ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଫିଜିର ଉପ-ପ୍ରଧାନମନ୍ତ୍ରୀ । ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ରବିବାରଠାରୁ ଏକ ସପ୍ତାହ ପାଇଁ ଭାରତ ଗସ୍ତରେ ଆସିବେ । ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଉଦଘାଟନ ପରେ ଅଯୋଧ୍ୟାକୁ ଗସ୍ତ କରିବାରେ ସେ ପ୍ରଥମ ବିଦେଶୀ ନେତା ହେବେ । ବିମାନ ପ୍ରସାଦ ତାଙ୍କ ଦେଶର ଅର୍ଥମନ୍ତ୍ରୀ, ରଣନୀତିକ ଯୋଜନା, ଜାତୀୟ ବିକାଶ ଏବଂ ପରିସଂଖ୍ୟାନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।
ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ରବିବାର ଦିନ ପ୍ରାୟ ରାତି ୯.୩୫ଟା ସମୟରେ ନୂଆଦିଲ୍ଲୀରେ ପହଞ୍ଚିବେ । ସେ ଆସନ୍ତା ଫେବୃଆରୀ ୪ ରୁ ୧୦ ଯାଏଁ ଭାରତରେ ରହି ୧୧ ତାରିଖରେ ଫିଜିକୁ ପ୍ରତ୍ୟାବର୍ତ୍ତନ କରିବେ । ସୋମବାର ଦିନ ଠାରୁ ଦୁଇ ଦେଶ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମ ଆରମ୍ଭ ହେବ । ୫ ଫେବୃଆରୀରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ବୈଠକ କରିବା ସହ ବିଦେଶ ଓ ଶିକ୍ଷା ରାଜ୍ୟ ମନ୍ତ୍ରୀ ରାଜକୁମାର ରଞ୍ଜନ ସିଂଙ୍କୁ ମଧ୍ୟ ଭେଟିବେ ।
ଏହା ମଧ୍ୟ ପଢନ୍ତୁ ... ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା
ଫିଜିର ଉପ-ପ୍ରଧାନମନ୍ତ୍ରୀ ଫେବୃଆରୀ ୬ ତାରିଖରେ ରାଜଧାନୀ ଦିଲ୍ଲୀରେ ଓ ୭ ତାରିଖରେ ଗୋଆରେ ନିର୍ଦ୍ଧାରିତ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ୮ ଫେବୃଆରୀରେ ଅଯୋଧ୍ୟା ଯାଇ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିବେ ଫିଜି ଉପ ପ୍ରଧାନମନ୍ତ୍ରୀ ପ୍ରସାଦ । ୯ ତାରିଖରେ ଅହମଦାବାଦ ଅଭିମୁଖେ ଯାତ୍ରା କରି ସେ ଗାନ୍ଧୀନଗରକୁ ଗସ୍ତ କରିବେ ।
ପୂର୍ବରୁ ୨୦୨୩ ଫେବୃଆରୀ ମାସରେ ଭାରତ ଗସ୍ତରେ ଆସିଥିଲେ ବିମାନ ପ୍ରସାଦ । ସେହି ସମୟରେ ସେ 'ସ୍ଥାୟୀ ଓ ଡିକାର୍ବୋନାଇଜଡ୍ ଭବିଷ୍ୟତ ପାଇଁ ରଣନୀତି' ଶୀର୍ଷକ ଉପରେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସେ ଉକ୍ତ ଅଧିବେସନରେ ବିଶ୍ବରେ ହେଉଥିବା ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତର ସମସ୍ୟା ବିରୋଧରେ ଲଢିବା ପାଇଁ ଡିକାର୍ବୋନାଇଜେସନ ଉପରେ ଗମ୍ଭୀର ଭାବେ କାର୍ଯ୍ୟ କରିବା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ସହ ଏହି ସମସ୍ୟା ଫଳରେ ଫିଜି ଭଳି ଅନେକ ଛୋଟ ବିକାଶଶୀଳ ଦ୍ବୀପ ଦେଶ ଗୁଡିକ ଉପରେ କୁପ୍ରଭାବ ପଡୁଛି ବୋଲି ଦର୍ଶାଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ