ଜୟପୁର: ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । ଧରାପଡିଛି କୋଟି କୋଟି ଟଙ୍କାର ଡ୍ରଗ୍ସ । ଭାରତ ଓ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଏସ.ଓ.ଜି ଓ ପୋଲିସର କାର୍ଯ୍ୟାନୁଷ୍ଠାନ ଫଳରେ ୩ କିଲୋର ହେରୋଇନ ଜବତ କରାଯାଇଛି । ଅନୁପଗଡ଼ ଜିଲ୍ଲାର ଏସପି ରମେଶ ମୌର୍ଯ୍ୟଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି କାର୍ଯ୍ୟାନୁଷ୍ଠାନ ଫଳରେ ୩ ଜଣ ତସ୍କରଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ମୂଲ୍ୟ ଆନ୍ତର୍ଜାତୀୟ ବଜାରରେ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି ।
ଏହା ମଧ୍ୟ ପଢନ୍ତୁ .... ଗୁଜୁରାଟ ଉପକୂଳରୁ 1000 କୋଟିର ଡ୍ରଗ୍ସ ଜବତ, 4 ଗିରଫ
ଅନୁପଗଡ଼ ଜିଲ୍ଲାର ଏସପି ରମେଶ ମୌର୍ଯ୍ୟ ସୂଚନା ଦେଇଛନ୍ତି, ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ସମେଜା ଥାନା ପାର୍ଶ୍ବବର୍ତ୍ତୀ ଗାଁ ୭୫ ଏନପି ମୋଡ଼ରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । ଏହି କ୍ଷେତ୍ରରେ ହେରୋଇନ ତସ୍କରୀ ନେଇ ସୂଚନା ଥିଲା । ଏଥି ପାଇଁ ପୂର୍ବରୁ ନାକାବନ୍ଦୀ କରାଯାଇଥିଲା । ସକାଳୁ ଏକ କାରକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୩ କିଲୋ ହିରୋଇନ ଜବତ କରାଯାଇଥିଲା । ପୋଲିସ କାର୍ରେ ଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
ଏହା ମଧ୍ୟ ପଢନ୍ତୁ ... ପୋରବନ୍ଦରରୁ 600 କୋଟି ମୂଲ୍ୟର ଡ୍ରଗ୍ସ ଜବତ, 14 ପାକିସ୍ତାନୀ ଗିରଫ - 600 crore drugs Seized
ପୋଲିସ ଏହା ସହ ଜଣେ ବାଇକ ଚାଳକଙ୍କୁ ଗିରଫ କରିଛି । ଅନୁପଗଡ଼ ଏସପି ରମେଶ ମୌର୍ଯ୍ୟ କହିଛନ୍ତି ଯେ ସମ୍ଭବତଃ ଏହି ହେରୋଇନ ପାକିସ୍ତାନରୁ ମଗାଯାଇଛି । ଧରାପଡିଥିବା ୩ ତସ୍କରମାନଙ୍କ ମଧ୍ୟରେ ଜଣେ କ୍ରେତା ଥିବା ବେଳେ ୨ ଜଣ ବିକ୍ରେତା ଅଟନ୍ତି । ଡ୍ରଗ୍ସ ବିକ୍ରି କରୁଥିବା ଏହି ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି ଏବଂ ଡ୍ରଗ୍ସ କିଣୁଥିବା ବ୍ୟକ୍ତି ଜଣକ ପଞ୍ଜାବର ତଲୱାଣ୍ଡିର ନିବାସୀ ବୋଲି ଜଣା ପଡିଛି ।
ସୂଚନାଯୋଗ୍ୟ ଯେ ଶ୍ରୀଗଙ୍ଗାନଗର ଓ ଅନୁପଗଡ଼ ଜିଲ୍ଲାର ପ୍ରଶସ୍ତ ସୀମା ପାକିସ୍ତାନକୁ ଲାଗିରହିଛି । ପାକିସ୍ତାନୀ ତସ୍କର ଲଗାତାର ଭାରତୀୟ ସୀମା ଅତିକ୍ରମ କରି ହେରୋଇନ ତସ୍କରୀର ଉଦ୍ୟମ ଜାରି ରହିଛି । ପୋଲିସ ଏହାକୁ ରୋକିବା ପାଇଁ ବିଶେଷ ଅଭିଯାନ ମଧ୍ୟ ଚଳାଇଛି । ପାକିସ୍ତାନରୁ ଅନେକ ଥର ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଚାଲାଣ ଘଟଣାରେ ଧରାପଡିଛି । ବର୍ତ୍ତମାନ ପୋଲିସ ଗିରଫ କରିଥିବା ୩ ଜଣଙ୍କୁ ପଚରାଉଚୁରା ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ