ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ବାଣିଜ୍ୟ ବିଭାଗ ଏବଂ ଡୋମିନିକ ଗଣରାଜ୍ୟର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟରେ ଯୁଗ୍ମ ଆର୍ଥିକ ଏବଂ ବାଣିଜ୍ୟ କମିଟିର ସ୍ଥାପନା ସମ୍ପର୍କିତ ଏକ ପ୍ରୋଟୋକଲ ଉପରେ ସ୍ବାକ୍ଷର କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି ।
ଭାରତ ଏବଂ ଡୋମିନିକ ଗଣରାଜ୍ୟ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଆସିଛି। ଏହି ସମ୍ପର୍କ ସବୁକ୍ଷେତ୍ରରେ ନିରନ୍ତର ଭାବରେ ନିବିଡ ହୋଇ ଚାଲିଛି । ଏବେ ଭାରତ ଏବଂ ଡୋମିନିକ ଗଣରାଜ୍ୟ ମଧ୍ୟରେ ବ୍ୟବସାୟ ଏବଂ ବାଣିଜ୍ୟ ସମ୍ପର୍କିତ ଅନେକ ଦ୍ବିପକ୍ଷୀୟ ସଂସ୍ଥାଗତ ତନ୍ତ୍ର ନାହିଁ । ଭାରତ ମୁଖ୍ୟତଃ ଡୋମିନିକ ଗଣରାଜ୍ୟରୁ ସୁନା ଆମଦାନୀ କରୁଛି। ସେହି ଦେଶକୁ ଔଷଧପତ୍ର, ସାମୁଦ୍ରିକ ଉତ୍ପାଦ, ମୋଟର ବାହନ, ଦୁଇ ଚକିଆ ଏବଂ ତିନ ଚକିଆ ଯାନ ଆଦିର ରତ୍ପାନୀ କରୁଛି ।
ଜେଇଟିସିଓର ସ୍ଥାପନା ଫଳରେ ଭାରତ ଏବଂ ଡୋମିନିକ ଗଣରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ ମଜବୁତ ହେବା ସହିତ ଏହା ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଆଲୋଚନା, ସୂଚନା, ଜ୍ଞାନ ଏବଂ ବିଚାରଧାରର ଆଦାନପ୍ରଦାନ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଯାହା ଦ୍ବାରା ବ୍ୟବସାୟ ଏବଂ ଶିଳ୍ପ ସହ ଜଡିତ ଗତିବିଧି ସୁବିଧା ଜନକ ହୋଇପାରିବ । ଏହି ପ୍ରୋଟୋକଲ ବୃହତ ଲାଟିନ ଆମେରିକୀୟ ଏବଂ କାରବିୟାନ ବଜାର ପାଇଁ ଏକ ପ୍ରଭାବଶାଳୀ ପ୍ରବେଶ ଦ୍ବାର ହୋଇପାରିବ ।
ଏହି ଯୁଗ୍ମ କମିଟି ବିଭିନ୍ନ କର୍ତ୍ତୃପକ୍ଷ ଏବଂ ସେମାନଙ୍କ ପ୍ରତିପକ୍ଷଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନର ଏକ ମଞ୍ଚ ପ୍ରଦାନ କରିବ । ଏହା ସାମଗ୍ରୀ ଓ ସେବା ପ୍ରଦାନକୁ ସୁବିଧାଜନକ କରିବାରେ ସହାୟକ ହୋଇପାରିବ। ଯାହା ଦ୍ବାର ଉଭୟ ଦେଶର ପେଶାଦାରମାନଙ୍କୁ ରୋଜଗାରର ଅଧିକ ସୁଯୋଗ ମିଳିପାରିବ ।
ଜେଇଟିସିଓର ସ୍ଥାପନା ଫଳରେ ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ଭାରତୀୟ ଉତ୍ପାଦ ଗୁଡିକର ରତ୍ପାନୀରେ ଆସିବାକୁ ଥିବା ଆହ୍ବାନ ଗୁଡିକୁ ହ୍ରାସ କରିବାରେ ସହାୟତା ମିଳିବ ତଥା ଭାରତରେ ନିର୍ମିତ ଔଷଧପତ୍ର, ଅଟୋମୋବାଇଲ ଏବଂ ଇଂଜିନିୟରିଂ ସାମଗ୍ରୀ ଆଦିର ରତ୍ପାନୀ ବୃଦ୍ଧି କରାଇବାର ମାର୍ଗ ପ୍ରଶସ୍ଥ ହେବ। ଯାହାଫଳରେ ଆତ୍ମନିର୍ଭର ଭାରତ ପାଇଁ ବିଦେଶୀ ମୁଦ୍ରା ଉପାର୍ଜନ ବୃଦ୍ଧି ପାଇବ ।