ଶିମଲା: ଗତକାଲି ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ପରେ ଆଜି ଦିନତମାମ ଚର୍ଚ୍ଚାରେ ରହିଥିବା ହିମାଚଳ ପ୍ରଦେଶ ରାଜନୀତିରେ ସଂଧ୍ୟାରେ ଭିନ୍ନମୋଡ ନେଇଛି । ସରକାର ପତନ ପରି ସ୍ଥିତି ଓ ଆଶଙ୍କା ମଧ୍ୟରେ ସ୍ଥିତି କ୍ରମଶଃ ସ୍ବାଭାବିକ ହେବା ପରି ସଙ୍କେତ ମିଳିଛି । କାରଣ ପୂର୍ବହ୍ନରେ ଇସ୍ତଫା ଘୋଷଣା କରି ସୁଖୁ ସରକାର ପାଇଁ ସଙ୍କଟ ସୃଷ୍ଟି କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂଙ୍କ ପୁଅ ତଥା ରାଜ୍ୟ କ୍ୟାବିନେଟର ମନ୍ତ୍ରୀ ବିକ୍ରମାଦିତ୍ଯ ସିଂ ସଂଧ୍ୟାରେ ନିଜର ଆଭିମୁଖ୍ୟ ନରମ କରିଛନ୍ତି । ଇସ୍ତଫା ଘୋଷଣାର କିଛି ଘଣ୍ଟା ପରେ ସେ ୟୁଟର୍ଣ୍ଣ ମାରିବା ସହ ନିଜ ଇସ୍ତଫା ଗ୍ରହଣ କରିବା ପାଇଁ ଦଳ ଉପରେ ଚାପ ସୃଷ୍ଟି କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
- " class="align-text-top noRightClick twitterSection" data="">
ସଂଧ୍ୟାରେ ବିକ୍ରମାଦିତ୍ୟ କହିଛନ୍ତି, ସେ ଦଳ ମଧ୍ୟରେ ଥିବା ଅସନ୍ତୋଷ କାରଣରୁ ଏପରି କରିଛନ୍ତି । ତାଙ୍କ ଇସ୍ତଫା ଦଳ ଏପର୍ଯ୍ୟନ୍ତ ଗ୍ରହଣ କରିନି । ସେ ମଧ୍ୟ ଦଳକୁ ଇସ୍ତଫା ଗ୍ରହଣ କରିବା ପାଇଁ ବାଧ୍ୟ କରିବେ ନାହିଁ ବୋଲି କହିଛନ୍ତି । ସେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କ ପ୍ରସଙ୍ଗରେ ଦଳ ବିଚାର କରି ନିଷ୍ପତ୍ତି ନେବ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିକ୍ରମାଦିତ୍ୟଙ୍କ ଇସ୍ତଫା ସ୍ବୀକାର କରାଯାଇ ନାହିଁ ଓ ତାଙ୍କ ସହ ଆଲୋଚନା କରାଯାଇ, ସମସ୍ୟାର ସମାଧାନ କରାଯିବା ନେଇ କହିସାରିଛନ୍ତି ।
ଅନ୍ୟପଟେ ଆଜି ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ଓ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଶିମଲାରେ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ସଂଧ୍ୟାରେ ବିକ୍ରମାଦିତ୍ୟ ସିଂଙ୍କ ମା’ ତଥା ଦଳର ପୂର୍ବତନ ରାଜ୍ଯ ସଭାପତି ପ୍ରତିଭା ବୀରଭଦ୍ର ସିଂଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ସେ ଦଳରେ ଥିବା ଅସନ୍ତୋଷ ପାଇଁ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କୁ ଦାୟୀ କରିଛନ୍ତି । ପୂର୍ବରୁ ସମାଧାନ କରାଯିବାକୁ ପ୍ରୟାସ କରାଯାଇଥିଲେ, ଆଜି ଏପରି ସ୍ଥିତି ସୃଷ୍ଟି ହୋଇନଥାନ୍ତା ବୋଲି ପ୍ରତିଭା କହିଛନ୍ତି । ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ସହ ଯାହା ଆଲୋଚନା ହୋଇଛି, ତାହା ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରାଯାଇପାରିବ ନାହିଁ ବୋଲି ପ୍ରତିଭା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ