ହାଇଦ୍ରାବାଦ: ଆଜି ଫେବୃଆରୀ ୬, ୨୦୨୪ ରେ ସଙ୍ଗୀତ ଦୁନିଆର ଲୋକପ୍ରିୟ କୋକିଳକଣ୍ଠୀଙ୍କ ବିୟୋଗକୁ ଆଜି ଦୁଇ ବର୍ଷ ବିତିଛି । ୨୦୨୨ ମସିହାରେ ଆଜିର ଦିନରେ ଲତାଜୀଙ୍କର ଦେହାନ୍ତ ହୋଇଥିଲା । ଲତାଜୀଙ୍କ ଦେହାନ୍ତରେ ସମଗ୍ର ଦେଶ ସ୍ତବ୍ଧ ହୋଇଥିଲା । ତେବେ ଆଜି ବି ଲତାଜୀଙ୍କୁ ଝରୁଛନ୍ତି ଦେଶବାସୀ । ତେବେ ଏହି ଅବସରରେ କୋକିଳକଣ୍ଠୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତୀୟ ଗାୟକ ତଥା ସଂଗୀତକାର ଅଧିକାର ସଂଘ (ISAMRA) ଏକ ସଙ୍ଗୀତମୟ ବୈଠକର ଆୟୋଜନ କରିଛି । ଯେଉଁଥିରେ ସଙ୍ଗୀତ ସହ ଜଡିତ ଦେଶର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏଥିସହ ରାଜନେତା ତଥା ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ISAMRAର ସିଇଓ ସଂଜୟ ଟଣ୍ଡନଙ୍କ କହିବା ଅନୁସାରେ, 'ଏହା ଗାୟକ ଏବଂ ସଂଗୀତଜ୍ଞମାନଙ୍କର ଏକ ବଡ଼ ପରିବାର । ସୁରସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଆମେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛୁ । ଆମେ ଏକ ପରିବାର ପରି ଏକତ୍ରିତ ହୋଇ ସ୍ବର୍ଗତ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବୁ, ଆମେ ତାଙ୍କୁ ସମ୍ମାନ ଜଣାଇବୁ ଏବଂ ତାଙ୍କ ଅବଦାନକୁ ପୁଣି ମନେ ପକାଇବୁ ।'
ଏହି କାର୍ଯ୍ୟକ୍ରମରେ ଲତାଜୀଙ୍କର ଭଉଣୀ ତଥା ଭେଟେରାନ ଗାୟକ ଆଶା ଭୋସଲେ ଏବଂ ଉଷା ମଙ୍ଗେସକର ମଧ୍ୟ ଯୋଗଦେବେ । ଏତିସହ ଏହି କାର୍ଯ୍ୟକ୍ରମରେ ଦେଶର ବହୁ ଭେଟେରାନ୍ ଗାୟକ ଏବଂ ସଂଗୀତଜ୍ଞ ଉଦିତ ନାରାୟଣ, ଅଲକା ୟାଗନିକ୍, ସୁରେଶ ୱାଡେକର, କୁନାଲ ଗଣଜେୱାଲା, ଶୈଳେନ୍ଦ୍ର ସିଂ, ଅନୁ ମଲିକ, ରିଚା ଶର୍ମା, ସାଧନା ସରଗାମ, ଜସପିନ୍ଦର ନରୁଲା ଏବଂ ମଧୁଶ୍ରୀ, ଶାଲ ଭରଦ୍ବାଜ ଏବଂ ହିମେଶ ରେଶମିଆ ସମେତ ଅନେକ ସଙ୍ଗୀତକାର ଯୋଗ ଦେଇ ଲତା ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ଏହା ମଧ୍ୟ ପଢନ୍ତୁ: କୋକିଳକଣ୍ଠୀଙ୍କୁ ଝୁରୁଛି ଦେଶ, ମନେ ପକାଇଲେ ପ୍ରଧାନମନ୍ତ୍ରୀ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ ଲତାଜୀଙ୍କ ଏକ୍ସରେ ଏକ ପୋଷ୍ଟ ସେୟାର କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଏକ୍ସରେ ଲତାଜୀଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେପଟେ କଣ୍ଠଶିଳ୍ପୀ ଶ୍ରେୟା ଘୋସଲା ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଲତାଜୀଙ୍କ ଏକ ଲୋକପ୍ରିୟ ଗୀତ 'ଲଗା ଜା ଗଲେ' ଗାଉଥିବାର ନଜର ଆସିଛନ୍ତି । ସେ ଏହି ଗୀତ ସେୟାର କରି ଲତା ଜୀଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।