ଅନୁଗୋଳ: ଜଙ୍ଗଲୀ ବାରହା ଓ ହାତୀପଲ ଯୋଗୁଁ ଚିନ୍ତାରେ ଆଖୁ ଚାଷୀ । ଯେଉଁଠି ଶହ ଶହ ଏକର ଜମିରେ ଆଖୁଚାଷ ହେଉଥିଲା ଆଜି ସେଠାରେ ମାତ୍ର ହାତ ଗଣତି ଚାଷୀ ଆଖୁ ଫସଲ କରୁଛନ୍ତି । ଆଉ କିଛି ବର୍ଷ ପରେ ଆଖୁ ଚାଷ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚାଷୀ ମନସ୍ଥ କଲେଣି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବନ୍ଦାଣ ପଶି ଗାଁରେ । ଜିଲ୍ଲାର ଅନୁଗୋଳ ବ୍ଲକର ବନ୍ଦାଣପଶି ଗାଁରେ ପ୍ରାୟ ୩ ଶହରୁ ଅଧିକ ପରିବାର ବସବାସ କରନ୍ତି । କୃଷି ସେମାନଙ୍କ ପ୍ରଧାନ ଜୀବିକା । ବର୍ଷ ବର୍ଷ ଧରି ଅଧିକାଂଶ ଚାଷୀ ଆଖୁ ଚାଷ କରି ଭଲ ଲାଭବାନ ହୋଇ ଆସୁଛନ୍ତି । ଗାଁର ଶତାଧିକ ଚାଷୀ ପୁରୁଷ ପୁରୁଷ ଧରି ଆଖୁ ଚାଷକୁ ଆଦରି ନେଇଛନ୍ତି । ବିଭିନ୍ନ ହାଟ ବଜାରରେ ଆଖୁ ବିକ୍ରି କରି ଭଲ ଦୁଇ ପଇସା ପାଆନ୍ତି । ଏହାଛଡା ଘରେ ଘରେ ଆଖୁରୁ ଗୁଡ଼ ପ୍ରସ୍ତୁତ କରିଥାନ୍ତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରାଯାଏ । ହେଲେ ଗତ କିଛି ବର୍ଷ ହେଲା ଆଖୁ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ ।
ବଣୁଆ ହାତୀପଲ ଓ ବାରହା ଚାଷୀଙ୍କ ଆଖୁ ଫସଲରେ ମୁଖ୍ୟ ଶତ୍ରୁ ପାଲଟିଛନ୍ତି । ଆଖୁ ଚାଷରେ ବହୁତ ପରିଶ୍ରମ କରିବାକୁ ପଡେ । ସାର ଔଷଧରେ ବ୍ୟାପକ ଖର୍ଚ୍ଚ ହେଉଥିବାବେଳେ ପମ୍ପ ଲଗାଇ ପାଣି ମଡ଼ାଇବାକୁ ହୁଏ । ଏତେ ଖର୍ଚ୍ଚ କରି ଚାଷ କରିବା ପରେ ବନ୍ୟଜନ୍ତୁ ପଶି ନଷ୍ଟ କରି ଦେଉଛନ୍ତି । ଫଳରେ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡୁଛି । ଏହି କାରଣରୁ ଅଧିକାଂଶ ଚାଷୀ ଆଉ ଆଖୁ ଚାଷ କରୁ ନାହାନ୍ତି । ଚଳିତ ବର୍ଷ ହାତ ଗଣତି ୨୦/୨୫ ଜଣ ଚାଷୀ ଅଳ୍ପ ଜାଗାରେ ଆଖୁ ଚାଷ କରିଛନ୍ତି । ଘରେ ଘରେ ଥିବା ଗୁଡ଼ ପେଡା ଯନ୍ତ୍ର ଅଚଳ ହୋଇପଡିଛି । ଆଗ ଭଳି ଆଉ ଗୁଡ଼ ପ୍ରସ୍ତୁତି ହେଉନାହିଁ । ଆଖୁ ଭଳି ଏକ ଅର୍ଥକାରୀ ଫସଲ ନହେବା ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବା ଅବସ୍ଥାରେ ରହିଛି ।
ଏହା ମଧ୍ୟ ପଢ଼ନ୍ତୁ:ଅଭୟାରଣ୍ୟରୁ ହେବ ଗାଁ ଉଚ୍ଛେଦ: ଲୋକେ ଅମଙ୍ଗ, ପ୍ରକ୍ରିୟାରେ ଲାଗିଛି ବିଭାଗ