ହାଇଦ୍ରାବାଦ: ଅଗ୍ନିକୁଲ୍ କସମାସ୍ର ସଫଳତା । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଅଗ୍ନିବାଣ ସର୍ଟେଡ-1 ମିଶନକୁ(Agnibaan SORTED-01) ସଫଳତାର ସହ ପ୍ରକ୍ଷେପଣ କରାଯାଇଛି । ଏନେଇ ଆଜି(ଗୁରୁବାର) ଅଗ୍ନିକୁଲ କସମାସକୁ ଶୁଭେଚ୍ଛା ଜଣାଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) । ଏହାସହ ଲଞ୍ଚକୁ ଏକ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ଅଗ୍ନିବାଣ SOrTeD(Suborbital Tech Demonstrator) ଏକ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ ହେବ । ଯାହା ବ୍ୟାବସାୟିକ ଭାବରେ ଉପଲବ୍ଧ ଟର୍ବାଇନ ଇନ୍ଧନ କିମ୍ବା ମେଡିକାଲ ଗ୍ରେଡ୍ ତରଳ ଅମ୍ଳଜାନ ବ୍ୟବହାର କରିଥାଏ । Sue 700କିଲୋମିଟର ଉଚ୍ଚତାକୁ 300 କିଲୋଗ୍ରାମ ପର୍ଯ୍ୟନ୍ତ ନେବାର ସକ୍ଷମତା ରହିଥାଏ । ଏହି ଇଞ୍ଜିନ୍ ପରୀକ୍ଷା ଅଗ୍ନିକୁଲର ନିଜସ୍ୱ ଡାଟା ଅଧିଗ୍ରହଣ ପ୍ରଣାଳୀ ଏବଂ ଫ୍ଲାଇଟ୍ କମ୍ପ୍ୟୁଟର ଦ୍ୱାରା ଚାଳିତ । ଅଗ୍ନିବାଣ ଉଭୟ ନିମ୍ନ ଏବଂ ଉଚ୍ଚ କକ୍ଷପଥରେ ପହଞ୍ଚିପାରେ । ଏହା 10 ରୁ ଅଧିକ ଲଞ୍ଚ ପୋର୍ଟରେ ପହଞ୍ଚିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅଗ୍ନିବାଣ ସରଟେଡ ଭୂଲମ୍ବ(ଭର୍ଟିକାଲ) ଭାବେ ଉଡାଣ ଭରିବ ଏବଂ ପୂର୍ବ ନିର୍ଦ୍ଧାରିତ ପଥରେ ଗତି କରିବ ।
ଏହା ମଧ୍ୟ ପଢନ୍ତୁ: ଶୁକ୍ରବାର ଉତକ୍ଷେପଣ ହେବ 'ଅଗ୍ନିବାଣ', ଲଞ୍ଚ କରିବ ଅଗ୍ନିକୁଲ୍ କସମାସ୍
ଅନ୍ୟପଟେ ଅଗ୍ନିକୁଲ କସମସର ସଫଳତା ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି, " ଅଗ୍ନିକୁଲ ସଫଳତାର ସହିତ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ(SDSC-SHAR) ଲଞ୍ଚ ହୋଇଛି । ଏହା 3D ପ୍ରିଣ୍ଟେଡ୍ ରକେଟ୍ ଇଞ୍ଜିନ୍ ଏବଂ ସେମି-କ୍ରାୟୋଜୋନିକ ଇଞ୍ଜିନ ଦ୍ବାରା ପରିଚାଳିତ । ଏହାକୁ ଭାରତରେ ନିର୍ମାଣ କରାଯାଇଛି ।" ପ୍ରକାଶଥାଉକି, ବର୍ତ୍ତମାନ ସୁଦ୍ଧା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ସେମି-କ୍ରାୟୋଜେନିକ୍ ଇଞ୍ଜିନ୍ରେ ଉତକ୍ଷେପଣ କରିନାହିଁ । ପ୍ରକାଶଥାଉକି, 2023 ମସିହାରେ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟଲ୍ୟାଣ୍ଡିଂ କରିଥିଲା । ଏହି ଉପଲବ୍ଧିକୁ ନେଇ ସାରା ବିଶ୍ବରେ ପ୍ରଶଂସାଭାଜନ ହୋଇଥିଲା । ଏହାପରେ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ-1 ମଧ୍ୟ ସଫଳ ହୋଇଥିଲା । ତେବେ ଏହାରି ଭିତରେ ଭାରତ ବର୍ତ୍ତମାନ 2035 ସୁଦ୍ଧା ଏକ ଇଣ୍ଡିଆନ୍ ସ୍ପେସ୍ ଷ୍ଟେସନ୍ ସ୍ଥାପନ କରିବାକୁ ଏବଂ 2040 ସୁଦ୍ଧା ପ୍ରଥମ ଭାରତୀୟଙ୍କୁ ଚନ୍ଦ୍ରକୁ ପଠାଇବାକୁ ଲକ୍ଷ୍ୟ ରଖିଛି ।