ଭବାନୀପାଟଣା: ଦୀର୍ଘ ୪୬ ବର୍ଷ ପରେ କଳାହାଣ୍ଡିର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସମର୍ପଣ' ପ୍ରଦର୍ଶିତ ହୋଇଛି । କଳାହାଣ୍ଡିଆ ଅସ୍ମିତାର ସ୍ବର୍ଣ୍ଣାଭ ସ୍ବାକ୍ଷର ହେଉଛି ୧୯୭୮ ମସିହାରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ‘ସମର୍ପଣ’ । କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍ରେ ଆୟୋଜିତ ଏହି ଚଳଚ୍ଚିତ୍ରର ପୁନଃ ପ୍ରଦର୍ଶନ କରାଯାଇଥିବା ବେଳେ ଏହି ଫିଲ୍ମ ଦେଖିବାକୁ ସିନେ ପ୍ରେମୀଙ୍କ ଭିଡ଼ ଜମିଥିଲା । ତିନୋଟି ଯାକ ଶୋ' ହାଉସଫୁଲ ହୋଇଥିବା ବେଳେ ସ୍ମୃତି ତାଜା ହୋଇଥିବା ନେଇ ପ୍ରକାଶ କରିଛନ୍ତି ସିନେ ପ୍ରେମୀ ଓ କଳାହାଣ୍ଡି ବାସୀ ଏବଂ ଉପସ୍ଥିତ ଅତିଥି ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ 'ସମର୍ପଣ' ଫିଲ୍ମର ସହ-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର
କଳାହାଣ୍ଡି ବ୍ରାହ୍ମଣ ସମାଜ ପକ୍ଷରୁ ଆୟୋଜିତ ଏହି ଚଳଚ୍ଚିତ୍ରର ପୁନଃ ପ୍ରଦର୍ଶନ କାର୍ଯ୍ୟକ୍ରମରେ କଳାହାଣ୍ଡି ବ୍ରାହ୍ମଣ ସମାଜ ସଭାପତି ତଥା ‘ସମର୍ପଣ’ର ଅଭିନେତା ଜଗନ୍ନାଥ ମୁଣ୍ଡ, ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ଗୀତିକାର ନାରାୟଣ ପ୍ରସାଦ ପଟ୍ଟନାୟକ, ଅଭିନେତା ଭୂପିନ୍ଦର ସିଂହ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ଓ ସମାଜସେବୀ ପ୍ରମୋଦ ଖମାରୀ ଅତିଥି ଭାବରେ ଯୋଗ ଦେଇଥିଲେ ।
ଖୁସିବ୍ୟକ୍ତ କଲେ ସବ୍ୟସାଚୀ ମହାପାତ୍ର
ଯେତେବେଳେ ଏହିଭଳି ରହସ୍ୟଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଳ୍ପନାତୀତ ଥିଲା ସେତେବେଳେ କଳାହାଣ୍ଡିର ଲେଖକ, ନିର୍ଦ୍ଦେଶକ, ଅଭିନେତା, ଗୀତିକାର ଓ କଣ୍ଠଶିଳ୍ପୀମାନଙ୍କୁ ନେଇ‘ସମର୍ପଣ’କୁ ଭେଟି ଦେଇଥିଲେ ବିଶିଷ୍ଟ ଲେଖକ ଓ ନିର୍ଦ୍ଦେଶକ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ । ସେହି ସମୟରେ ଏହି ଫିଲ୍ମରେ ସହ ନିର୍ଦ୍ଦେଶକ ଭାବେ ନିଜ ଓଲିଉଡ କ୍ୟାରିଅର ଆରମ୍ଭ କରିଥିଲେ ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ସେ ଏହି ଫିଲ୍ମ ପୁଣି ପ୍ରଦର୍ଶିତ ହୋଇଥିବା ଦେଖି ବେଶ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ''ଏକ ଭିନ୍ନଧରଣର ଓଡ଼ିଆ ଚଳଚ୍ଚିତ୍ର ‘ସମର୍ପଣ’ରେ ସହକାରୀ ନିର୍ଦ୍ଦେଶକ ଭାବରେ ମୋର ଚଳଚ୍ଚିତ୍ର ଜୀବନର ଆରମ୍ଭ ଓ ଏହି ଚଳଚ୍ଚିତ୍ର ସିନେମା ଜଗତରେ ଏକ ସ୍ବତନ୍ତ୍ର ଧାରା ସୃଷ୍ଟି କରିଥିଲା । ଆଜି ମୁଁ ଏହାର ପୁନଃ ସ୍କ୍ରିନିଂରେ ଏତେ ବର୍ଷ ପରେ ସାମିଲ ହୋଇଥିବାରୁ ବେଶ ଖୁସି ଅନୁଭବ କରୁଛି ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର ।
ଆଗାମୀ ଦିନରେ ଭୁବନେଶ୍ୱରରେ ହେବ ‘ସମର୍ପଣ’ର ସ୍କ୍ରିନିଂ
ଏହି ଅବସରରେ ଫିଲ୍ମର ସହ ନିର୍ଦ୍ଦେଶକ ତଥା ଜଣାଶୁଣା ନିର୍ମାତା ସବ୍ୟସାଚୀ ମହାପାତ୍ର କହିଛନ୍ତି ଯେ, ଏହି ଫିଲ୍ମ ଦେଖିବାକୁ କଳାହାଣ୍ଡିରେ ଲୋକଙ୍କ ଭିଡ଼ ଜମିଥିଲା । ଏହା ଆଜି ପୁଣି ପୁରୁଣା ସ୍ମୃତି ତାଜା କରିଥିବା ବେଳେ ଆଗାମୀ ଦିନରେ ଆମେ ସମଗ୍ର ଓଡ଼ିଶାର ଦର୍ଶକଙ୍କୁ ଦେଖାଇବୁ । ଭୁବନେଶ୍ୱରରେ ଖୁବଶୀଘ୍ର ଫିଲ୍ମ ପୁଣି ପ୍ରଦର୍ଶିତ କରିବୁ ବୋଲି ଆଶା କରୁଛୁ ।
ଏହା ମଧ୍ୟ ପଢନ୍ତୁ: କାନ୍ସରେ ଓଡ଼ିଶାର ଜଲୱା, ଇଣ୍ଡିଆ ପାଭିଲିଅନ୍ରେ ପ୍ରଦର୍ଶିତ ହେଲା ଓଡ଼ିଆ ସର୍ଟ ଫିଲ୍ମ ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’
ଏହି କଳାକାରଙ୍କୁ କରାଗଲା ସମ୍ମାନିତ
‘ସମର୍ପଣ’ ଚଳଚ୍ଚିତ୍ରର ସ୍କ୍ରିନିଂରେ ସଂପୃକ୍ତ ଲେଖକ ତଥା ନିର୍ଦ୍ଦେଶକ ସ୍ଵର୍ଗତ ପ୍ରଫୁଲ୍ଲ ରଥ, ପ୍ରଯୋଜକ ସ୍ବର୍ଗତ ରାସ ବିହାରୀ ପଣ୍ଡାଙ୍କ ସମେତ ୨୩ ଜଣ ଦିବଙ୍ଗତ କଳାକାରଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ରର ଅଭିନେତା, ଗୀତିକାର, କଣ୍ଠଶିଳ୍ପୀ ଓ ପ୍ରଡକ୍ସସନରେ ସଂପୃକ୍ତ ୨୨ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଚଳଚ୍ଚିତ୍ରକୁ ପୁନରୁଦ୍ଧାର ଓ ଡିଜିଟାଲାଇଜେସନ କରିଥିବା କଳାହାଣ୍ଡିର ଯୁବ ପ୍ରତିଭା ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିଜେତା ଅମରେନ୍ଦ୍ର ମହାପାତ୍ରଙ୍କୁ ସ୍ବତନ୍ତ୍ର ଭାବେ ସମ୍ବଦ୍ଧିତ କରାଯାଇଥିଲା । ତିନୋଟି ଯାକ ଶୋ’ରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
କଳାହାଣ୍ଡି, ଇଟିଭି ଭାରତ