ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନକୁ ଆଉ ମାତ୍ର 2 ମାସ ବାକି ଥିବା ବେଳେ କେନ୍ଦ୍ରରେ ବିଜେପି କ୍ଷମତା ବଜାୟ ରଖିବା ଓ ପୂର୍ବାପେକ୍ଷା ଅଧିକ ଆସନ ଜିତିବା ପାଇଁ ସମସ୍ତ ରଣନୀତି ଆରମ୍ଭ କରିସାରିଛି । ନିକଟରେ ବିଭିନ୍ନ ରାଜ୍ୟରେ ଦଳ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ କରି ନିର୍ବାଚନୀ ଟାକ୍ସ ମଧ୍ୟ ଦେଇସାରିଛି । ଏହାରି ମଧ୍ୟରେ ଚଳିତମାସ 17-18 ତାରିଖରେ ଦଳର ଦୁଇଦିନିଆ ଜାତୀୟ ସମ୍ମିଳନୀ ହେବାକୁ ଯାଉଛି । ଦିଲ୍ଲୀର ‘ଭାରତ ମଣ୍ଡପମ’ରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ଦଳ ମୁଖ୍ୟ ଜେପି ନଡ୍ଡାଙ୍କ ସମେତ ତମାମ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଦେଶବ୍ୟାପୀ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ । 2024 ଲୋକସଭା ନିର୍ବାଚନ ପାଇଁ ଏହି ସମ୍ମିଳନୀରେ ମାନସମନ୍ଥନ ହେବ ।
କାର୍ଯ୍ୟସୂଚୀ ସମ୍ପର୍କରେ ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 17 ତାରିଖରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମର ଉଦଘାଟନୀ ଦିବସରେ ଦଳ ମୁଖ୍ୟ ଜେ.ପି ନଡ୍ଡା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ପରଦିନ ଅର୍ଥାତ ଉଦଯାପନୀ ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ ସହ କାର୍ଯ୍ୟକ୍ରମ ଶେଷ ହେବ । ଏହା ପୂର୍ବରୁ ଦିଲ୍ଲୀରେ ବିଜେପିର ଜାତୀୟ ସାଙ୍ଗଠନିକ କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକ ମଧ୍ୟ ରହିଛି । ଏଥିରେ ଦଳର ଜାତୀୟ ସାଧାରଣ ସମ୍ପାଦକ, ମହାସଚିବ, ସମସ୍ତ ସେଲର ଓ ମୋର୍ଚ୍ଚାର ମୁଖ୍ୟମାନେ ସାମିଲ ହେବେ । 17ରୁ ଆରମ୍ଭ ହେବାକୁ ଯାଉଥିବା 2 ଦିନିଆ ସମ୍ମିଳନୀରେ ରାଜ୍ୟ ସଭାପତି, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ, ଲୋକସଭା ଆବାହକ, ଦଳର ଶୃଙ୍ଖଳା ଓ ଅର୍ଥ କମିଟିର ସଦସ୍ୟ, ରାଜ୍ୟଗୁଡିକର ମୁଖ୍ୟ ମୁଖପାତ୍ର, ମିଡିଆ ଓ ଆଇଟି ସେଲର କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିବେ ।
ଚଳିତ ଏପ୍ରିଲ-ମେ’ ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ବିଜେପି ଓ ଏହାର ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ପୂର୍ବପେକ୍ଷା ଅଧିକ ଆସନ ଜିତିବା ନେଇ ରାଜନୀତି ସମୀକ୍ଷକମାନେ ଆକଳନ କରୁଛନ୍ତି । ଏବେ ନିକଟରେ ଶେଷ ହୋଇଥିବା 5 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଦା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ‘ମୋଦି ଗ୍ୟାରେଣ୍ଟି’ରେ ନିର୍ବାଚନ ଲଢିଥିବା ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଛି ।
ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନଓ୍ବାରୀଲାଲ ପୁରୋହିତ
ଲୋକସଭା ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଲୋକପ୍ରିୟତାକୁ ଆଧାର କରି ଦଳ ପୂର୍ବାପେକ୍ଷା ଅଧିକ ଆସନ ସହ ଏକକ ବହୁମତରେ କ୍ଷମତା ବଜାୟ ରଖିବାକୁ ଯୋଜନା ରଖିଛି । ଏଥିପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ବ ମଧ୍ୟ ମିଳିସାରିଛି । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର 2 ମାସ ପୂର୍ବରୁ ବିଜେପିର ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀ କେବଳ ନିର୍ବାଚନ ରଣନୀତିକୈନ୍ଦ୍ରିକ ହେବାକୁ ଯାଉଛି । ଏହି ବୈଠକରେ ଦଳର ବିଭିନ୍ନ ନିର୍ବାଚନୀ କାର୍ଯ୍ୟକ୍ରମର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇପାରେ ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ