ଚଣ୍ଡିଗଡ: ଶିଶୁପୁତ୍ର ଜନ୍ମଦେଲେ ଦିବଙ୍ଗତ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର । 58 ବର୍ଷ ବୟସରେ ସେ ପୁଣିଥରେ ମାଆ ହୋଇଛନ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ସିଦ୍ଧୁଙ୍କ ବାପା ବାଲକୌର ସିଂ । ସେ ଶିଶୁପୁତ୍ରର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ବଡ଼ପୁଅ ସିଦ୍ଧୁକୁ ହରାଇ ଦୁଃଖରେ ଭାଙ୍ଗି ପଡିଥିବା ପରିବାରରେ ଏବେ ଖୁସିର ଲହରୀ ଖେଳିଯାଇଛି ।
ବାଲକୌର ସିଂ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି, ''ଶୁଭଦୀପକୁ (ମୁସେୱାଲା) ଭଲ ପାଉଥିବା ଲକ୍ଷ ଲକ୍ଷ ଲୋକଙ୍କ କୃପା ଓ ଭଗବାନଙ୍କ ଆଶୀର୍ବାଦରୁ ଆମ ଘରେ ଏକ ଛୋଟ ଶିଶୁପୁତ୍ର ଜନ୍ମ ନେଇଛି । ପରିବାରରେ ସମସ୍ତେ ଖୁସି ଅଛନ୍ତି । ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ।''
ଏହା ମଧ୍ୟ ପଢନ୍ତୁ-ମା'ହେବେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଖୁବଶୀଘ୍ର ଘରକୁ ଆସିବ ନୂଆ ଅତିଥି
କିଛି ଦିନ ପୂର୍ବେ ଦିବଙ୍ଗତ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ମାଆ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏନେଇ ଚରଣ କୌର କୌଣସି ପ୍ରତିକ୍ରିୟା ଦେଇନଥିଲେ । ଗାୟକଙ୍କ ଦାଦା ଚମକୌର ସିଂ ସୂଚନା ଦେଇଥିଲେ ଯେ, ଆଇବିଏଫ ଜରିଆରେ ସେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ମାର୍ଚ୍ଚରେ ତାଙ୍କର ଡେଲିଭରୀ ହେବ । କିନ୍ତୁ ଏହି ଖବରକୁ ଗୁଜବ କହି ଖଣ୍ଡନ କରିଥିଲେ ସିଦ୍ଧୁଙ୍କ ବାପା ବାଲକୌର ସିଂ । ଏହି ଖବରକୁ ବିଶ୍ୱାସ ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।
ମୁସେୱାଲା ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ହୋଇଥିଲା ବେଳେ ଏବେ ତାଙ୍କ ପିତାମାତା ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି । ସିଦ୍ଧୁଙ୍କୁ ହରାଇବା ପରେ ତାଙ୍କ ବାପା ଓ ମାଆ ଦୁଃଖରେ ଭାଙ୍ଗି ପଡିଥିଲେ । ଏବେ ଘରକୁ ନୂଆ ଅତିଥି ଆସିଥିବାରୁ କେକ୍ କାଟି ସମସ୍ତେ ଖୁସି ମନାଇଛନ୍ତି । ସିଦ୍ଧୁଙ୍କ ମାଆଙ୍କୁ ୫୮ ବର୍ଷ ହୋଇଥିବା ବେଳେ ବାପାଙ୍କୁ ୬୦ ବର୍ଷ । ଚରଣ କୌର ଗର୍ଭବତୀ ଥିବା ସମୟରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଉପରେ ନଜର ରଖିଥିଲେ ।
ଏହା ମଧ୍ୟ ପଢନ୍ତୁ-ମୁସେୱାଲାଙ୍କ ମାଆ ମା' ହେବା ଉପରେ ମୁହଁ ଖୋଲିଲେ ବାପା, କହିଲେ 'ଗୁଜବ'
ସୂଚନା ଥାଉ କି, ୨୦୨୨ ମେ' ୨୯ରେ ପଞ୍ଜାବର ଲୋକପ୍ରିୟ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ମୃତ୍ୟୁକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ସେ ଜୀବିତ ଅଛନ୍ତି । ସିଦ୍ଧୁଙ୍କ ପ୍ରକୃତ ନାମ ଥିଲା ଶୁଭଦୀପ ସିଂ ସିଦ୍ଧୁ । ସେ ଖୁବ କମ ବୟସରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ମାନସର ଜବାହର ଗ୍ରାମରେ ଲୋକପ୍ରିୟ ସିଙ୍ଗର ତଥା ରାପର ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫଳରେ ସେହିଠାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା ।