ହାଇଦ୍ରାବାଦ: ବୋଟ୍ (BoAt) ୟୁଜର୍ସ ହୋଇଯାଆନ୍ତୁ ସାବଧାନ ! ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥାଇପାରେ । ପାଖାପାଖି 75 ଲକ୍ଷ 50 ହଜାରରୁ ଅଧିକ ବୋଟ ଗ୍ରାହକଙ୍କ ଡାଟା ଲିକ୍ କରାଯାଇଥିବା ବେଳେ ଏହାକୁ ଡାର୍କ ଓ୍ବେବ(Dark Web)ରେ ବିକ୍ରି କରାଯାଇଛି । ଏଭଳି ଏକ ସାଂଘାତିକ ତଥ୍ୟ ଫୋର୍ବସ ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଇଛି । ଜଣେ ହ୍ୟାକର ଏହି ଡାଟା ଲିକ କରିଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି ।
ଫୋର୍ବସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପ୍ରିଲ 5 ତାରିଖ ଦିନ ସୋଫିଫାଏ ଗଏ (Shopify GUY) ନାମକ ଜଣେ ହ୍ୟାକର ଅଡ଼ିଓ ପ୍ରୋଟେକ୍ଟ ଓ ସ୍ମାର୍ଟଫୋନ ମେକର କମ୍ପାନୀ ବୋଟ (BoAt) ଲାଇଫଷ୍ଟାଇଲର ୟୁଜର୍ସମାନଙ୍କ ଗୋପନୀୟତା ସୁରକ୍ଷାକୁ ଭାଙ୍ଗି ଡାଟା ହ୍ୟାକ କରିଥିବା ଦାବି କରିଛି । ସେଗୁଡିକ ଡାର୍କ ଓ୍ବେବରେ ବିକ୍ରି କରାଯାଇଛି । ଏନେଇ ଫୋର୍ବସ ଇଣ୍ଡିଆ ପକ୍ଷରୁ ଯାଞ୍ଚ କରାଯାଇଥିବା ନେଇ ମଧ୍ୟ କୁହାଯାଇଛି ।
ରିପୋର୍ଟରେ ଆଉ ମଧ୍ୟ ପ୍ରକାଶ ପାଇଛି ଯେ, ବୋଟ୍ ୟୁଜର୍ସଙ୍କ ନାଁ, ଠିକଣା, କଞ୍ଜୁମର ଆଇଡି, କଣ୍ଟାକ୍ଟ ନମ୍ବର, ଇମେଲ ଆଇଡି ସମେତ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ହ୍ୟାକ ହୋଇଛି । ତେବେ ଏହାଦ୍ୱାରା ହ୍ୟାକର ୟୁଜର୍ସମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଯାଇପାରେ । ଫଳରେ ୟୁଜର୍ସଙ୍କୁ ଠକେଇର ସାମ୍ନା କରିବାକୁ ପଡିପାରେ ।
ଏହାମଧ୍ୟ ପଢନ୍ତୁ.. ଜିଓ-ଏୟାରଟେଲ ୟୁଜର୍ସଙ୍କୁ ଲାଗିପାରେ ବଡ ଝଟ୍କା, ବନ୍ଦ ହେବ ମାଗଣା 5G ଇଣ୍ଟରନେଟ ସେବା !
ଏନେଇ ସିକ୍ୟୁରିଟି ବ୍ରିଗେଡର ଜଣେ ବିଶେଷଜ୍ଞ କହିଛନ୍ତି ଯେ, କିଛି ଫୋରମରେ ଆଠଟି କ୍ରେଡିଟ୍ ପାଇଁ ତଥ୍ୟ ଉପଲବ୍ଧ ଅଛି । ଡାଟା କିଣିବା ପାଇଁ ଦୁଇ ୟୁରୋ ଖର୍ଚ୍ଚ ହୋଇଥାଏ, ତେଣୁ ଏହା ସମ୍ଭବ ଯେ କିଛି ଦିନ ମଧ୍ୟରେ ଏହା ଟେଲିଗ୍ରାମରେ ମାଗଣାରେ ଉପଲବ୍ଧ ହୋଇପାରେ । ଏହାଦ୍ୱାରା ଅନେକ ସ୍କାମ ହୋଇପାରେ ।
ଅନ୍ୟପଟେ ଏନେଇ ବୋଟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । କମ୍ପାନୀ ମୁଖପାତ୍ର କହିଛନ୍ତି ଯେ, ଏହି ଡାଟା ଲିକ ନେଇ କମ୍ପାନୀ ଅବଗତ ଅଛି । ଏନେଇ ତଦନ୍ତ ଆରମ୍ଭ ହୋଇଯାଇଛି । ଗ୍ରାହକମାନଙ୍କୁ କମ୍ପାନୀ ପକ୍ଷରୁ ଆଶ୍ୱାସନା ଦିଆଯାଉଛି ଯେ ସେମାନଙ୍କର ତଥ୍ୟକୁ ସୁରକ୍ଷିତ ରଖିବା କମ୍ପାନୀର ସର୍ବୋଚ୍ଚ ପ୍ରାଥମିକତା ଅଟେ, ତୁରନ୍ତ ଏହି ସମସ୍ୟାର ସମାଧାନ କରାଯିବ ।
ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଅପରାଧ । ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବା ଦ୍ୱାରା ସେମାନଙ୍କୁ ଠକେଇ, ମାନହାନୀ ଆଦିର ସାମ୍ନାକୁ କରିବାକୁ ପଡୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ