ହାଇଦ୍ରାବାଦ: ଭାରତୀୟ ଗଣମାଧ୍ୟମରେ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି ରାଜନେତା, ଫିଲ୍ମ ଷ୍ଟାର ଏବଂ କ୍ରିକେଟର । ହେଲେ ଏମିତି କିଛି ବ୍ୟକ୍ତିତ୍ବ ଅଛନ୍ତି ଯିଏକି ଏସବୁ କ୍ଷେତ୍ରର ନହୋଇ ମଧ୍ୟ ଚଳିତ ବର୍ଷ ୨୦୨୪ରେ ଚର୍ଚ୍ଚାରେ ରହିଥିଲେ । ୨୦୨୪ରେ ଦେଶରେ କିଏ ଏହି ଚର୍ଚ୍ଚିତ ଚେହେରା ? ସେମାନଙ୍କ ଚର୍ଚ୍ଚାର କାରଣ କଣ ? ଏବଂ କେଉଁ ଘଟଣା ପାଇଁ ଚର୍ଚ୍ଚାର ସିରୋନମା ପାଲଟି ଥିଲେ ଆସନ୍ତୁ ଜାଣିବା ?
ଡି ୱାଇ ଚନ୍ଦ୍ରଚୂଡ:
ଅବସର ନେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ । ଯୁବ ଆଇନଜୀବୀଙ୍କ ପାଇଁ ପ୍ରେରଣା ଥିଲେ ଚନ୍ଦ୍ରଚୂଡ଼ । ସେଥିପାଇଁ ଯୁବ ଆଇନଜୀବୀମାନେ ଚନ୍ଦ୍ରଚୂଡଙ୍କୁ 'ରକଷ୍ଟାର CJI' ଭାବେ ସମ୍ବୋଧନ କରୁଥିଲେ । ସେହିପରି ଗଣମାଧ୍ୟମ ପାଇଁ ମଧ୍ୟ ପ୍ରିୟର ପାତ୍ର ସେ ।
ଶକ୍ତିକାନ୍ତ ଦାସ:
ଭାରତୀୟ ରିଜର୍ଭ ବ୍ୟାଙ୍କ RBI ଗଭର୍ଣ୍ଣର ଥିବା ଓଡି଼ଆ ପୁଅ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କେନ୍ଦ୍ର ରାଜସ୍ୱ ସଚିବ ଦାୟିତ୍ୱରେ ଥିବା ସଞ୍ଜୟ ମଲହୋତ୍ରାଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତ ପ୍ରଦାନ କରିଛି କେନ୍ଦ୍ର । ନିଜ କାର୍ଯ୍ୟକାଳରେ ଶ୍ରେଷ୍ଠ ଗଭର୍ଣ୍ଣର ଭାବେ ସମ୍ମାନିତ ହୋଇ ଚର୍ଚ୍ଚାରେ ରହିଥିଲେ ଶକ୍ତିକାନ୍ତ । ସେ ଲଗାତର ଦୁଇଟି ଟର୍ମ ପ୍ରଥମେ ୨୦୧୮ରୁ ୨୦୨୧ ଏବଂ ପରେ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ RBI ଗଭର୍ଣ୍ଣର ଦାୟିତ୍ବ ସଫଳତାର ସହ ତୁଲାଇଥିଲେ । ଡିସେମ୍ବର ୧୦ ତାରିଖରେ ସରିଥିଲା ତାଙ୍କ ଦ୍ବିତୀୟ ଟର୍ମର କାର୍ଯ୍ୟକାଳ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘର ଓଡ଼ିଶାରେ । 1957 ମସିହା ଫେବୃଆରୀ 26ର ଭୁବନେଶ୍ବରଠାରେ ତାଙ୍କର ଜନ୍ମ । ସେ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ଶକ୍ତିକାନ୍ତ 1980 ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଜଣେ ଅର୍ଥନୀତିଜ୍ଞ ହୋଇନଥିଲେ ମଧ୍ୟ ପ୍ରଶାସକରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଖ୍ୟ ପଦ ଅଳଙ୍କୃତ କରିଛନ୍ତି । 2014ରୁ 2015 ପର୍ଯ୍ୟନ୍ତ ସେ ରେଭିନ୍ୟୁ ସେକ୍ରେଟାରୀ ମଧ୍ୟ ରହିଥିଲେ । ଗ୍ଲୋବାଲ ଫାଇନାନ୍ସ ମାଗାଜିନ ଦ୍ବାରା 1994 ମସିହାରୁ ଏହି ବାର୍ଷିକ ରିପୋର୍ଟ ପ୍ରକାଶିତ ହୋଇ ଆସୁଛି। ଏଥିରେ ୟୁରୋପୀୟ ୟୁନିଅନ, ଇଷ୍ଟର୍ଣ୍ଣ କାରିବିଅନ ସେଣ୍ଟ୍ରାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ସେଣ୍ଟ୍ରାଲ ଆଫ୍ରିକାନ ଷ୍ଟେଟ୍ସ ସମେତ 101 ଦେଶର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟମାନଙ୍କୁ ସ୍ଥାନିତ କରାଯାଇଥାଏ ।
୨୦୨୪ରେ ଚର୍ଚ୍ଚିତ ନେତା:
ଆନ୍ଧପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ :
ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି (ଟିଡିପି)କୁ ଗତ ବିଧାନସଭା ନିର୍ବାଚନରେ ମିଳିଛି ବଡ଼ ସଫଳତା । ବିରାଟ ବିଜୟ ହାସଲ କରି ଏନ. ଚନ୍ଦ୍ରବାବୁ ନାଇଡୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ସହ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି । ସେ କେନ୍ଦ୍ର ସରକାରରେ କିଙ୍ଗମେକର ଭୂମିକାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର:
ଲୋକସଭା ନିର୍ବାଚନ ପରେ ଚନ୍ଦ୍ରବାବୁଙ୍କ ପରେ ନୀତିଶ କୁମାର ମଧ୍ୟ କିଙ୍ଗମେକର ଭୂମିକାକୁ ନେଇ ଚର୍ଚ୍ଚାରେ । କାରଣ ଏମାନଙ୍କ ସମର୍ଥନ ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଢିବାରେ ସଫଳ ହୋଇପାରିଛି । ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ନୀତିଶ କୁମାର ପୁଣି ଥରେ ଦେଶର ରାଜନୀତିରେ ଖବରରେ ଅଛନ୍ତି ।
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ :
ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ନିଜର ସଫଳତା ପାଇଁ ଚର୍ଚ୍ଚାରେ ଥିଲେ । ସେହିପରି ପ୍ରିୟଙ୍କା ଗାନ୍ଧୀ କେରଳ ୱାୟନାଡ ଉପନିର୍ବାଚନରେ ସାଂସଦ ହୋଇ ଚର୍ଚ୍ଚାରେ ରହିଥିଲେ । କେରଳ ୱାୟନାଡ ସଂସଦୀୟ କ୍ଷେତ୍ରରୁ ଉପ-ନିର୍ବାଚନରେ ବଡ ବ୍ୟବଧାନରେ ବିଜୟୀ ହୋଇ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି କଂଗ୍ରେସର ଚର୍ଚ୍ଚିତ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।
ଦେବେନ୍ଦ୍ର ଫଡନାଭିସ୍, ଶରଦ ପାୱାର, ଉଦ୍ଧବ ଠାକରେ, ଅଜିତ ପାୱାର ଏବଂ ଏକନାଥ ସିନ୍ଦେ:
ମହାରାଷ୍ଟ୍ରର ଏହି ହାଇପ୍ରୋଫାଇଲ ରାଜନେତାମାନେ ମହାରାଷ୍ଟ୍ର ବିଧାନସଭା ଏବଂ ଲୋକସଭା ନିର୍ବାଚନକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଥିଲେ ।
ପ୍ରଶାନ୍ତ କିଶୋର:
ନିଜର ରାଜନୈତିକ ସମୀକରଣ ଆକଳନକୁ ନେଇ ଚର୍ଚ୍ଚାରେ ରହିଥିଲେ ବିଶିଷ୍ଟ ରାଜନୀତି ବିଶ୍ଳେଷକ ପ୍ରଶାନ୍ତ କିଶୋର । ସେ ପ୍ରାୟତଃ ପିକେ(PK) ନାଁରେ ବେଶ ଜଣାଶୁଣା । ସେ ଗତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (BJP)ର ବଡ଼ ବିଜୟ ନେଇ ପୂର୍ବାନୁମାନ କରିଥିଲେ ।
ମୋହନ ମାଝୀ:
ଓଡ଼ିଶାରେ ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନ ନେଇଛନ୍ତି ମୋହନ ମାଝୀ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ବାଜିମାତ କରିଥିବାବେଳେ ନୂଆ ମୁଖ୍ୟମନ୍ତ୍ରୀ ହୋଇ ଚର୍ଚ୍ଚାରେ ରହିଛନ୍ତି ମୋହନ । ଚଳିତ ଥରକୁ ମିଶାଇ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ମୋହନ । ରାଜ୍ୟରେ ବହୁମତ ପାଇ ବିଜେପି ସରକାର ଗଢିବାକୁ ଯେତେବେଳେ ପ୍ରସ୍ତୁତ ହେଉଥିଲା ସେହି ସମୟରେ ଅନେକ ନାଁ ଚର୍ଚ୍ଚାରେ ଥିଲା । ହେଲେ ଚର୍ଚ୍ଚାର ତାଲିକାରେ ନଥିବା ମୋହନ ଅଚାନକ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଆଉ ଓଡ଼ିଶାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
ଲକ୍ଷ୍ମଣ ବାଗ:
୨୦୨୪ ସାଧାରଣ ନିର୍ବାଚନରେ ଓଡିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ । ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଥମ ଥର ପରାଜୟ ବରଣ କଲେ । ପାରମ୍ପିରକ ଆସନ ହିଞ୍ଜିଳିକାଟୁରେ ଜିତିଥିଲେ ମଧ୍ୟ କଣ୍ଟାବାଞ୍ଜି ଆସନରେ ନବୀନଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଥିଲା । ଆଉ ନବୀନଙ୍କୁ ହରାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ବିଜେପି ନେତା ଲକ୍ଷ୍ମଣ ବାଗ ।
ଅଖିଳେଶ ଯାଦବ:
ବହୁଜନ ସମାଜ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉତଥାନ ଏଥର ଚର୍ଚ୍ଚାରେ ରହିଥିଲା । ଭାରତର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶରେ ସବୁଠାରୁ ବଡ଼ ଦଳ ଭାବେ ଉଦୀୟମାନ ହୋଇଛି ସମାଜବାଦୀ ପାର୍ଟି । ତେଣୁ ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପାଇଁ ଚର୍ଚ୍ଚାରେ ରହିଥିଲେ ଅଖିଳେଶ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା:
୨୦୨୪ ମସିହାରେ ଜମି ଦୁର୍ନୀତି ମାମଲାରେ ଚର୍ଚ୍ଚାରେ ଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ମୈସୁରୁ ନଗର ଉନ୍ନୟନ କର୍ତ୍ତୃପକ୍ଷ (MUDA) ଜମି ଦୁର୍ନୀତି ନେଇ ଅଭିଯୋଗ ରହିଥିଲା ।
କର୍ଣାଟକ ମନ୍ତ୍ରୀ ଏମବି ପାଟିଲ:
କର୍ଣ୍ଣାଟକର MSME ମନ୍ତ୍ରୀ ଏମବି ପାଟିଲ । ସେ ଏକ ବୟାନ ଦେଇ ବିବାଦକୁ ଆସିଥିଲେ । ବାଙ୍ଗାଲୋରର ଭିତ୍ତିଭୂମି ଉପରେ କହିଥିଲେ, ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ଯୋଗୁଁ ବାଙ୍ଗାଲୋରର ଭିତ୍ତିଭୂମି ଉପରେ ଚାପ ପଡୁଛି । ଶିକ୍ଷା ଏବଂ ନିଯୁକ୍ତି ସନ୍ଧାନରେ ଲୋକ ଉତ୍ତରପ୍ରଦେଶ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ,ଓଡ଼ିଶା ତେଲେଙ୍ଗାନା ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥାନ୍ତି । ଏହି ବୟାନ ବିଶେଷକରି ଉତ୍ତର ଭାରତର ବ୍ୟକ୍ତିବିଶେଷ ଏବଂ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ:
କୋଲକାତା ଆରଜି କର ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ବିରୋଧ ତେଜିଥିଲା । ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଯାହାକୁ ନେଇ ଚର୍ଚ୍ଚାକୁ ପଶ୍ଚିମବଙ୍ଗ TMC ସରକାର । ଏତେ ବଡ଼ ଘଟଣା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବର୍ଷିଥିଲେ ବିରୋଧୀ । ଏହି ଘଟଣାକୁ ନେଇ ୨୦୨୪ ଶେଷ ଭାଗରେ ଚର୍ଚ୍ଚାରେ ରହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ:
ଯୋଗୀ ଆଦିତ୍ୟନାଥ 'ବଟେଙ୍ଗେ ତୋ କଟେଙ୍ଗେ' ସ୍ଲୋଗାନ ଦେଇ ବେଶ ଚର୍ଚ୍ଚାରେ ରହିଥିଲେ । ବିରୋଧୀ ଏହି ସ୍ଲୋଗାନ ଉପରେ ଆପତ୍ତି ଉଠାଇଥିଲେ । ଅନ୍ୟପଟେ ସମର୍ଥକମାନେ ସଭା ସମିତିରେ ଏହି ସ୍ଲୋଗାନ ବ୍ୟବହାର କରୁଥିଲେ । ସୋସିଆଲ ମିଡିଆ ସାଇଟ୍ ଟ୍ବିଟର(X) ରେ ଏହା ଟ୍ରେଣ୍ଡ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ଜେପି ନଡ୍ଡା:
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆରଏସଏସ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ଖବରରେ ଥିଲେ । ସେ କହିଥିଲେ, "ଯେତେବେଳେ ଦଳକୁ RSSର ଆବଶ୍ୟକତା ଥିଲା ସେତେବେଳେଠାରୁ ଦଳ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ସକ୍ଷମ ହେବା ସହ ନିଜ କାର୍ଯ୍ୟ ନିଜେ ଚଳାଇଛି ।
ଚମ୍ପାଇ ସୋରେନ:
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଷଢେଇକଳା ବିଧାୟକ ଚମ୍ପାଇ ସୋରେନ । ହେମନ୍ତ ବାହାରକୁ ଆସିବା ପରେ ପୁଣି ଥରେ ସେ କ୍ଷମତାକୁ ଫେରି ଆସିଲେ । ସେହି ସମୟରେ ଚମ୍ପାଇ ସୋରେନଙ୍କୁ ଇସ୍ତଫା ଦେବାକୁ ପଡିଥିଲା ଏବଂ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ । ହେଲେ ଏହା ପରେ ବଦଳିଥିଲା ଝାଡଖଣ୍ଡ ରାଜନୀତି ପାଣିପାଗ । ସେବେଠାରୁ ଚମ୍ପାଇ ସୋରେନଙ୍କ ବିଦ୍ରୋହୀ ଭାବେ ଖବର ଶିରୋନାମାରେ ଥିଲେ । ଏପରିକି ସେ ପରବର୍ତ୍ତୀ ସମୟରେ ବିଜେପିରେ ଯୋଗଦାନ କରି ପୁଣି ଥରେ ନିର୍ବାଚିତ ହୋଇଛନ୍ତି ।
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ:
୮.୫ ଏକର ଜମି ଦୁର୍ନୀତି ମାମଲାରେ ଇଡି ଦ୍ବାରା ଗିରଫ ହୋଇ ଖବରରେ ରହିଥିଲେ ହେମନ୍ତ । ଜେଲରୁ ଫେରି ବିଧାନସଭା ନିର୍ବାଚନ ଲଢ଼ି ବାଜିମାତ କରିବା ସହ ପୁଣି ଥରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ।
କଳ୍ପନା ସୋରେନ:
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫଦାରୀ ପରେ ଚର୍ଚ୍ଚାକୁ ଆସିଥିଲେ ସ୍ତ୍ରୀ କଳ୍ପନା ସୋରେନ । ଯିଏ କି ଜଣେ ଓଡିଆ ଝିଅ ମଧ୍ୟ । ଝାଡ଼ଖଣ୍ଡରେ ନିର୍ବାଚନୀ ପ୍ରଚାରର ଗୁରୁ ଦାୟିତ୍ବ ନେଇଥିଲେ କଳ୍ପନା ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍:
ବିବାଦୀୟ ବୟାନ ପାଇଁ ଷ୍ଟାଲିନ୍ ଚର୍ଚ୍ଚାରେ ଥିଲେ । ତାମିଲନାଡୁରେ ସୀମା ନିର୍ଦ୍ଧାରଣର ସମ୍ଭାବ୍ୟ ପ୍ରଭାବ ଉପରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ଷ୍ଟାଲିନ କହିଥଲେ, "ଦମ୍ପତିମାନେ ଅଧିକ ସନ୍ତାନ ଜନ୍ମ କରିବେ।"
ପଞ୍ଜାବ ବିଜେପି ସଭାପତି ରଭନୀତ ବିଟ୍ଟୁ:
ରଭନୀତ ବିଟ୍ଟୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଥିଲେ। ବିଟ୍ଟୁ ରାହୁଲଙ୍କୁ 'ନମ୍ବର-1 ଆତଙ୍କବାଦୀ' ବୋଲି କହିଥିଲେ । ଯେଉଁଥିପାଇଁ କଂଗ୍ରେସ ଏହି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲା ।
ଅରବିନ୍ଦ କେଜ୍ରିୱାଲ ଓ ଆତିଶୀ:
ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାର୍ଚ୍ଚ 2024 ରେ ଗିରଫ ହେବା ପରେ ପ୍ରାୟ ୬ ମାସ ଜେଲରେ ରହିବା ପରେ ମୁକୁଳିଥିଲେ । ଲୋକସଭା ନିର୍ବାଚନ ସମୟରେ ତାଙ୍କୁ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଧ୍ୟ ମିଳିଥିଲା । କିନ୍ତୁ ତା'ପରେ ତାଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପଡିଥିଲା । ପରେ ଯଦିଓ କେଜ୍ରିୱାଲ ଜେଲରୁ ଫେରିଛନ୍ତି, ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଆତିଶୀ ।
ମନୀଷ ସିସୋଦିଆ:
2024ରେ ମଦ ଦୁର୍ନୀତି ପାଇଁ ଆମ ଆଦମୀ ପାର୍ଟିର ଦୁଇ ନମ୍ବର ନେତା ମନୀଷ ସିସୋଦିଆ ଚର୍ଚ୍ଚାରେ ଥିଲେ । ୧୭ ମାସ ଜେଲରେ ରହିବା ପରେ, ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସୁପ୍ରିମକୋର୍ଟ ୧୦ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ ।
"ବଲିଉଡର ଚର୍ଚ୍ଚିତ ଚେହେରା"
କଙ୍ଗନା ରଣାୱତ: ବଲିଉଡ ଷ୍ଟାର ତଥା ମଣ୍ଡି ଲୋକସଭା ସାଂସଦ କଙ୍ଗନା ରଣାୱତଙ୍କୁ ଚଣ୍ଡୀଗଡ ବିମାନବନ୍ଦରରେ ଚାପୁଡା ମାରିଥିଲେ ମହିଳା ସୁରକ୍ଷାକର୍ମୀ । ଯାହାକୁ ନେଇ ଲଗାତାର କିଛି ଦିନ ଚର୍ଚ୍ଚାରେ ରହିଥିଲେ କଙ୍ଗନା । 2024 ଲୋକସଭା ନିର୍ବାଚନରେ ହିମାଚଳ ପ୍ରଦେଶରୁ ବିଜେପି ଟିକେଟରେ ସାଂସଦ ନିର୍ବାଚିତ ହୋଇ ପ୍ରଥମ ଥର ସଂସଦକୁ ଯାଇଛନ୍ତି ।
ସଲମାନ ଖାନ ଓ ଲରେନ୍ସ ବିଷ୍ଣୋଇ: ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ମଧ୍ୟରେ ବିବାଦ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ଲଗାତାର ଧମକ ମିଳୁଥିଲା । ହେଲେ ଏହି ମାମଲା ଏବେ ଘନେଇବାରେ ଲାଗିଥିବାବେଳେ ଲଗାତାର ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ ଓ ଗ୍ୟାଙ୍ଗ ପକ୍ଷରୁ ଧମକ ମିଳୁଥିବା ଅଭିଯୋଗ ହୋଇଆସୁଛି ।
ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା : ବିଗ ବି ଅମିତାଭ ବଚ୍ଚନଙ୍କ ପୁଅ-ବୋହୂ ଅଭିଷେକ ବଚ୍ଚନ ଏବଂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ଛାଡପତ୍ର ଦେବେ ହୋଇପାରେ ବୋଲି ଚର୍ଚ୍ଚା ହୋଇଆସୁଥିଲେ । ହେଲେ ଏହା ଗୁଜବ ବୋଲି ବଚ୍ଚନ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ସେପରି କିଛି ହୋଇନାହିଁ ।
୨୦୨୪ରେ ଚର୍ଚ୍ଚିତ ଅଫିସର :
ପୂଜା ଖେଡ଼କର: ମହାରାଷ୍ଟ୍ରର ଟ୍ରେନି IAS ଅଫିସର ପୂଜା ବାରମ୍ବାର ଖବରରେ ରହୁଥିଲେ । ଗୋଟିଏ ମାସ ମଧ୍ୟରେ ସେ ତାଙ୍କର ଚାକିରି ହରାଇଲେ । ମହାରାଷ୍ଟ୍ର ପୁଣେରେ ତାଲିମ ନେଉଥିବା IAS ପୂଜା ଖେଡକରଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଥିଲା । ସେ ନକଲି ପ୍ରମାଣପତ୍ର ଆଧାରରେ UPSC ପରୀକ୍ଷା ଦେଇଥିବା ଅଭିଯୋଗ ହୋଇଥିଲା ।
ଭିକେ ପାଣ୍ଡିଆନ: ଏକଦା ବିଜେଡିର କ୍ଷମତାକେନ୍ଦ୍ର ଭାବେ ଜଣାଶୁଣା ଭିକେ ପାଣ୍ଡିଆନ IAS ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ । ବର୍ଷ ସାରା ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଥିଲେ ପାଣ୍ଡିଆନ । ହେଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ପରାଜୟର ସ୍ବାଦ ଚାଖିବାକୁ ପଡିଲା । ବିଜେଡିର ପରାଜୟ ପରେ ନିଜର କଥା ରଖି ରାଜନୀତିରୁ ସନ୍ୟାସ ନେଲେ ପାଣ୍ଡିଆନ ।
୨୪ରେ ଚାମ୍ପିୟନ:
ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ ସାଜିଛନ୍ତି ବିଶ୍ବ ବିଜେତା । ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି । ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ବିଶ୍ବ ବିଜେତା ସାଜି ଚର୍ଚ୍ଚାରେ ରହିଛନ୍ତି ଗୁକେଶ ।
ଜୟ ଶାହ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)ର ସଚିବ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC)ର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ଗ୍ରେଗ୍ ବାର୍କଲେଙ୍କ ସ୍ଥାନରେ 36 ବର୍ଷୀୟ ଜୟ ଶାହ ICCର ସବୁଠାରୁ ଯୁବ ଅଧ୍ୟକ୍ଷ ହୋଇଛନ୍ତି ।
ରୋହିତ ଶର୍ମା: ରୋହିତ ଶର୍ମା 50ଟି ଟି-20 ମ୍ୟାଚ୍ ଜିତିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି । ରୋହିତଙ୍କ ନେତୃତ୍ବରେ ଭାରତ ଗୋଟିଏ ବି ମ୍ୟାଚ୍ ପରାସ୍ତ ନହୋଇ ଟି-20 ବିଶ୍ବକପ୍ ଜିତିବାରେ ପ୍ରଥମ ଦଳ ହୋଇଛି ।
ମନୁ ଭାକର: ୨୦୨୪ ପାଇଁ 'ୱିମେନ ଅଫ୍ କ ଇୟର' ସମ୍ମାନରେ ସମ୍ମାନିତ ହୋଇଛନ୍ତି ମନୁ । ଗୋଟିଏ ସଂସ୍କରଣ ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ଅଲିମ୍ପିକ ପଦକ ଜିତି ପ୍ରଥମ ଭାରତୀୟ ମହିଳା ଭାବରେ ଇତିହାସ ରଚିଛନ୍ତି ସେ ।
ନୀରଜ ଚୋପ୍ରା: ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ନୀରଜ ଚୋପ୍ରା ଫାଇନାଲରେ ପ୍ରବେଶ କରିଥିଲେ । ଅଳ୍ପକେ ଚମ୍ପିଆନ ହେବାରୁ ବଞ୍ଚିତ ହୋଇଥିଲେ । ନୀରଜ ଚୋପ୍ରା ଓ ପିଟରସନଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ନୀରଜ ପ୍ରଥମ ପ୍ରୟାସରେ 86.82 ମିଟର ଜାଭେଲିନ ଥ୍ରୋ କରିଥିଲେ । ଦ୍ବିତୀୟରେ 83.49, ତୃତୀୟରେ 87.86 ମିଟର ଜାଭେଲିନ ଥ୍ରୋ କରିଥିଲେ ।
ମାନ ସିଂ: ଏସୀୟ ମାରାଥନ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିତିବାରେ ମାନ ସିଂହ ଦ୍ବିତୀୟ ଭାରତୀୟ ପୁରୁଷ ହୋଇଛନ୍ତି ।
ଧାର୍ମିକ ଗୁରୁ:
ଧୀରେନ୍ଦ୍ର ଶାସ୍ତ୍ରୀ: ବାଗେଶ୍ବର ଧାମ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ୨୦୨୪ରେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଛନ୍ତି । 'ମୌଲା ଅଲି'କୁ ନେଇ ବିବାଦୀୟ ବୟାନ ଦେଇ କ୍ଷମା ମାଗିଥିଲେ ଧୀରେନ୍ଦ୍ର ।
ଚର୍ଚ୍ଚିତ ବ୍ୟବସାୟୀ:
ଗୌତମ ଆଦାନୀ: USରେ ଲାଞ୍ଚ ଓ ଠକେଇ ନେଇ ଆଦାନୀ ଗ୍ରୁମ ମୁଖ୍ୟ ଗୌତମ ଆଦାନୀଙ୍କ ନାଁରେ ମାମଲା ରୁଜୁ ସହ ଗିରଫ ପରୱାନା ଜାରି ହୋଇଥିଲା ।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟ: ବହୁ ଆଡମ୍ବରରେ ହୋଇଥିବା ବିବାହ ଉତ୍ସବକୁ ଚର୍ଚ୍ଚାରେ ଥିଲେ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଅନନ୍ତ ଅମ୍ବାନୀ । ତେବେ ଅନନ୍ତ-ରାଧିକାଙ୍କ ବିବାହ ୫ ମାସ ଧରି ଚାଲିଥିଲା । ଦେଶ ବିଦେଶରୁ ବହୁ ହାଇପ୍ରୋଫାଇଲ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ...ଆକାଶରେ ଦ୍ବିତୀୟ ଜହ୍ନଠୁ କାଠ ସାଟେଲାଇଟ ଲଞ୍ଚ୍ ପର୍ଯ୍ୟନ୍ତ; ବିଦାୟୀ ବର୍ଷ ଫର୍ଦ୍ଦରେ ମହାକାଶ ବିଜ୍ଞାନ
ଏହା ବି ପଢନ୍ତୁ...ପାଣି ପରି ଲାଗିଥିଲା ଟଙ୍କା, ବକ୍ସ ଅଫିସରେ ଚାଲିଲାନି ଯାଦୁ