟା ଏବଂ ସଂକ୍ରମଣ ହେବା ସହିତ ଆଖି ଏବଂ ସ୍ବାସ୍ଥ୍ୟ ପାଇଁ କ୍ଷତି ପହଞ୍ଚାଇଥାଏ । ତେଣୁ ବିଶେଷଜ୍ଞଙ୍କ କହିବା ଅନୁସାରେ, ମେକଅପ୍ ବ୍ରଶକୁ ଅଧିକ ସମୟ ବ୍ୟବହାର କରନ୍ତୁ ନାହିଁ । ଏହାକୁ ଅନ୍ୟମାନଙ୍କୁ ମଧ୍ୟ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ଏହି ମେକ୍ଅପ୍ ବ୍ରଶକୁ ପ୍ରତି 3ରୁ 5 ମାସ ମଧ୍ୟରେ ପରିବର୍ତ୍ତନ କରିବା ଉଚିତ ।
2013ରେ ଜର୍ଣ୍ଣାଲ ଅଫ୍ ଡର୍ମାଟୋଲୋଜିକାଲ ସାଇନ୍ସରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ବହୁଦିନ ଧରି ବ୍ୟବହାର ହୋଇଥିବା ତକିଆରେ ବ୍ୟାକ୍ଟେରିଆ ଏବଂ କବକ ବୃଦ୍ଧି କାରଣରୁ କେଶ ଝଡିଥାଏ । ଇରାନର ତେହେରାନ ମେଡିକାଲ ସାଇନ୍ସ ବିଶ୍ବବିଦ୍ୟାଳୟର ଚର୍ମରୋଗ ବିଭାଗର ପ୍ରଫେସର ଡ. ଆମୀର ଶାହି ଏହି ଅନୁସନ୍ଧାନରେ ଅଂଶଗ୍ରହଣ କରିଥିଲେ । ସେ କହିଛନ୍ତି ଯେ, ଏକ ଅପରିଷ୍କାର ତକିଆରେ ଡର୍ମାଟୋଫାଇଟ୍ ନାମକ ଅନେକ କବକ ଥାଆନ୍ତି, ଯାହା ଫଙ୍ଗାଲ୍ ସଂକ୍ରମଣର କାରଣ ହୋଇଥାଏ ।
ଏହି ୱେବସାଇଟରେ ଆପଣଙ୍କୁ ଦିଆଯାଇଥିବା ସମସ୍ତ ସ୍ୱାସ୍ଥ୍ୟ ସୂଚନା, ଡାକ୍ତରୀ ଟିପ୍ସ ଏବଂ ପରାମର୍ଶ କେବଳ ଆପଣଙ୍କ ସୂଚନା ପାଇଁ । ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଉପରେ ଆଧାର କରି ଆମେ ଏହି ସୂଚନା ପ୍ରଦାନ କରୁଛୁ ।