ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଠକାମିର ଶିକାର ହୋଇଛନ୍ତି । କାର ଡିଜାଇନ ଦିଲୀପ ଛାବରିଆଙ୍କ ତାଙ୍କ ସହ ଠକାମି କରିଥିବା ଅଭିଯୋଗ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କ ଦ୍ବାରସ୍ଥ ହୋଇଛନ୍ତି । ହାସ୍ୟ ଅଭିନେତା ଅଭିଯୋଗ କରିଛନ୍ତି ଯେ ସେ ଦିଲୀପଙ୍କୁ ଏକ ଭ୍ୟାନିଟି ଭ୍ୟାନ୍ ଅର୍ଡର କରିଥିଲେ, ଯାହାକୁ ସେ ଦେଇନାହାନ୍ତି ଏବଂ ଏହି ଗାଡି ପାଇଁ ନେଇଥିବା ଟଙ୍କା ମଧ୍ୟ ଫେରସ୍ତ କରିନାହାନ୍ତି । କପିଲ ଶର୍ମା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗାଡ଼ି ଡେଲିଭରି ନକରି ଓଲଟି ବେଆଇନ ଉପାୟରେ ତାଙ୍କ ଠାରୁ ଦିଲୀପ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲେ ।
ମନି ଲଣ୍ଡରିଂ ମାମଲାରେ ଦିଲୀପଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର ଅଂଶ ଭାବରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପ୍ରାଧିକୃତ ପ୍ରତିନିଧୀ ମହମ୍ମଦ ହମିଦଙ୍କ ବିବୃତ୍ତିକୁ ଇଡି ରେକର୍ଡ କରିଛି । ବୁଧବାର ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ଦିଲୀପଙ୍କ ବିରୋଧରେ ହୋଇଥିବା ଏହି ମାମଲାର ଶୁଣାଣି କରିଥିଲେ ଏବଂ ଏହି ଘଟଣାରେ ଛାବ୍ରିଆ ଏବଂ ଅନ୍ୟ ୬ ଅଭିଯୁକ୍ତଙ୍କୁ ସମନ ଜାରି କରିଥିଲେ । ତେବେ ୨୬ ଫେବୃଆରୀରେ ପୁଣି ଏମାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁରା ମାମଲା କ'ଣ?
ଏହି ମାମଲା ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ତିନିଟି ଏଫଆଇଆର ଉପରେ ଆଧାରିତ, ଯେଉଁଥିରେ କପିଲ ଶର୍ମାଙ୍କ ଦ୍ୱାରା ଦାଖଲ ହୋଇଥିବା ଠକେଇ ମାମଲା ମଧ୍ୟ ଅନ୍ତର୍ଭୁକ୍ତ । ବିବୃତ୍ତିରେ କପିଲ ଶର୍ମାଙ୍କ ପ୍ରତିନିଧୀ କହିଛନ୍ତି ଯେ K9 ପ୍ରଡକ୍ସନ୍ସର ମାଲିକ ଶର୍ମା ଏକ ଭ୍ୟାନିଟି ଭ୍ୟାନ କିଣିବା ପାଇଁ ଡିସେମ୍ବର ୨୦୧୬ରେ ଦିଲୀପଙ୍କ ନିକଟକୁ ଯାଇଥିଲେ । ପରବର୍ତ୍ତୀ ସମୟରେ, ମାର୍ଚ୍ଚ ୨୦୧୭ରେ, K9 ପ୍ରଡକ୍ସନ୍ସ ଏବଂ ଦିଲୀପ ଡିଜାଇନ୍ ପ୍ରାଇଭେଟ ଲିମିଟେଡ୍ (DCDPL) ମଧ୍ୟରେ ୪.୫ କୋଟି ଟଙ୍କା ଏକ ଭ୍ୟାନିଟି ଭ୍ୟାନ ଡେଲିଭରି ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା ।
ଏହା ମଧ୍ୟ ପଢନ୍ତୁ: ଆଇନ ଫାଶରେ କମେଡି କିଙ୍ଗ କପିଲ ଶର୍ମା
ବିବୃତ୍ତିରେ କୁହାଯାଇଛି ଯେ ସମାଧାନ ସର୍ତ୍ତ ଅନୁଯାୟୀ କପିଲ ଶର୍ମାଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ୫.୩୧ କୋଟି ଟଙ୍କା (ଟ୍ୟାକ୍ସ ସମେତ) ପ୍ରଦାନ କରାଯାଇଛି । ହମିଦ୍ କହିଛନ୍ତି ଯେ ଡିସିଡିପିଏଲ କପିଲ ଶର୍ମାଙ୍କୁ ଭ୍ୟାନିଟି ଭ୍ୟାନ୍ ଦେଇନାହିଁ କିମ୍ବା ଟଙ୍କା ଫେରସ୍ତ କରିନାହିଁ । ଏପରିକି ଗାଡି ଡେଲିଭରିରେ ବିଳମ୍ବ ପାଇଁ କପିଲ ଶର୍ମାଙ୍କୁ ଦାୟୀ କରି ଅଧିକ ଟଙ୍କା ଦାବି କରିଛନ୍ତି ଦିଲୀପ ବୋଲି ସେ ବିବୃତ୍ତିରେ ଦର୍ଶାଇଛନ୍ତି । ଠକାମିର ଶିକାର ହୋଇଥିବା ଜାଣି ଶର୍ମା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏବଂ ଏଥିପାଇଁ ଲେ ଏପ୍ରିଲ ୧୮, ୨୦୧୯ରେ କାର ଡିଜାଇନର୍ ଫାର୍ମକୁ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ପଠାଇଥିବା ମଧ୍ୟ ଅଭିନେତାଙ୍କ ପ୍ରତିନିଧି ବିବୃତ୍ତିରେ କହିଛନ୍ତି ।