ପୁରୀ: ରାତି ପାହିଲେ ପୁରୀରେ ବିଜେଡି ପାଳିବ୨୫ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପୁରୀ ତାଳବଣିଆ ପଡ଼ିଆଠାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ମଞ୍ଚ, ଦଳୀୟ ପତାକା, ବ୍ୟାନର, ହୋର୍ଡିଂ ମଧ୍ୟ ଲଗାଯାଇଛି । ସେପଟେ ସୁରକ୍ଷା ନେଇ ପ୍ରସ୍ତୁତ ରହିଛି ଜିଲ୍ଲା ଓ ପୋଲିସ ପ୍ରଶାସନ ।
ଆସନ୍ତାକାଲିର କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୯ଟା ସମୟରେ ପ୍ରଥମେ ବିଜେଡି ନେତା ଓ କର୍ମକର୍ତ୍ତାମାନେ ନାମ ପଞ୍ଜିକରଣ କରି ସଭାସ୍ଥଳରେ ଯୋଗଦେବେ । ଦିନ ୧୦ଟାରୁ ସଭାକାର୍ଯ୍ୟ ଆରମ୍ଭ ହେବ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନ ୧୧ଟା ୪୦ରେ ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡ୍ରେ ଅବତରଣ କରିବେ । ସେଠାରୁ ସିଧାସଳଖ ସଭାସ୍ଥଳକୁ ଯାଇ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ଦିବସ ସମାରୋହକୁ ଉଦଘାଟନ କରିବେ । ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ପାଇଁ ଦେବେ ପରାମର୍ଶ । ଏହି ଭବ୍ୟ କାର୍ଯ୍ୟକ୍ରମରେ ପାଖାପାଖି ୫୦ ହଜାର ନେତା ଓ କର୍ମକର୍ତ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡିର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ୍ ଏବଂ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଦଳର ଛାମୁଆ ସଂଗଠନ, ମହିଳା, ଯୁବ, ଏସିଏସଟି, କୃଷକ ସେଲ୍ର ନେତା ଓ ସଂଗଠକମାନେ ଯୋଗଦେବେ । ବିଜେଡିର ଏହି ପ୍ରତିଷ୍ଠା ଦିବସକୁ ସଫଳ କରିବା ପାଇଁ ସମସ୍ତ ନେତା ଓ କର୍ମୀମାନେ ଜୋରସୋର୍ରେ ଲାଗି ପଡ଼ିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦଳ ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢେଇକୁ ଆହୁରି ଜୋରଦାର କରିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।