କୋଲକାତା: "ମୁଁ ବଡ ହେଲେ ମୁର୍ଖ ହେବାକୁ ଚାହେଁ, କାରଣ ଜଣେ ମୁର୍ଖ ଲୋକ କାହାରିକୁ ଧୋକା ଦେଇ ପାରିବ ନାହିଁ ।" ଏଭଳି କିଛି କଥା ଏକ ଛୋଟ ପିଲାଟିଏ କହୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସାମ୍ପ୍ରତିକ ପରିସ୍ଥିତିରେ ମଣିଷର ସାମାଜିକ ବିଧି ବ୍ୟବସ୍ଥା ଓ ମୂଲ୍ୟବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଭଳି ବିଚିତ୍ର ଘଟଣା ଘଟିଛି ପଶ୍ଚିମବଙ୍ଗର ବୀରଭୂମିରେ ।
ସୂଚନା ଅନୁଯାୟୀ ଭାଇରାଲ ହୋଇଥିବା ବାଳକର ନାଁ ରିକ୍ ବାଗଡି ହୋଇଥିବା ବେଳେ ରିକ୍ ବୀରଭୂମି ସ୍ଥିତ ଲବପୁରର ଶୀତଳଗ୍ରାମ ପାଇମେରୀ ସ୍କୁଲରେ ପଢୁଛି । ରିକର ପିତା ଅଭିଜିତ ବାଗଡି ଜଣେ ଦିନମଜୁରିଆ ହୋଇଥିବା ବେଳେ ମାଆ ଗୃହିଣୀ ଅଟନ୍ତି । ସେ ପଢୁଥିବା ବିଦ୍ୟାଳୟର ଶ୍ରେଣୀ ଗୃହରେ ଶ୍ରେଣୀ ଶିକ୍ଷକ ଜଣକ ପିଲାମାନଙ୍କୁ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟରେ ପଚାରିଥିଲେ । ଯାହାର ସେ ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ । ପିଲାମାନେ ବଡ ହେଲେ କିଏ ଡାକ୍ତର ତ କିଏ ଇଞ୍ଜିନିୟର ହେବେ ବୋଲି କହୁଥିବା ବେଳେ ଆଉ କିଛି ପିଲା ପୋଲିସ ଓ ସେନାରେ ଯୋଗ ଦେଇ ଦେଶ ସେବା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ଦୁଃଖରେ ମିଳେଇଗଲା ଜନ୍ମଦିନ ଖୁସି, କେକ୍ ଖାଇ ନାବାଳିକାର ମୃତ୍ୟୁ - Girl Dies On Birthday
ଯେତେବେଳେ ରିକର ପାଳି ଆସିଥିଲା ଏବଂ ଶିକ୍ଷକ ତାକୁ ବଡ ହେଲେ କଣ ହେବାକୁ ଚାହୁଁଛ ବୋଲି ପଚାରିଥିଲେ । ସେ ଉତ୍ତରରେ ବଡ ହେଲେ ମୁର୍ଖ ବା ବୋକା ହେବାକୁ ଚାହୁଁଛି ବୋଲି କହିଥିଲା । ଶିକ୍ଷକ ରିପନକାନ୍ତି ବାଲା ଏଭଳି ଅଦ୍ଭୁତପୂର୍ବ ଉତ୍ତର ଶୁଣି ତାକୁ କହିଥିଲେ ଯେ, "ତୁମେ ଯଦି ବୋକା ହେବ ତାହେଲେ ତୁମକୁ ଲୋକ ଠକିଦେବେନି କି ?"
ବିନା ଦ୍ବିଧାରେ ରିକ୍ ଏହାର ପ୍ରତ୍ୟୁତ୍ତରରେ କହିଥିଲେ ଯେ, ମୁଁ ଯଦି ବୋକା ହେବି ତାହାକୁ ମୁଁ ଅନ୍ୟକୁ ମଧ୍ୟ ବୋକା ବନେଇ ପାରିବିନି । ରିକର ଉତ୍ତର ତାର ଶିକ୍ଷିକା ପାଇଁ ସମ୍ପୂର୍ଣ୍ଣ ଭାବେ ଅପ୍ରତ୍ୟାଶିତ ଥିଲା । ଶିକ୍ଷକ ଜଣକ ଭିଡିଓଟିକୁ ତତ୍କାଳ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଜିର ସମାଜରେ ସଚ୍ଚୋଟପଣିଆର ସ୍ଥିତିକୁ ବେଶ ସ୍ପଷ୍ଟ ଭାବେ ଦର୍ଶାଉଥିବା ତଥା ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଥିବା ପିଲାଟିର ଉତ୍ତରକୁ ବେଶ ପ୍ରଶଂସା କରିଛନ୍ତି ଲୋକମାନେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ