ରାଉରକେଲା:ଧୁମଧାମରେ ପାଳନ ହେଲା ରାଜି କରମ ପର୍ବ । ରାଉରକେଲାରେ ଓରାମ ସମ୍ପ୍ରଦାୟମାନେ ଆନନ୍ଦ ଉଲ୍ଲାସର ସହ ଏହି 'ରାଜି କରମ' ପର୍ବକୁ ପାଳନ କରିଛନ୍ତି । ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ଜୀବନ୍ତ ନିଦର୍ଶନ ଏହି ପର୍ବ। ଓରାମ ସମ୍ପ୍ରଦାୟର ଲୋକଙ୍କ ପାଇଁ ଏହି ରାଜୀ କରମ ପର୍ବର ବିଶେଷ ମହତ୍ତ୍ବ ରହିଛି । ଏନେଇ ଓରାମ ପଡା ଠାରେ ଆୟୋଜିତ ଉତ୍ସବରେ ସମସ୍ତେ ଏକାଠି ହୋଇ ଏହି ପର୍ବ ପାଳିଛନ୍ତି । ପାରମ୍ପରିକ ବେଶଭୂଷା ସହ ବେଶ ଧୁମଧାମରେ ଏହି ପର୍ବ ପାଳନ ହୋଇଥିବା ଦେଖିବାକୁ ମିଳିଛି ।
ରାଜୀ କରାମ ପର୍ବ ହେଉଛି କରମା ଠାକୁରଙ୍କ ପ୍ରତି କୃତଜ୍ଞତାର ଏକ ଉତ୍କୃଷ୍ଟ ଉତ୍ସବ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାବେଳେ ଭାଦ୍ରବ ମାସ ଏକାଦଶୀ ତିଥିରେ ଏହି କରମା ପୂଜା କରାଯାଏ । ସପ୍ତାହକ ଧରି ପ୍ରସ୍ତୁତି ଚାଲିଥିବାରୁ ଉତ୍ସାହ ଓ ଉତ୍କଣ୍ଠାରେ ଭରି ଯାଇଥିଲା ପରିବେଶ । ଓରାମ ମହିଳାମାନେ ପାରମ୍ପରିକ ବେଶଭୂଷାରେ ସଜବାଜ ହୋଇ ନିଜର ପାରମ୍ପରିକ ନାଚ ଗୀତରେ ଏହି କରମା ପୂଜା ପାଳନ କରିଛନ୍ତି ।
ରଜି କରମ ପର୍ବର ବିଶେଷତ୍ବ ହେଉଛି କରମା ଠାକୁରଙ୍କ ପୂଜା । ପୂର୍ବାହ୍ନରେ ଏକ ସୁଶୋଭିତ ବେଦିରେ ଏହି ସମୁଦାୟ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଆସନ୍ତା ବର୍ଷରେ ଭଲ ଫସଲ ଅମଳ ପାଇଁ ଦେବୀଙ୍କ ଆଶୀର୍ବାଦ କାମନା କରିଛନ୍ତି ଏହି ସମ୍ପ୍ରଦାୟର ଲୋକେ । ଏହି ପୂଜାର ଅନ୍ୟତମ ଆକର୍ଷଣ ଥିଲା ଓରାମ ଯୁବକଙ୍କ ପାରମ୍ପରିକ ରୀତିନୀତି । କୁମାର ଏବଂ କୁମାରୀମାନେ ଉପବାସ ରହି ଏକ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରିବା ସହ ବିଶ୍ୱର କଲ୍ୟାଣ ପାଇଁ ଆଶୀର୍ବାଦ ମାଗିଥିବା ଦେଖିବାକୁ ମିଳିଛି ।