ହାଇଦ୍ରାବାଦ: ଅଡୁଆରେ ଛନ୍ଦି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ । ସେ ଜଣେ ବୃଦ୍ଧାଙ୍କୁ କାରରେ ଧକ୍କା ଦେବା ଏବଂ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କୁହାଯାଉଥିଲା ଯେ ରବୀନା ମଦ୍ୟପାନ କରି ମହିଳା ଏବଂ ତାଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଫଳରେ ରବୀନାଙ୍କୁ ଲୋକେ ଟ୍ରୋଲ କରୁଥିବା ବେଳେ ମୁମ୍ବାଇ ପୋଲିସ କିନ୍ତୁ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି । ଘଟଣାର ସିସିଟିଭି ଆଧାରରେ ଘଟଣାର ସତ୍ୟାସତ୍ୟ ପ୍ରକାଶ କରିବା ସହ ଅଭିନେତ୍ରୀଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛି । ସେପଟେ ଘଟଣାକୁ ନେଇ ବର୍ତ୍ତମାନ ବଲିଉଡ କୁଇନ କଙ୍ଗନା ରାଣାୱତ ରବୀନାଙ୍କୁ ସମର୍ଥନ କରିଛନ୍ତି ।
ରବୀନା ଟଣ୍ଡନଙ୍କ କାର୍ ଧକ୍କା ଓ ମାରପିଟ ଅଭିଯୋଗ; ମୁମ୍ୱାଇ ପୋଲିସର ଖୁଲାସା
ଘଟଣା ନେଇ ମୁମ୍ବାଇ ପୋଲିସ କହିଛି ଯେ କିଛି ଲୋକ ମଦ୍ୟପାନ କରୁଥିବା ସମୟରେ ରବୀନା ଟଣ୍ଡନ ଏବଂ ତାଙ୍କ ଡ୍ରାଇଭରଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ପରେ ଯେତେବେଳେ ପୋଲିସ ଅନୁସନ୍ଧାନ ବେଳେ ସିସିଟିଭି ଫୁଟେଜ ଦେଖିଥିଲା ସେତେବେଳେ ସେମାନେ ସତ୍ୟ ଜାଣିବାକୁ ପାଇଥିଲେ । ମାମଲା ଆକ୍ରମଣର ସ୍ତରରେ ପହଞ୍ଚି ନାହିଁ । ଉଭୟଙ୍କ ମଧ୍ୟରେ କେବଳ ଯୁକ୍ତିତର୍କ ହୋଇଥିଲା । ପୋଲିସ ଆହୁରି କହିଛି ଯେ, ଆମେ କୌଣସି ଦଳରୁ କୌଣସି ଲିଖିତ ଅଭିଯୋଗ ଗ୍ରହଣ କରିନାହୁଁ। ଏହି କାରଣରୁ କୌଣସି ମାମଲା ରୁଜୁ କରାଯାଇନାହିଁ, କାହାରି କିଛି କ୍ଷତି ହୋଇନାହିଁ ।
କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା
ରବୀନା ଟଣ୍ଡନଙ୍କ ଏହି ଘଟଣାକୁ ନେଇ କଙ୍ଗନା ରାଣାୱତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଅଭିନେତ୍ରୀଙ୍କୁ ସମର୍ଥନ କରିଛନ୍ତି । କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, "ରବୀନା ଟଣ୍ଡନ ଜିଙ୍କ ସହ ଯାହା ଘଟିଛି ତାହା ଅତ୍ୟନ୍ତ ଚିନ୍ତାଜନକ ଅଟେ । ଯଦି ବିରୋଧୀ ଦଳରେ ୫ ରୁ ୬ ଜଣ ଲୋକ ଥାଆନ୍ତେ, ସେମାନଙ୍କୁ ମାଡ ଦିଆଯାଇଥାନ୍ତା । ଏପରି ଘଟଣାକୁ ନିନ୍ଦା କରିବା ଉଚିତ୍। ସେହି ଲୋକଙ୍କୁ ଏପରି ହିଂସାତ୍ମକ ଏବଂ ଏପରି ଖରାପ ଆଚରଣରୁ ନିବୃତ ହେବା ଉଚିତ ।"
ପୁରା ଘଟଣା କ'ଣ?
ରିପୋର୍ଟ ଅନୁଯାୟୀ, ଶନିବାର ରାତିରେ ରବୀନା ଟଣ୍ଡନ୍ ଏବଂ ତାଙ୍କ ଡ୍ରାଇଭର ବାନ୍ଦ୍ରାସ୍ଥିତ କିଛି ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ଯୁକ୍ତିତର୍କ ରବୀନାଙ୍କ ଘର ବାହାରେ କାର ପାର୍କିଂକୁ ନେଇ ହୋଇଥିଲା । ପାର୍କିଂ ସମୟରେ ରବୀନାଙ୍କ କାର୍ କିଛି ମହିଳାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ପରେ ଏହି ଯୁକ୍ତିତର୍କ ହୋଇଥିଲା । ଯେଉଁଥିରେ ମହିଳା ଜଣକ ଅଭିନେତ୍ରୀଙ୍କୁ ମଦ୍ୟପାନ କରି ଗାଡି ଚଳାଇଥିବା ଅଭିଯୋଗ ବି କରିଥିଲେ । ଏହି ଘଟଣା ମୁମ୍ବାଇର କାର୍ଟର ରୋଡରେ ଥିବା ରିଜଭି କଲେଜ ନିକଟରେ ଘଟିଥିଲା । ଯାହା ପରେ ମୁମ୍ୱାଇ ପୋଲିସ ଖୁଲାସା କରିଛି । ପୋଲିସ କହିଛି ଯେ ରବୀନା ମଦ୍ୟପାନ କରିନଥିଲେ। ଉଭୟ ପକ୍ଷ ଏହି ଘଟଣା ନେଇ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବୀନା
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ