ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଗତକାଲି(ମଙ୍ଗଳବାର) ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।
ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ମଣ୍ଡିର ସୁବ୍ୟବସ୍ଥା, ଚାଷୀମାନଙ୍କ ଧାନ ସରକାରୀ ମୂଲ୍ୟରେ ବିକ୍ରୀ, ଅଧିକାରୀଙ୍କ ଦାୟିତ୍ଵ, ମିଲରମାନଙ୍କ ଶୀଘ୍ର ଧାନ ଉଠାଣ ସହ ଜନ ପ୍ରତିନିଧିଙ୍କ ସହଯୋଗ ଉପରେ ଆଲୋଚନା କରିଥିଲେ । ଅନ୍ୟପଟେ ନର୍ଲା ବିଧାୟକ ଭୂପିନ୍ଦର ସିଂ ଚଳିତ ଖରିଫ ଋତୁରେ ଯେଉଁଭଳି ଭାବେ ଧାନ ସଂଗ୍ରହ ସୁରୁଖୁରୁରେ ହୋଇଥିଲା ସେଭଳି ରବି ଋତୁରେ ମଧ୍ୟ ଅଧିକ ଦାୟିତ୍ୱବାନ୍ ହୋଇ ଚାଷୀଙ୍କୁ ସହଯୋଗ କରିବାକୁ ସଂପୃକ୍ତ ବିଭଗୀୟ ଅଧିକାରୀଙ୍କୁ କହିଥିଲେ ।
ଅନ୍ୟପଟେ ଜୁନାଗଡ ବିଧାୟକ କହିଥିଲେ, "ରାଜ୍ୟରେ ଯଦି କୌଣସି ଜିଲ୍ଲା ଧାନ ଉତ୍ପାଦନରେ ଆଖିଦୃଶିଆ ରୂପାନ୍ତରିତ ହୋଇଛି ତାହା ଆମ ଜିଲ୍ଲା କଳାହାଣ୍ଡି । କେବଳ ଧାନ ନୁହେଁ ମତ୍ସ୍ୟ, କପା, ଡାଲି ଜାତୀୟ ଶସ୍ୟରେ ଜିଲ୍ଲା ଅଗ୍ରଣୀ ହୋଇଛି ଏବଂ ଏହା ଜିଲ୍ଲାପାଳଙ୍କ ଉଦ୍ୟମ, ଚାଷୀର ଅକ୍ଲାନ୍ତ ପରିଶ୍ରମ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ, ମିଲରମାନଙ୍କ ସହଯୋଗ ଓ ଜନ ପ୍ରତିନିଧିଙ୍କ ଘନଘନ ମଣ୍ଡି ଗସ୍ତ ଯୋଗୁଁ ସମ୍ଭବ ହୋଇଛି । ତଳଯାରିଂରେ ସ୍ଥାପିତ ହେବାକୁ ଥିବା ଇଥାନଲ ପ୍ରକଳ୍ପ ଚାଷୀଙ୍କ ଭାଗ୍ୟ ପରିବର୍ତ୍ତନ କରିବା ସଙ୍ଗେସଙ୍ଗେ ରାହୁଲ, ରେତ୍ତ ଓ ସାନ୍ଦୂଲ୍ ପ୍ରକଳ୍ପ ହେଲେ ଅନେକ ଚାଷୀ ଓ ମିଲର ଏହାଦ୍ବାରା ଉପକୃତ ହେବେ ।"