ଭୁବନେଶ୍ବର: ବିଦେଶରେ ପାଳନ ହେଲା ସାବିତ୍ରୀ ବ୍ରତ । ସୁଦୂର ବାହାରିନରେ ରହୁଥିବା ପ୍ରବାସୀ ଓଡ଼ିଆ ମହିଳାମାନେ ହର୍ଷ ଓ ଉଲ୍ଲାସର ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ସକାଳୁ ସଧବା ଓଡ଼ିଆଣୀମାନେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କ ବାସଭବନରେ ଏକତ୍ରିତ ହୋଇଥିଲେ । ସେଠାରେ ଲକ୍ଷ୍ମୀ ନାରାୟଣ ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ଓଡ଼ିଆ ପରମ୍ପରା ଅନୁସାରେ ସାବିତ୍ରୀ ବ୍ରତ ଓଷା ପାଳନ କରିଛନ୍ତି । ବିଦେଶରେ ରହୁଥିଲେ ହେଁ ସେମାନେ ନିଜର ପରମ୍ପରକାରୁ ପାଶୋରି ନାହାନ୍ତି । ପବିତ୍ର ସାବିତ୍ରୀ ଅମାବାସ୍ୟାରେ ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳିଛନ୍ତି । ସମସ୍ତ ମହିଳା ସାବିତ୍ରୀ ବ୍ରତ ବହି ପାଠ କରିସାରିବା ପରେ ଲକ୍ଷ୍ମୀ ନାରାୟଣଙ୍କ ପୂଜା କରି ନିଜ ନିଜ ସ୍ବାମୀଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ସେଠାକାର ପରିବେଶ ।
ଓଡିଶାରୁ ହଜାର ହଜାର କିଲୋମିଟର ଦୂର ବିଦେଶ ମାଟିରେ ରହି ଓଡ଼ିଆ ପରମ୍ପରାକୁ ଭୁଲି ନାହାନ୍ତି ଓଡ଼ିଆ ମହିଳା । ନିଜ ମା' ମାଟି ତଥା ସମ୍ପର୍କୀୟଙ୍କ ଠାରୁ ଦୂରରେ ରହି ମଧ୍ୟ ଓଡ଼ିଶାର ପରମ୍ପରାକୁ ନିଜର ଆଗାମୀ ପିଢିମାନଙ୍କ ପାଖରେ ପହଞ୍ଚିବାରେ ଏହା ବହୁ ସହାୟକ ହେବ । ତେବେ ବିଦେଶ ମାଟିରେ ଏଭଳି ପ୍ରଥା ପରମ୍ପରାକୁ ଆଦରିବା ଦ୍ବାରା ପ୍ରବାସୀ ଜୀବନ ଅଧିକ ସୁଖକର ହୋଇଥାଏ ବୋଲି ବ୍ରତ ଧାରିଣୀମାନେ ମତ ବ୍ୟକ୍ତ କରିଛନ୍ତି ।