ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ 'ହେଟ୍ ସ୍ପିଚ' ମାମଲା । ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ (SDPI), ଚେନ୍ନାଇ ଉତ୍ତର ଜୋନର ସଭାପତି ମହମ୍ମଦ ରସିଦ ମୋଦିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଧାର୍ମିକ ବିବାଦ ସୃଷ୍ଟି କରିବାକୁ ଯୋଜନା କରୁଥିବା ନେଇ ସେ ଚେନ୍ନାଇ ପୋଲିସ କମିଶନରଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରସିଦ । ସୂଚନା ଅନୁସାରେ, ଗତ ୨୧ ତାରିଖରେ ରାଜସ୍ଥାନର ବାଂସୱାଡାରେ ଚାଲିଥିଲା ନିର୍ବାଚନୀ ରାଲି । ସେହି ସମୟରେ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସମସ୍ତ ସମ୍ପତ୍ତି ମୁସଲମାନଙ୍କ ହାତକୁ ଟେକିଦେବ।"
ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଏହି ସହରୀ ନକ୍ସଲି ମାନସିକତା ମାଆ ଓ ଭଉଣୀଙ୍କ ମଙ୍ଗଳସୂତ୍ର ମଧ୍ୟ ଛଡାଇନେବେ । ତେବେ ମୋଦିଙ୍କ ଏଭଳି ସମ୍ବୋଧନକୁ ନେଇ ଜୋର ଧରିଛି ରାଜନୀତି । ପ୍ରଧାନମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଟାର୍ଗେଟ୍ କରିଛନ୍ତି ବିରୋଧୀ । ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି । ସେହିପରି କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ 'ହେଟ୍ ସ୍ପିଚ' ଅଭିଯୋଗ ଆଣି ବର୍ଷିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମଙ୍ଗଳସୂତ୍ର’ ମନ୍ତବ୍ୟକୁ ନେଇ ଏବେ ବିବାଦ, ବିତର୍କ ଓ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ବିରୋଧୀ କଂଗ୍ରେସ ଅନ୍ୟ ଦଳମାନେ ଏହାକୁ ଆପତ୍ତିଜନକ ଶବ୍ଦ ବୋଲି ଦର୍ଶାଇ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ମଧ୍ୟ ହୋଇସାରିଲେଣି । ଏହାକୁ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭାଷା ଦର୍ଶାଇ ଦଳ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ ମଧ୍ୟ କରିଛି । ତେବେ ନିର୍ବାଚନ ଆୟୋଗ ଏହି ମାମଲାର ବିଚାର କରୁଥିବା କହିଛନ୍ତି । ଅପରପକ୍ଷେ,ଏହାର ପ୍ରଭାବ ଚେନ୍ନାଇରେ ମଧ୍ୟ ଦେଖିବାକୁ ମିଳିଛି । SDPI ପକ୍ଷରୁ ମଧ୍ୟ ମୋଦିଙ୍କ ନାଁରେ ଅଭିଯୋଗ ହୋଇଛି । ଚେନ୍ନାଇ ଉତ୍ତର ଜୋନର ସଭାପତି ମହମ୍ମଦ ରସିଦ 'ହେଟ୍ ସ୍ପିଚ୍' ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।