କୋଲକାତା: ଭୀଷଣ ବାତ୍ୟାରେ ପରିଣତ ହୋଇଥିବା ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ରେମାଲ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି 135 କିଲୋ ମିଟର ରହିଛି । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆସନ୍ତା 4ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ସ୍ଥଳଭାଗ ଛୁଇଁଥିବା ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଜାରି ରହିଛି ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏନେଇ ପଶ୍ଚିମବଙ୍ଗ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା 4ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 120କିମିରୁ ସର୍ବାଧିକ 135 କିମି ରହିବ । ବର୍ତ୍ତମାନ ବାତ୍ୟାର କେନ୍ଦ୍ରବିନ୍ଦୁ ଉପକୂଳ ଠାରୁ 30କିମି ଦୂରରେ ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁଥିବା ବେଳେ ଦକ୍ଷିଣ ଓ ଉତ୍ତର 24 ପ୍ରଗଣା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି । ଏହାସହିତ ରାଜ୍ୟର ପୂର୍ବ ମେଦିନପୁରରେ ମଧ୍ୟ ପ୍ରବଳ ବର୍ଷା ହେଉଥିବା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ- ଭୀଷଣ ବାତ୍ୟାରେ ପରିଣତ ହେଲା ‘ରେମାଲ’: ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍
ବାତ୍ୟା ପ୍ରଭାବରେ ଦକ୍ଷିଣ 24 ପ୍ରଗଣାର ଗଙ୍ଗାସାଗର ଦ୍ବୀପ, କାକଦ୍ବୀପ ଓ ନମଖାନାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଏବେ ସୁଦ୍ଧା ସାଗର ଦ୍ବୀପପୁଞ୍ଜର କାଛୁବେରିଆ ଅଞ୍ଚଳରେ ଏକାଧିକ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିବା ସୂଚନା ମିଳିଛି । ଆଜି ରାତି ସାରା ଓ ଆସନ୍ତାକାଲି (ସୋମବାର) ପର୍ଯ୍ୟନ୍ତ ରାଜଧାନୀ କୋଲକାତା ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଡ଼ ବଡ଼ ଗଛକୁ ରାସ୍ତାରୁ ହଟାଇବା ଲାଗି କୋଲକାତା ମହାନଗର ନିଗମ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରାୟ 15 ହଜାର ଉଦ୍ଧାରକାରୀ ଟିମକୁ ନିୟୋଜିତ କରାଯାଇଥିବା ନେଇ କୋଲକାତା ମେୟର ଫିରହାଦ ହକିମ ସୂଚନା ଦେଇଛନ୍ତି ।
ସେପଟେ ବଙ୍ଗୋପସାଗର ସମ୍ପୂର୍ଣ୍ଣ ଅଶାନ୍ତ ଥିବା ବେଳେ ଦିଘା ଓ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ଆଲର୍ଟ କରାଯାଇଛି । ଏହାସହିତ ହାୱଡା, ହୁଗୁଳି, ନାଡିଆ, ମାଲଦା ଓ ମୁର୍ଶିଦାବାଦ ଜିଲ୍ଲାଗୁଡ଼ିକୁ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଥିବା ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ