ମୁମ୍ବାଇ: ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ରରେ ଲଜ୍ଜା । ନର୍ସରୀ ସ୍କୁଲରେ ଦୁଇ ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ନ୍ୟାୟ ଦାବିରେ ତାତିଲେ ଲୋକେ । ଥାନେ ଜିଲ୍ଲାର ବଦଲାପୁରରେ ରେଳ ରୋକ ପରେ ଆକ୍ସନ ନେଇଛନ୍ତି ସରକାର । ସ୍କୁଲର ଦୁଇଜଣ କର୍ମଚାରୀଙ୍କ ସହ ପ୍ରିନ୍ସପାଲଙ୍କୁ ନିଲମ୍ବିତ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି । ଜଣେ ଅଭିଯୁକ୍ତ ତଥା ସ୍କୁଲ ଆଟେଣ୍ଡାଣ୍ଟଙ୍କୁ ଗିରଫ କରାଯାଇଛି ।
ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ଖବର ନିଆଁପରି ବ୍ୟାପିଯାଇଥିଲା । ଏହାପରେ ପୀଡିତାଙ୍କ ପରିବାର, ସମ୍ପର୍କୀୟ ଓ ସ୍ଥାନୀୟ ଲୋକେ ନ୍ୟାଚ ଦାବିରେ ଆଜି ସକାଳେ ବାଦଲପୁର ରେଳ ଷ୍ଟେସନରେ ରେଲ ରୋକ କରି ନାରାବାଜି କରିଥିଲେ । ସକାଳ ପ୍ରାୟ 8 ଟାରୁ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ବିକ୍ଷୋଭକାରୀ ମାନେ କୋଣସି ଚ୍ରେନ ଚଳାଚଳ କରିବାକୁ ଦେଇନଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ପୋଲିସ, ରେଳ ପୋଲିସ କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ଅଧିକାରୀ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।
କେନ୍ଦ୍ରୀୟ ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ''ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ସକାଳ 10.10 ରୁ ବଦଲାପୁର ରେଳ ଷ୍ଟେସନରେ ରେଳ ଚଳାଚଳ ବନ୍ଦ ରହିଛି। ସ୍ଥାନୀୟ ଅଞ୍ଚଳର ଦୋକାନ ବଜାର ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ବନ୍ଦ ରହିଛି। ଶିଶୁ କନ୍ୟା ଯୌନ ଶୋଷଣ ହୋଇଥିବା ସ୍କୁଲକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ।''
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନକାରୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି । ରେଳରୋକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତ୍ରା ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଁ ଥାନେ କମିଶନରଙ୍କ ସହ କଥା ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ବିରୋଧରେ ପୋକ୍ସ ଆକ୍ଟରେ ମାମଲା ରୁଜୁ କରିବାକୁ କହିଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ଆରତୀ ସିଂଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।
ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ''ଯୌନ ନିର୍ଯାତନା ମାମଲାରେ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବାରୁ ବଦଲାପୁର ପୋଲିସ୍ ଷ୍ଟେସନର ବରିଷ୍ଠ ପୋଲିସ୍ ଇନ୍ସପେକ୍ଟର, ସହକାରୀ ସବ୍-ଇନ୍ସପେକ୍ଟର ତଥା ହେଡ୍ କନଷ୍ଟେବଳଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦେବେନ୍ଦ୍ର ଫଡନାଭିସ୍ ନିର୍ଦ୍ଦେଶ ଦେଇଛନ୍ତି ।"