କୋଲକାତା: ଖେଳ ଖେଳରେ ଚାଲିଗଲା ନିରୀହ ଜୀବନ । ବଲ୍ ଭାବି ଏକ ଅଫୁଟା ବୋମାକୁ ଗୋଇଠା ମାରିଥିଲା 11 ବର୍ଷର ନାବାଳକ । ବୋମା ବିସ୍ଫୋରଣ ପରେ ପିଲାଟିର ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । ସେପଟେ ଏହି ଘଟଣାରେ 2 ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଆଜି (ସୋମବାର) ପଶ୍ଚିମବଙ୍ଗ ପାଣ୍ଡୁଆ ସହରରେ ଘଟିଛି । ମୃତକ ଜଣକ ଖରା ଛୁଟିରେ ମାମୁଁ ଘରକୁ ଆସିଥିଲା । ଆଜି ଅଭିଷେକ ବାନାର୍ଜୀଙ୍କ ପାଣ୍ଡୁଆ ଗସ୍ତ ପୂର୍ବରୁ ଏହି ବିସ୍ଫୋରଣ ହୋଇଛି ।
ପାଣ୍ଡୁଆ ସହରର ନେତାଜି ପାଲ୍ଲୀ ନିକଟରେ ସକାଳ 8ଟାରେ ଏଭଳି ଅଘଟଣ ଘଟିଥିଲା । ସ୍ଥାନୀୟ ଲୋକଙ୍କ କହିବାନୁସାରେ, କିଛି ପିଲା ରାସ୍ତାରେ ଖେଳୁଥିଲେ । ମୃତ୍ୟୁବରଣ କରିଥିବା ପିଲାଟି ଭୁଲରେ ବୋମାକୁ ବଲ୍ ଭାବି ଗୋଡ଼ରେ କିଛି ଦୂରକୁ ଫିଙ୍ଗିବାକୁ ଉଦ୍ୟମ କରିଥିଲା । ସେ ଯେପରି ବୋମାକୁ ଗୋଇଠା ମାଗିଥିଲା, ଏହା ପରେ ବିସ୍ଫୋରଣ ଘଟିଥିଲା । ତାକୁ ଗୁରୁତର ଅବସ୍ଥାରେ ପାଣ୍ଡୁଆ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଯେତେବେଳେ ତାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା, ତାକୁ ଛୁଞ୍ଚୁରା ଇମାମ୍ବରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ମାମୁଁ ଘରକୁ ଆସିଥିଲା ମୃତକ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା ନାବାଳକ । ମୃତକର ପରିଚୟ 11 ବର୍ଷୀୟ ରାଜ ବିଶ୍ବାସ ବୋଲି ଜଣାପଡ଼ିଛି । ସେ ବୁରଦ୍ବାନ ପଲ୍ଲା ରୋଡ ଅଞ୍ଚଳର ଅଧିବାସୀ ହୋଇଥିବା ବେଳେ ଖରା ଛୁଟି ପାଇଁ ମାମୁଁ ଘରକୁ ଆସିଥିଲା । ସେପଟେ ରୁପମ ବଲ୍ଲଭ (13) ଓ ସୌରଭ ଚୌଧୁରୀ (13) ମଧ୍ୟ ଆହତ ହୋଇଛନ୍ତି । ଉଭୟ ଟିନ୍ନା ଉଚ୍ଚ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ।
ଏହା ବି ପଢନ୍ତୁ- WB Panchayat Election: ରକ୍ତରଞ୍ଜିତ ପଞ୍ଚାୟତ ଲଢେଇ, ଫୁଟିଲା ବୋମା ଜଳିଲା ବାଲାଟ ବକ୍ସ
ଏହି ଘଟଣାରେ ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ ଟିଏମସି ଦାୟୀ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ଟିଏମସି ନିର୍ବାଚନ ହାରିବା ଭୟରେ ଏପରି ଆତ୍ମଘାତୀ ଉପାୟ ଚୟନ କରୁଛି । ସୂଚନା ଥାଉ କି ଟିଏମସିର ସେକେଣ୍ଡ-ଇନ- କମାଣ୍ଡ ଅଭିଷେକ ବାନାର୍ଜୀ ପାଣ୍ଡୁଆକୁ ନିର୍ବାଚନୀ ପ୍ରଚାରରେ ଆସିବାର କିଛି ସମୟ ପୂର୍ବରୁ ଏହି ଅଘଟଣ ଘଟିଛି । ଅନ୍ୟପଟେ ଗତ ଏପ୍ରିଲ 30 ତାରିଖରେ ମୁର୍ଶିଦାବାଦର ବେଲଦଙ୍ଗାରେ ମଧ୍ୟ ସମାନ ଧରଣର ଏକ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ