ନୂଆଦିଲ୍ଲୀ: ଘରୋଇ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ପକ୍ଷରୁ ମିଳିଲା ଗ୍ରୀନ ସିଗନାଲ । ଚଳିତ ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ହେବାନେଇ ସ୍ପଷ୍ଟ କରିଛନ୍ତି BCCI ସମ୍ପାଦକ ଜୟ ଶାହା । ଜାନୁଆରୀ ୪ ତାରିଖରେ ଦେଶରେ ବର୍ଦ୍ଧିତ COVID-19 ସଂକ୍ରମଣ ସଂଖ୍ୟାକୁ ଦେଖି ସ୍ଥଗିତ ଘୋଷଣା କରିଥିଲା ବୋର୍ଡ ।
ତେବେ ଶୁକ୍ରବାର BCCI ସମ୍ପାଦକ ଜୟ ଶାହା କହିଛନ୍ତି ଏହି ସିଜିନର ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ଜୁନ ମାସରେ ଦ୍ବିତୀୟ ପର୍ଯ୍ୟାୟରେ ନକଆଉଟ୍ ମ୍ୟାଚ୍ ଖେଳାଯିବ । ଶାହା କହିଛନ୍ତି, ରଣଜୀ ଟ୍ରଫି ଦେଶର ସବୁଠୁ ସମ୍ମାନଜନକ ଘରୋଇ ପ୍ରତିଯୋଗିତା । ପ୍ରତିବର୍ଷ ଏହି ପ୍ରତିଯୋଗିତା ଭାରତୀୟ କ୍ରିକେଟକୁ ଦେଇଥାଏ ଦକ୍ଷ ଓ ପ୍ରତିଭାବାନ ଖେଳାଳିଙ୍କ ପରିଚୟ । ସେଥିପାଇଁ ଏହି ଇଭେଣ୍ଟର ଆୟୋଜନ ଆବଶ୍ୟକତା ଓ ଗୁରୁତ୍ବକୁ ଅନୁଭବ କରି ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।"
ଦେଶରେ COVID-19ର ତୃତୀୟ ଲହର ଓ ଭୁତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ସଂଖ୍ୟା ବୃଦ୍ଧି ଯୋଗୁଁ ପୂର୍ବରୁ BCCI 2021-22 ସିଜିନର ରଣଜୀ ଟ୍ରଫି ସହିତ ସିକେ ନାଇଡୁ ଟ୍ରଫି ଓ ସିନିଅର ମହିଳା ଟି-୨୦ ଲିଗ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରିବାକୁ ବାଧ୍ୟ ହୋଇଥିଲା ।