ଭୁବନେଶ୍ବର: ଲୋକସେବା ଭବନର କର୍ମଚାରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ । କର୍ମକ୍ଷେତ୍ରରେ ଚାପ ଯୋଗୁଁ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ASO ମୋରା ମାରାଣ୍ଡିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ପରିବାର ଲୋକଙ୍କ ଏଭଳି ସାଙ୍ଘାତିକ ଅଭିଯୋଗ ପରେ ବଢିଛି ଅଡୁଆ । କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମୋର୍ଟମ ବେଳେ ମୃତକ ମୋରା ମାରଣ୍ଡିଙ୍କ ଭିଣୋଇ ଏପରି କହିଛନ୍ତି । ସେ କହିଛନ୍ତି, "ଭୁବନେଶ୍ୱରରେ ରହିବା ପରେ ସେ ASO ଭାବେ ସେକ୍ରେଟାରିଏଟରେ ଯୋଗଦେଇଥିଲେ । ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗରେ କାମ କରୁଥିଲେ । ହେଲେ ନୂଆ କରି ଯୋଗଦେବା ପରେ କାମରେ ଚାପ ପଡୁଥିଲା । ଯାହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । କଥା ହେବା ବେଳେ ସେ ଏକଥା ଜଣାଇଥିଲା ।"ତେଣୁ ଚାପ ସହି ନପାରି ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ ।
ସେହିପରି ମୋରା ମାରାଣ୍ଡିଙ୍କ ସହ ହଷ୍ଟେଲରେ ରହୁଥିବା ସହକର୍ମୀ ଜଗନ୍ନାଥ ମୁର୍ମୁ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଜଗନ୍ନାଥ କହିଛନ୍ତି, "ଗତକାଲି ସେ ଅଫିସ ବାହାରିନଥିଲା । ସେ ଅଫିସ ଯିବାକୁ ମନା କରିବାରୁ ମୁଁ ଓ ଅନ୍ୟମାନେ ଅଫିସ ବାହାରିଗଲୁ ।" ବିଭିନ୍ନ ବିଭାଗ ଅଲଗା ହେଲେ ମଧ୍ୟ ଏକା ବ୍ୟାଚର ଅଫିସର ଯୋଗୁଁ ସେମାନେ ଏକାଠି ରହିବା ସହ ସମସ୍ତେ ମିଶି ଅଫିସ ବାହାରନ୍ତି । ହେଲେ ଅଫିସ ଆସି ପୁଣି ଫେରିବା ପରେ ଦୀର୍ଘ ସମୟ ଧରି ଘର ଖୋଲି ନଥିଲା । ପରେ ଝରକା ସାହାଯ୍ୟରେ ଦେଖିବା ପରେ ଝୁଲନ୍ତା ଅବସ୍ଥାରେ ନିଜ ସହକର୍ମୀକୁ ଦେଖିଥିବା କହିଛନ୍ତି ଜଗନ୍ନାଥ । ତାଙ୍କ ପାଖରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି ବୋଲି କହିଛନ୍ତି ସହକର୍ମୀ ।
ଏହା ବି ପଢନ୍ତୁ...ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ - ROBOT SUICIDE
ଏହି ଚିଠି ଏଯାବତ ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଦେଖାଇ ନାହିଁ । ସେଥିରେ କିଛି ଅଫିସର ବା କୌଣସି କାରଣ ବିଷୟରେ ସେ ଲେଖିଥାଇପାରନ୍ତି ବୋଲି କୁହାଯାଉଛି । କର୍ମକ୍ଷେତ୍ରରେ ଚାପ ଥିବା ନେଇ ପୂର୍ବରୁ ପରିବାରଲୋକଙ୍କୁ ଜଣାଇଥିଲେ ମୋରା । ୨୦୨୧ବ୍ୟାଚର ASO ଅଫିସର ସରକାରୀ ଚାକିରି ପାଇବା ପରେ ଭୁବନେଶ୍ୱର ରହି ଡ୍ୟୁଟି କରୁଥିଲେ । ମୟୂରଭଞ୍ଜ ରାଇରଙ୍ଗପୁର ଭଳି ସ୍ଥାନରୁ ଆସି ସେ ଭୁବନେଶ୍ବରରେ ସରକାରୀ ଚାକିିରି କରୁଥିଲେ । ହେଲେ ତାଙ୍କର ଏଭଳି ସନ୍ଦେହଜନକ ମୃତ୍ୟୁ ପରେ ପରିବାରଲୋକେ ଭାଙ୍ଗି ପଡିଛନ୍ତି । କହିରଖୁଛୁ, ଶହୀଦନଗର ଥାନା ଆଚାର୍ଯ୍ୟବିହାର ସ୍ଥିତ ଏକ ଭଡ଼ା ଘରୁ ଗୁରୁବାର ASO ମୋରା ମାରାଣ୍ଡିଙ୍କ ମୃତଦେହ ଜବତ ହୋଇଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର