ଓଡିଶା

odisha

ଦୁଃଖ ସାଗରରେ ଦିବ୍ୟାଙ୍ଗ ରୋହିତ, ସରକାରୀ ଯୋଜନା ପାଲଟିଛି ସ୍ବପ୍ନ

By

Published : Jul 13, 2023, 6:35 PM IST

ଫେଲ୍ ମାରୁଛି ସରକାରଙ୍କ ମାଳ ମାଳ ଯୋଜନା । ଗରିବ ଲୋକଙ୍କୁ ପାଖରେ ପହଞ୍ଚୁନି ସରକାରୀ ଯୋଜନା । ସରକାରୀ ଯୋଜନା ପାଇବା ପାଇଁ ଚାହିଁ ବସିଛନ୍ତି ଦିବ୍ୟାଙ୍ଗ ରୋହିତ । ଅଧିକ ପଢ଼ନ୍ତୁ

ସରକାରଙ୍କ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ
ସରକାରଙ୍କ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ସରକାରଙ୍କ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ନୂଆପଡା: ଗରିବ ଅସହାୟ ପରିବାରକୁ ଥଇଥାନ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାପାଇଁ ସରକାର ସାମାଜିକ ସୁରକ୍ଷା ଯୋଜନା କରିଛନ୍ତି । ଏହି ଜନମଙ୍ଗଳକାରୀ ଯୋଜନାରେ ସାମିଲ କରି ଗରିବଙ୍କ ସୁରକ୍ଷିତ ଜୀବନଯାପନ ପାଇଁ ସରକାର ସର୍ବଦା ଚେଷ୍ଟିତ ଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ସରକାରଙ୍କ ଯୋଜନାରୁ ବଞ୍ଚିତ ରହିଯାଉଛନ୍ତି ପ୍ରକୃତ ହିତାଧିକାରୀ । ସରକାରୀ ବାବୁଙ୍କ ଦୃଷ୍ଟି ଆଢୁଆଳରେ ରହି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗରିବ ହିତାଧିକାରୀ । ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଗୋଡତଲା ଗାଁ ରୋହିତ ମଲ୍ଲିକ ।

ପରିବାର ପ୍ରତିପୋଷଣ ଆଶାରେ ସୁଦୂର ଚେନ୍ନାଇ ସହରକୁ 2018 ମସିହାରେ ଦାଦନ ଖଟି ଯାଇଥିଲେ ରୋହିତ । ସେଠାରେ କାମକରିବା ଅବସ୍ଥାରେ ଏକ ସଡକ ଦୁର୍ଘଟଣାରେ ରୋହିତଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ଅର୍ଥ ଅଭାବରୁ ଚିକିତ୍ସା ହୋଇନପାରି ଟ୍ରାଇ ସାଇକେଲ ସାହାଯ୍ୟରେ ନିଜ ଗାଁ ଗୋଡ଼ତଲାରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ରୋହିତ । ରୋଜଗାରିଆ ରୋହିତ ଦିବ୍ୟାଙ୍ଗ ହେବା ପରେ ପରିବାରର ଦୁଃଖ ଦ୍ବିଗୁଣିତ ହୋଇଯାଇଛି । ବେଳେ ଖାଇଲେ ବେଳେ ଉପବାସ ରହିବାକୁ ପଡୁଛି । ଏପଟେ ଘରଭାଙ୍ଗି ଦଦରା ଦିନରେ ସୂର୍ଯ୍ୟ ରାତ୍ରିରେ ଚନ୍ଦ୍ର ଦେଖାଦେଉଛି । ଖରା ବର୍ଷା ଶୀତ କାକରରେ ପାଳ ଟଣା ଘରେ ରହି ଦିନ କାଟୁଛନ୍ତି 4 ପ୍ରାଣୀ କୁଟୁମ୍ବ ।

ଅଧିକ ପଢନ୍ତୁ: ମାନବିକତା ଭୁଲିଗଲେ ସରକାରୀ ବାବୁ ! ଦୁଃଖ ଶୁଣିବାକୁ ଅଧିଆ ପଡିଲେ, ମୁହଁ ଏଡ଼ାଇ ଚାଲିଗଲେ ଅତିରିକ୍ତ ଜିଲ୍ଲାପାଳ

ରୋହିତ ମଲ୍ଲିକ କହିଛନ୍ତି,‘‘ 5 ବର୍ଷଧରି ମେରୁଦଣ୍ଡ ଭାଙ୍ଗି ଘରେ ପଡି ରହିଛି । ପରିବାର ସମସ୍ତ ବୋଝ ସ୍ତ୍ରୀ ମୁଣ୍ଡରେ । ସରକାରୀ ବାବୁଙ୍କୁ ଦୁଃଖ ଜଣେଇଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ସରକାର ଯଦି ଅର୍ନ୍ତୋଦୟ କାର୍ଡ ଏବଂ ଆବାସ ଯୋଜନା ଯୋଗାଇ ଦିଆନ୍ତେ ପରିବାର ଦିନକୁ ଦୁଇ ମୁଠା ଖାଇ ପାରିବ ।’’

ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଗାଇଦେଉଥିବା ବେଳେ, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାରେ ସାମିଲ କରି ବାସହରା ପରିବାରକୁ ପକ୍କାଘର ଦେଉଥିବା ଡିଣ୍ଡିମ ପିଟୁଛନ୍ତି । ତେଲିଆ ମୁଣ୍ଡରେ ତେଲ ସଦୃଶ୍ୟ ପ୍ରକୃତି ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଥିବା ବେଳେ କୋଠା ଘରଥିବା ଲୋକେ ନେଉଛନ୍ତି ଯୋଜନାର ଫାଇଦା ।

ଖଡ଼ିଆଳ ବିଡ଼ିଓ ବିରସେନ ବେହେରା କହିଛନ୍ତି ,‘‘ଦିବ୍ୟାଙ୍ଗ ରୋହିତଙ୍କ ସମ୍ପର୍କରେ ଗଣମାଧ୍ୟମ ଦ୍ବାରା ସୂଚନା ପାଇଲୁ । ତାଙ୍କୁ ତୁରନ୍ତ ସରକାରଙ୍କ ନିୟମ ଅନୁସାରେ ରାସନକାର୍ଡ ଓ ଆବାସଗୃହ ଯୋଗାଇ ଦେବାର ପଦକ୍ଷପ ଗ୍ରହଣ କରାଯାଉଛି । ଯଥା ସମ୍ଭବ ତାଙ୍କୁ ସହାୟତା ପ୍ରଦାନ କରାଯିବ ।’’

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details