ହାଇଦ୍ରାବାଦ: ଆଜି ଜନ୍ମଭୂମି ଅଯୋଧ୍ୟାରେ ବିରାଜମାନ ହୋଇଛନ୍ତି ରାମଲାଲା । ସମଗ୍ର ଦେଶ ଆଜି ଉତ୍ସବ ପାଳୁଛି । ଜନ୍ମମାଟିରେ ନିର୍ମିତ ଭବ୍ୟ ମନ୍ଦିରର ଦିବ୍ୟ ସିଂହାସନରେ ବିରାଜମାନ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ରଙ୍କ 5 ବର୍ଷୀୟ ବାଲ୍ୟ ସ୍ବରୂପ ରାମଲାଲା । ସୁନା, ହୀରା, ଲୀଳା ଓ ମୋତିରେ ନିର୍ମିତ ଏକାଧିକ ଅଭୁଷଣରେ ସଜ୍ଜିତ ପ୍ରଭୁଙ୍କ ବାଲ୍ୟସ୍ବରୂପ ଯେପରି ଶ୍ରଦ୍ଧାଳୁଙ୍କୁ ବିଭୋର କରୁଛି । ତେବେ ଏହି ଆଭୁଷଣ କେବଳ ମୂଲ୍ୟବାନ ଧାତୁ ନିର୍ମିତ ନୁହେଁ ବରଂ ସମ୍ପୂର୍ଣ୍ଣ ପୂରାଣ ବର୍ଣ୍ଣିତ ମଧ୍ୟ । ଆଧ୍ୟାତ୍ମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମ ଚରିତମାନସରେ ବର୍ଣ୍ଣିତ ପ୍ରଭୁ ଶ୍ରୀରାମଙ୍କର ବେଶ ପୋଷାକ ଓ ଶୃଙ୍ଗାର ତଥ୍ୟ ଅନୁସାରେ ଏହି ଆଭୁଷଣଗୁଡିକୁ ନିର୍ମାଣ କରାଯାଇଛି ।
ପୁରାଣ, ଶାସ୍ତ୍ର ଅଧ୍ୟୟନ ଓ ଗବେଷଣା ପରେ ପଣ୍ଡିତ ଯତିନ୍ଦ୍ର ମିଶ୍ରଙ୍କ ମାର୍ଗଦର୍ଶନରେ ଏହି ଅଳଙ୍କାରଗୁଡିକୁ ଅଙ୍କୁର ଆନନ୍ଦଙ୍କ ଲକ୍ଷ୍ନୌ ସ୍ଥିତ ହରସାହାମଲ ଶ୍ୟାମଲାଲ ଜୁଏଲର୍ସରେ ପ୍ରସ୍ତୁତ କରାଯାଇଛି । ପ୍ରଭୁ ବନାରାସୀ ବସ୍ତ୍ର ଏବଂ ନାଲି ରଙ୍ଗର ପାଟୁକା /ହଳଦିଆ ରଙ୍ଗର ଅଙ୍ଗବସ୍ତ୍ରମ ପରିଧାନ କରିଛନ୍ତି । ଏହି ବସ୍ତ୍ରରେ ଶୁଦ୍ଧ ସୁନା ଜରି ଓ ତାରକସି କାମ କରାଯାଇଛି । ଏଥିରେ ଭଗବାନ ବିଷ୍ଣୁଙ୍କ ଆୟୁଦ ଶଙ୍ଖ, ଚକ୍ର ,ପଦ୍ମ ଏବଂ ମୟୂର ଅଙ୍କିତ ରହିଛି । ପ୍ରଭୁଙ୍କ ଏହି ଭବ୍ୟ ପୋଷାକକୁ ଦିଲ୍ଲୀର ଟେକ୍ସଟାଇଲ ଡିଜାଇନର୍ ମନୀଷ ତ୍ରିପାଠୀ ପ୍ରସ୍ତୁତ କରିଛନ୍ତି ।
ମସ୍ତକରେ ମୁକୁଟ ବା କିରିଟ:-
ପ୍ରଭୁଙ୍କ ମସ୍ତକରେ ସ୍ବର୍ଣ୍ଣ ନିର୍ମିତ ମୁକୁଟ ରହିଛି । ଏହାକୁ କିରିଟ ମଧ୍ୟ କୁହାଯାଏ । ଏହାକୁ ସମ୍ପୂର୍ଣ୍ଣ ଉତ୍ତର-ଭାରତୀୟ ଡିଜାଇନରେ ନିର୍ମିତ କରାଯାଇଛି । ଏହା ମୁଖ୍ୟତଃ ସୁନାରେ ନିର୍ମିତ ହୋଇଥିବା ବେଳେ ଏଥିରେ ପନ୍ନା, ମୋତି ଏବଂ ହୀରା ଖଞ୍ଜିତ ହୋଇଛି । ମୁକୁଟରେ କେନ୍ଦ୍ର ଭାଗରେ ଭଗବାନ ସୂର୍ଯ୍ୟ ରହିଛନ୍ତି ।
କୁଣ୍ଡଳ:-
ପ୍ରଭୁଙ୍କ କୁଣ୍ଡଳ ବା କର୍ଣ୍ଣ ଅଳଙ୍କାରଗୁଡ଼ିକ ମୁକୁଟ ବା କିରିଟ ଅନୁଯାୟୀ ସମାନ ଡିଜାଇନ୍ ସହିତ ନିର୍ମାଣ କରାଯାଇଛି । ଏଥିରେ ମୟୂର ଆକୃତିର କୁଣ୍ଡଳ ବ୍ୟବହାର ହୋଇଛି । ଏଥିରେ ସୁନା, ହୀରାରେ ମଧ୍ୟ ସଜାଯାଇଛି ।
କଣ୍ଠ:-
ପ୍ରଭୁଙ୍କ କଣ୍ଠରେ ଶୋଭା ପାଉଛି ଏକ ରତ୍ନ ଖଞ୍ଜିତ ହାର । ଏହାର ନିମ୍ନ କେନ୍ଦ୍ର ଭାଗରେ ଶକ୍ତିର ଦେବତା ସୂର୍ଯ୍ୟ ସ୍ଥାନ ପାଇଛନ୍ତି । ସ୍ବର୍ଣ୍ଣରେ ପ୍ରସ୍ତୁତ ଏହି କଣ୍ଠହାରରେ ହୀରା, ମାଣିକ୍ୟ ଖଞ୍ଜିତ ହୋଇଛି ।
କୌସ୍ତୁଭମଣି:-
ପ୍ରଭୁଙ୍କ ହୃଦୟରେ କୌସ୍ତୁଭମଣି ପରିଧାନ କରାଯାଇଛି । ଏଥିରେ ମଧ୍ୟ ହୀରା ଓ ମାଣିକ୍ୟ ବ୍ୟବହାର ହୋଇଛି । ପୁରାଣ ବିଶ୍ବାସ ଅନୁସାରେ, ଭଗବାନ ବିଷ୍ଣୁ ଓ ତାଙ୍କର ସବୁ ଅବତାରରେ ପ୍ରଭୁ ଏହି କୌସ୍ତୁଭମଣି ପରିଧାନ କରିଥାନ୍ତି । ତେଣୁ ରାମଲାଲା ମଧ୍ୟ କୌସ୍ତୁଭମଣିରେ ଆଭୁଷିତ ହୋଇଛନ୍ତି ।
ପଦିକ:
ଏହା କଣ୍ଠ ତଳେ ଏବଂ ନାଭି ଉପରେ ପିନ୍ଧାଯାଇଥିବା ଏକ ହାର । ଯାହାର ଦେବତାଙ୍କ ଶୃଙ୍ଗାରରେ ବିଶେଷ ମହତ୍ତ୍ୱ ରହିଛି । ଏହା ମଧ୍ୟ ହୀରା ଓ ମାଣିକ୍ୟ ଖଞ୍ଜିତ ସହ ନିର୍ମିତ ହୋଇଛି । ଯାହା ରାମଲାଲାଙ୍କ ଶ୍ରୀଅଙ୍ଗରେ ଶୋଭା ପାଉଛି ।
ବିଜୟନ୍ତୀ କିମ୍ବା ବିଜୟମାଳା:-
ପ୍ରଭୁଙ୍କୁ ପିନ୍ଧାଯାଇଥିବା ତୃତୀୟ ଦୀର୍ଘତମ ସୁନା ହାର ହେଉଛି ଏହି ବିଜୟନ୍ତୀ । ଯେଉଁଥିରେ କିଛି ସ୍ଥାନରେ ମାଣିକ୍ୟ ବ୍ୟବାହର ହୋଇଛି । ଏହାକୁ ବିଜୟର ପ୍ରତୀକ ଭାବରେ ପିନ୍ଧାଯାଏ । ଯେଉଁଥିରେ ବୈଷ୍ଣବ ପରମ୍ପରାର ସମସ୍ତ ଶୁଭ ପ୍ରତୀକ, ସୁଦର୍ଶନ ଚକ୍ର, ପଦ୍ମପୁଷ୍ପ ଓ ମଙ୍ଗଳ କଳଶ ଚିତ୍ରିତ ହୋଇଛି । ଏଥିରେ ଦେବତାଙ୍କ ପ୍ରିୟ ପାଞ୍ଚ ପ୍ରକାରର ଫୁଲର ଆକୃତି ମଧ୍ୟ ଏଥିରେ ରହିଛି । ପଦ୍ମ, ଚମ୍ପା, ପାରିଜାତ, କୁନ୍ଦ ଓ ତୁଳସୀ ଆକୃତି ଏଥିରେ ବର୍ଣ୍ଣିତ ହୋଇଛି ।
ଅଣ୍ଟାରେ କାଞ୍ଚି ବା କରଧନୀ:-
ରତ୍ନ ସଜ୍ଜିତ କରଧନୀ ପ୍ରଭୁଙ୍କ ଅଣ୍ଟାରେ ଆବୁଷିତ ହୋଇଛି । ଏହାକୁ ହୀରା, ମୋତି ଅନ୍ୟ ମୂଲ୍ୟବାନ ସାମଗ୍ରୀରେ ସଜ୍ଜିତ କରାଯାଇଛି । ଏଥିରେ ପାଞ୍ଚଟି ଛୋଟ ଘଣ୍ଟି ମଧ୍ୟ ରହିଛି । ଏହି ଘଣ୍ଟିଗୁଡ଼ିକରୁ ମୋତି, ମାଣିକ୍ୟ ଏବଂ ପନ୍ନାରେ ନିର୍ମିତ ହୋଇଛି ।
ଭୁଜବନ୍ଧ ବା ଅଙ୍ଗଦ:-
ପ୍ରଭୁ ଉଭୟ ବାହୁରେ ଧାରଣ କରିଥିବା ଏହି ଆଭୁଷଣକୁ ଅଙ୍ଗଦ ବା ଭୁଜବନ୍ଧ କୁହାଯାଏ । ସୁନା ଓ ରତ୍ନ ଖଞ୍ଜିତ ଭୁଜବନ୍ଧ ପରିଧାନ କରିଛନ୍ତି ରାମଲାଲା ।
କଙ୍କଣ:-
ଉଭୟ ହସ୍ତର ଗଣ୍ଠି ବା ବଳାରେ ପ୍ରଭୁ ସ୍ବର୍ଣ୍ଣ କଙ୍କଣ ଧାରଣ କରିଛନ୍ତି ।
ମୁଦ୍ରିକା:-
କଙ୍କଣ ବ୍ୟତୀତ ପ୍ରଭୁ ମୁଦ୍ରିକା ମଧ୍ୟ ଉଭୟ ହସ୍ତରେ ପରିଧାନ କରିଛନ୍ତି । ଏଥିରେ ରତ୍ନ ଖଞ୍ଜିତ ହୋଇଛି । ପାଦରେ ପ୍ରଭୁ ପାଉଁଜି ପିନ୍ଧିଛନ୍ତି ।
କପାଳରେ ମଙ୍ଗଲ ତିଲକ:-
ଏହା ସହିତ, ଭଗବାନଙ୍କ କପାଳରେ ପାରମ୍ପରିକ ମଙ୍ଗଳ ତିଲକ ଶୋଭାପାଉଛି । ଏହାକୁ ହୀରା ଏବଂ ମାଣିକ୍ୟ ଖଞ୍ଜିତ ଭାବେ ତିଆରି କରାଯାଇଛି । ଶ୍ରୀ ରାମଲାଲା ଏକ 5ବର୍ଷର ଶିଶୁ ସ୍ବରୂପରେ ବିରାଜମାନ କରିଛନ୍ତି । ତେଣୁ ପାରମ୍ପରିକ ଭାବରେ ରୂପା ତିଆରି ଖେଳନା ଖେଳିବା ପାଇଁ ତାଙ୍କ ସାମ୍ନାରେ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ