ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଇଆଇଟି ବନାରସ ହିନ୍ଦୁ ୟୁନିଭର୍ସିଟିରେ 2023-24 ପାଇଁ କ୍ୟାମ୍ପସ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ମୋଟ 1330 ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି । ୟେଉଁଥିରୁ 270 ଜଣଙ୍କୁ କୌଣସି କମ୍ପାନୀ ପକ୍ଷରୁ ଚାକିରି ମିଳିନାହିଁ । ଏହାପରେ ଜୁନ 30 ପର୍ଯ୍ୟନ୍ତ ଏହି ଚୟନ ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ସବୁଠୁ ଖାସ କଥା ହେଉଛି ଏହି ନିଯୁକ୍ତି ଚୟନ ପ୍ରକ୍ରିୟାରେ ଜଣେ ବିଦ୍ୟାର୍ଥୀଙ୍କୁ ସର୍ବାଧିକ 1.68 କୋଟି ପ୍ୟାକେଜ ମିଳିଛି ।
ଚାକିରି ଅଫରକୁ ପ୍ରତ୍ୟାଖ୍ୟାନ କଲେ ଅନେକ ଛାତ୍ର:- ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଆଇଆଇଟିରେ କ୍ୟାମ୍ପସ ଚୟନ ପ୍ରକ୍ରିୟାରେ ଅନେକ ଛାତ୍ର ଚାକିରି ଅଫରକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି । ପୂର୍ବରୁ କ୍ୟାମ୍ପସ ଚୟନ ପ୍ରକ୍ରିୟା ମାର୍ଚ୍ଚ-ଏପ୍ରିଲ ସୁଦ୍ଧା ଶେଷ ହୋଇଥିଲା । କିନ୍ତୁ ଏଥର ଏହା ପ୍ରଥମ ଥର ପାଇଁ ପ୍ଲେସମେଣ୍ଟ ପ୍ରକ୍ରିୟା ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଇଆଇଟି କର୍ତ୍ତୃପକ୍ଷ ଏନେଇ କହିଛନ୍ତି ଯେ ବିଦ୍ୟାର୍ଥୀଙ୍କୁ ପ୍ଲେସମେଣ୍ଟରେ ଚାକିରି ଦିଆଯାଇଛି । ଏଥର ଅନ୍ତର୍ଜାତୀୟ ତଥା ବହୁରାଷ୍ଟ୍ରୀୟ କମ୍ପାନୀ କ୍ୟାମ୍ପସ ଚୟନ ପାଇଁ ଆସିନାହାନ୍ତି । ଏଭଳି ପରିସ୍ଥିତିରେ କିଛି ବିଦ୍ୟାର୍ଥୀ ଚାକିରି ପାଇନାହାନ୍ତି । କିଛି ଛାତ୍ର ଅଛନ୍ତି ଯେଉଁମାନେ ଚାକିରି ଅଫରକୁ ଗ୍ରହଣ କରିନଥିବା ବେଳେ ଅଧିକ ପାଠ ପଢିବାକୁ ଚାହୁଁଛନ୍ତି ।
30 ଜୁନ ଯାଏଁ ବଢିଲା କ୍ୟାମ୍ପସ ଚୟନ ପ୍ରକ୍ରିୟା:- ପ୍ଲେସମେଣ୍ଟ ସେଲର ସଂଯୋଜକ ପ୍ରଫେସର ସୁଶାନ୍ତ ଶ୍ରୀବାସ୍ତବ କହିଛନ୍ତି, " ବି.ଟେକ, ଏମ.ଟେକ ଏବଂ ପିଏଚଡି ସମେତ ବିଭିନ୍ନ ପାଠ୍ୟକ୍ରମର ପ୍ରାୟ 1400 ଛାତ୍ର କ୍ୟାମ୍ପସ ଚୟନ ପାଇଁ ପଞ୍ଜୀକୃତ କରିଥିଲେ । ଡିସେମ୍ବର 1, 2023 ରୁ ପ୍ଲେସମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଡିସେମ୍ବର 2023ରୁ ଏପ୍ରିଲ 2024 ମଧ୍ୟରେ 1130 ବିଦ୍ୟାର୍ଥୀଙ୍କ କ୍ୟାମ୍ପସ ଚୟନ ହୋଇଥିଲା । ଏବେ ପ୍ରାୟ 270 ଜଣ ଛାତ୍ରଛାତ୍ରୀଙ୍କୁ କୌଣସି ଚାକିରି ମିଳିନାହିଁ । ଏଭଳି ସ୍ଥିତିରେ ପ୍ଲେସମେଣ୍ଟ ପ୍ରକ୍ରିୟା ଜୁନ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥର ଅନେକ ସାର୍ବଜନୀନ କ୍ଷେତ୍ର କମ୍ପାନୀ କ୍ୟାମ୍ପସ ଚୟନରେ ଆଗ୍ରହ ଦେଖାଇ ନାହାଁନ୍ତି । ଲୋକସଭା ନିର୍ବାଚନ ପରେ କମ୍ପାନୀ ଆସିବ ବୋଲି ଆଶା କରାଯାଉଛି ।"
ଏହା ବି ପଢନ୍ତୁ- IIT BHU ଛାତ୍ରଙ୍କ କମାଲ, ୨ କୋଟି ପ୍ୟାକେଜର ପାଇଲେ ନିଯୁକ୍ତି
ସର୍ବାଧିକ ପ୍ୟାକେଜ 1.68 କୋଟି:- ପ୍ରଫେସର ସୁଶାନ୍ତ ଏନେଇ କହିଛନ୍ତି, "କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂର ଜଣେ ଛାତ୍ରଙ୍କୁ NK ସିକ୍ୟୁରିଟି ସର୍ବାଧିକ ବେତନ ପ୍ୟାକେଜ 1.68 କୋଟି ଟଙ୍କା ପ୍ରଦାନ କରିଛି । ଏଥର ଅନ୍ତର୍ଜାତୀୟ କମ୍ପାନୀଗୁଡିକ 9 ଜଣ ଛାତ୍ରଙ୍କୁ ଚୟନ କରିଛନ୍ତି । ସେମାନଙ୍କୁ ସର୍ବାଧିକ ବେତନ ବାର୍ଷିକ 77 ଲକ୍ଷ ଟଙ୍କା ଦିଆଯାଇଛି । ଖୁବଶୀଘ୍ର ଅବଶିଷ୍ଟ ଛାତ୍ରଛାତ୍ରୀ ଚାକିରି ଅଫର ପାଇବେ । ଏହାସହିତ କମ୍ପାନୀଗୁଡିକ ହାରାହାରି 98,597 ଟଙ୍କା ଏବଂ ଇଣ୍ଟର୍ନସିପ୍ ପାଇଁ ମାସକୁ ସର୍ବାଧିକ 4.5 ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । କିଛି ଛାତ୍ର ଅଛନ୍ତି ଯେଉଁମାନେ ଚାକିରି ଅଫରକୁ ପ୍ରତ୍ୟାଖ୍ୟାନ ମଧ୍ୟ କରିଛନ୍ତି ।"
କେଉଁ କମ୍ପାନୀ ଦେଲା ଚାକିରି ? ବିଶ୍ବବିଦ୍ୟାଳୟର ପ୍ଲେସମେଣ୍ଟ ଚୟନ ପ୍ରକ୍ରିୟାରେ ଅନେକ କମ୍ପାନୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି NK ସିକ୍ୟୁରିଟିଜ ରିସର୍ଚ୍ଚ, ଫ୍ଲିପକାର୍ଟ, ଟାଟା, ଗୁଗଲ୍, ଓଲା, ନାଭି, HSBC, ମିଡିଆ ନେଟ୍, କ୍ଲାଲକାମ, ମାଇକ୍ରୋସଫ୍ଟ, ସାମସଙ୍ଗ୍, ଓରାକଲ, ସିପ୍ଲା, ଭାରତ ପେଟ୍ରୋଲିୟମ, ସିପ୍ଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ