ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାହ ବିବାଦ ମାମଲା ଦିନକୁ ଦିନ ଘନେଇବାର ଲାଗିଛି । ବାନ୍ଧବୀ ଅଭିଯୋଗ ଆଣିବାର ଏକ ମାସ ବିତିଗଲାଣି । ହେଲେ ଆଜି ଯାଏଁ ବିଧାୟକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି ପୋଲିସ । ଯେଉଁଥିପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ବିଟ୍ କରି ନ୍ୟାୟ ମାଗିଛନ୍ତି ସୋମାଲିକା ଦାଶ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ''ଆପଣ ସବୁବେଳେ ମହିଳା ସଶକ୍ତିକରଣ ସପକ୍ଷରେ କହି ଆସିଛନ୍ତି । ମୁଁ କ'ଣ ଜଣେ ମହିଳା ନୁହେଁ କି ? ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ଜାମିନ ବିହୀନ ଅପରାଧର ଅଭିଯୋଗ ଦାଖଲ କରିବା ପରଠୁ ମୁଁ ନ୍ୟାୟ ପାଇବା ପାଇଁ ସଂଘର୍ଷ କରିଆସୁଛି ।'' ସୋମାଲିକାଙ୍କ ଏହି ଟ୍ବିଟ୍ ପରେ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଏହି ଟ୍ବିଟ୍ କରିବା ପରେ ସୋମାଲିକା ‘ଇଟିଭି ଭାରତ’କୁ କହିଛନ୍ତି ଯେ, ବିଜୟ ଶଙ୍କର ଦାସ ଶାସକ ଦଳର ବିଧାୟକ ହୋଇଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଥରୁଟିଏ ବି ପଚରାଉଚାର କରିବାର ସାହସ ଜୁଟାଇ ପାରିନାହିଁ । ପ୍ରଥମେ ଜଗତସିଂହପୁର ପୋଲିସ ଏହି ଘଟଣାକୁ ନେଇ ଏତଲା ରଖିନଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜଗତସିଂହପୁର ପୋଲିସ ମାମଲା ରୁଜୁ କରି ତଦନ୍ତ ନାଁରେ ଦିନ ଗଡ଼ାଇ ଚାଲୁଛି । ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଛି । ନ୍ୟାୟ ପାଇଁ ମୁଁ ମରି ମରି ବଞ୍ଚିଛି । ସରକାରଙ୍କ ଇଏ କି ପ୍ରକାର ନ୍ୟାୟ ବୋଲି ସୋମାଲିକା କହିଛନ୍ତି ।