ବରଗଡ: କୁହାଯାଏ ଭବିଷ୍ୟତ ଗଢିବାରେ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଶିକ୍ଷା କ୍ଷେତ୍ରରେ କିପରି ଜଣେ ଛାତ୍ର ବା ଛାତ୍ରୀ ଉନ୍ନତି କରିବ ତାର ବାଟ ଦେଖାଇଥାନ୍ତି ଶିକ୍ଷକ । ଏବେ କିନ୍ତୁ ଶିକ୍ଷା ଦେବା ସାଙ୍ଗକୁ ଛାତ୍ରୀଙ୍କୁ ନୂଆ ଜୀବନ ଦେଇଛନ୍ତି ଶିକ୍ଷକ ଦିବସ ସାହୁ । କର୍କଟ ରୋଗରେ ପୀଡିତ ଥିବା ଜଣେ ଛାତ୍ରୀଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାରୁ ଏବେ ସେ ଦଶମ ଶ୍ରେଣୀରେ ଭଲ ନମ୍ବରରେ ଉତୀର୍ଣ୍ଣ ହୋଇଛନ୍ତି । କର୍କଟ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମାଟ୍ରିକ ପାସ କରିଛନ୍ତି ବରଗଡର ସୌଭାଗ୍ୟ ପଟେଲ । ଶିକ୍ଷକ ଦିବସଙ୍କ ଏପରି ସହଯୋଗ ଆଜି ଗୁରୁ ଓ ଶିଷ୍ୟଙ୍କ ସମ୍ପର୍କକୁ ଆହୁରି ଉଚ୍ଚ ସ୍ଥାନକୁ ନେଇ ଯାଇଛି ।
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ଗ୍ରାମର ଛାତ୍ରୀ ସୌଭାଗ୍ୟ ପଟେଲ । ଗତବର୍ଷ ସେ ଅସ୍ଥି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ଫଳରେ ଚିକିତ୍ସା କିପରି କରିବେ ସେନେଇ ଚିନ୍ତାରେ ଥିଲେ ପରିବାର ଲୋକେ। ଏପରି ବିପତ୍ତି ସମୟରେ ଭଗବାନ ସଦୃଶ ଛାତ୍ରୀଙ୍କ ପରିବାର ନିକଟରେ ଛିଡା ହୋଇଥିଲେ ଶିକ୍ଷକ ଦିବସ ସାହୁ । ସୌଭାଗ୍ୟର ସମସ୍ତ ଚିକିତ୍ସା ଦାୟିତ୍ବ ନେଇଥିଲେ ଯୁବ ଶିକ୍ଷକ ଦିବସ କୁମାର ସାହୁ । ତାଙ୍କ ପ୍ରୟାସରେ ରାୟପୁରର ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହୋଇଥିଲେ ଛାତ୍ରୀ ଜଣଙ୍କ।