ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ 2024 । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷଷ୍ଠ ଥର ଲାଗି ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ କୃଷି ଓ ଚାଷୀ କଲ୍ୟାଣ ଲାଗି 1.27 ଲକ୍ଷ କୋଟି ବ୍ୟୟ ବରାଦ କରାଯାଇଛି । ଆମ ଦେଶର ଚାଷୀଙ୍କୁ 'ଅନ୍ନଦାତା' ସମ୍ବୋଧିତ କରି ନିର୍ମଳା କହିଛନ୍ତି ଯେ ଦେଶର 11.8 କୋଟି ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି । ଡାଏରୀ (ଦୁଗ୍ଧ ଉତ୍ପାଦନକାରୀ) ଚାଷୀଙ୍କ ଲାଗି ମଧ୍ୟ ଅନ୍ତରୀଣ ବଜେଟରେ ବ୍ୟାପକ ଘୋଷଣା କରାଯାଇଛି ।
ଅନ୍ତରୀଣ ବଜେଟରେ କେନ୍ଦ୍ର ସରକାର ଗ୍ରାମୀଣ ବିକାଶ ଉପରେ ଗୁରୁତ୍ବ ଦେଇଛନ୍ତି । ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଅଭିଭାଷଣରେ କହିଥିଲେ ଯେ ଦେଶର ଚାଷୀମାନେ ହେଉଛନ୍ତି ଆମର 'ଅନ୍ନଦାତା' । ପିଏମ-କିଷାନ ସମ୍ମାନ ଯୋଜନା ଅଧୀନରେ ପ୍ରତି ବର୍ଷ କ୍ଷୁଦ୍ର ଚାଷୀଙ୍କ ସମେତ ମୋଟ 11.8 କୋଟି ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ପିଏମ ଫସଲ ବୀମା ଯୋଜନା ଅଧୀନରେ 4 କୋଟି ଚାଷୀଙ୍କୁ ଫସଲ ବୀମା ପ୍ରଦାନ କରାଯାଉଛି । ଏହାବାଦ ଅନେକ ଯୋଜନା ମାଧ୍ୟମରେ ଦେଶର ଅନ୍ନଦାତାଙ୍କୁ ଦେଶ ସମେତ ପୁରା ବିଶ୍ବ ଲାଗି ଶସ୍ୟ ଉତ୍ପାଦନ ଲାଗି ସହାୟତା ପ୍ରଦାନ କରାଯାଉଛି ।
ବଜେଟ ସମ୍ପର୍କିତ ଖବର ପଢନ୍ତୁ:
ଗରିବଙ୍କ ପାଇଁ ବଡ଼ ଘୋଷଣା; ୫ ବର୍ଷରେ ନିର୍ମାଣ ହେବ ଆଉ ୨ କୋଟି ପକ୍କା ଘର
ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି
ଅର୍ଥ ମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ ସମୟରେ ଭାରତକୁ ଦୁନିଆର ସବୁଠୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଦେଶ ବୋଲି କହିଛନ୍ତି । ଏଥିଲାଗି ଦୁଗ୍ଧ ଉତ୍ପାଦନକାରୀ ବା ଡାଏରୀ ଚାଷୀଙ୍କ ସହାୟତା ଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଭାରତ ପ୍ରମୁଖ ଦୁଗ୍ଧ ଉତ୍ପାଦନକାରୀ ଦେଶ ହୋଇଥିଲେ ମଧ୍ୟ ଏଠାରେ ଦୁଧିଆଳି ପଶୁଙ୍କ ଦୁଗ୍ଧ ଉତ୍ପାଦନ କ୍ଷମତା କମ । ଏହି ସମସ୍ୟାର ସମାଧାନ ଲାଗି ଜାତୀୟ ଗୋକୁଳ ମିଶନ, ଜାତୀୟ ପଶୁଧନ ମିଶନ ହାତକୁ ନିଆଯାଇଛି । ଅନ୍ୟପଟେ ମାଛ ଚାଷୀଙ୍କ ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜଳ କୃଷି ଉତ୍ପାଦନକୁ ଦ୍ବିଗୁଣିତ କରିବା ଲାଗି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଉପରେ ଗୁରୁତ୍ବ ଦିଆଯିବ ।
ଗତବର୍ଷ କୃଷି କ୍ଷେତ୍ର ପାଇଁ କଣ ଘୋଷଣା ହୋଇଥିଲା ? :- କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗତବର୍ଷ 2023-24 ବଜେଟ ଉପସ୍ଥାପନ କରି ଚାଷୀଙ୍କ ଲାଗି 20 ଲକ୍ଷ କୋଟି ଋଣ ଆବଣ୍ଟନ ଲାଗି ଘୋଷଣା କରିଥିଲେ । ପୁଷ୍ଟି ଶସ୍ୟ ବା ଶ୍ରୀଅନ୍ନର ଉତ୍ପାଦନକୁ ବୃଦ୍ଧି କରିବା ଦିଗରେ ସରକାର ଗୁରୁତ୍ବ ଦେଇଥିଲେ । ଏହାସହିତ କପା ଚାଷର ଉତ୍ପାଦନକୁ ବୃଦ୍ଧି ଲାଗି ଗୁରୁତ୍ବ ଦିଆଯାଇଥିଲା । ଏହାଦ୍ବାରା ଚାଷୀ, ସରକାର ଓ ଉଦ୍ୟୋଗକାରୀ ଲାଭବାନ ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ